ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରେ ଧାନ ମଣ୍ଡି ଅବ୍ୟବସ୍ଥାକୁ ନେଇ ଚାଷୀ ଅସନ୍ତୋଷ । ସରକାର ଧାନ କିଣା ପାଇଁ ଯାହା ଘୋଷଣା କରିଛନ୍ତି, ଜିଲ୍ଲାରେ ତାହାର ବିପରୀତ ଚିତ୍ର ଦେଖାଯାଉଥିବା କହିଛନ୍ତି ସ୍ଥାନୀୟ ବିଧାୟକ । ସେପଟେ ଅବ୍ୟବସ୍ଥା କଥାକୁ ପ୍ରଶାସନ ସ୍ବୀକାର କରିବା ସହ ଏହାର ସମାଧାନ ପାଇଁ ପ୍ରୟାସ କରାଯାଉଥିବା କହିଛି ।
- ବିଳମ୍ବରେ ଖୋଲିଲା ମଣ୍ଡି:
ବର୍ଷ ତମାମ ଖରା,ବର୍ଷା ଓ ଶୀତରେ ରକ୍ତକୁ ପାଣି କରି ସୁନାର ଫସଲ କରିଥିଲା ଚାଷୀ । ହେଲେ ଅମଳ ସମୟରେ ଅଦିନିଆ ବର୍ଷା ଚାଷୀଙ୍କ ମେରୁଦଣ୍ଡ ଦୋହଲାଇ ଦେଇଥିଲା । ହେଲେ ଏବେ ପ୍ରଶାସନିକ ଅବହେଳା ସେମାନଙ୍କୁ ସମ୍ପୂର୍ଣ୍ଣ ଭାବେ ନିରାଶ କରିଛି । ଜିଲ୍ଲାରେ ପ୍ରତିବର୍ଷ ନଭେମ୍ବର ଶେଷ ସପ୍ତାହରେ ମଣ୍ଡି ଖୋଲାଯାଉଥିଲା । ହେଲେ ଚଳିତ ବର୍ଷ ଜାନୁୟାରୀ ୭ ତାରିଖରେ ଆରମ୍ଭ କରାଯାଇଛି । ଏହି ଦେଢ ମାସର ବିଳମ୍ବ ଯୋଗୁଁ ଚାଷୀମାନେ ନିଜ ଅମଳ ଧାନକୁ କ୍ଷେତ୍ରରେ ପକାଇ ରଖିଥିଲେ । ଠିକ ଏହି ସମୟରେ ଅଦିନିଆ ବର୍ଷା ମାଡରେ ଧାନ ଭିଜି ନଷ୍ଟ ହୋଇଯାଇଥିଲା । ଗୋଟିଏ ପଟେ ମଣ୍ଡି ଖେଲିବାରେ ବିଳମ୍ବ ଯୋଗୁଁ ଛାଷୀ ନାହିଁ ନଥିବା ଅସୁବିଧା ଭୋଗିଥିବା ଅଭିଯୋଗ ଆଣିଛନ୍ତି ।
- ଚାଷୀଙ୍କ ଅଭିଯୋଗ:
ଜଣେ ଚାଷୀ କେ.ରାମରାଜୁ କହିଛନ୍ତି, "ଏବେ ମଣ୍ଡିରେ ଧାନ କିଣାନଯାଇ ମିଲରଙ୍କ ନିକଟକୁ ପଠାଯାଉଛି । ମଣ୍ଡିରେ ଧାନର ମାନ ଯାଞ୍ଚ କରାଯାଉଥିବାବେଳେ ମିଲରମାନେ ପୁଣିଥରେ ଯାଞ୍ଚ କରି କଟନୀ ଛଟନୀ କରୁଛନ୍ତି ।" ଜିଲ୍ଲା କୃଷକ ସଂଘ ସଭାପତି ସୂର୍ଯ୍ୟନାରାୟଣ ପଟ୍ଟନାୟକ କହିଛନ୍ତି, "ମଣ୍ଡିରେ ଆନୁସଙ୍ଗିକ ବ୍ୟବସ୍ଥା ନାହିଁ । ମିଲରମାନଙ୍କ ନିକଟକୁ ପଠାଯାଉଛି । ଦୂରକୁ ଯିବାକୁ ପଡୁଥିବାରୁ ଚାଷୀ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି । ତେଣୁ ଏହି ଖର୍ଚ୍ଚ ପ୍ରଶାସନ ବହନ କରନ୍ତୁ ବୋଲି ଚାଷୀ ଦାବି କରିଛନ୍ତି । "
ଏହା ବି ପଢନ୍ତୁ...ଧାନ ମଣ୍ଡିରେ କଟନୀ ଛଟନୀ ଅଭିଯୋଗ ଏହା ବି ପଢନ୍ତୁ...କଟନୀ ଛଟନୀ ନେଇ ଛିଡୁନି ଚାଷୀ-ମିଲର ଦ୍ଵନ୍ଦ୍ୱ, ମଣ୍ଡିରେ ପଡିଛି ଧାନ ଏହା ବି ପଢନ୍ତୁ...ଚାଷୀଙ୍କଠୁ କେତେ ଧାନ କିଣିଛନ୍ତି ସରକାର ? ବଡ଼ କଥା କହିଲେ ଯୋଗାଣ ମନ୍ତ୍ରୀ |
- ବିଧାୟକଙ୍କ ବିରୋଧ, ପ୍ରଶାସନର ପ୍ରତିଶ୍ରୁତି:
ଏନେଇ ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ କହିଛନ୍ତି, "ଅଦିନିଆ ବର୍ଷା ପରେ ମୁଖ୍ୟମନ୍ତ୍ରୀ ନିଜେ ଆସି ସ୍ଥିତି ଅନୁଧ୍ୟାନ କରିଥିଲେ । ଏହାପରେ ଚାଷୀଙ୍କ ସମସ୍ୟା ଦୂର ହେବ ବୋଲି ଆଶା ରହିଥିଲା । ହେଲେ ଆଜିଯାଏଁ ଚାଷୀଙ୍କୁ କ୍ଷତିପୁରଣ ଦେବା ତ ଦୂରର କଥା ସେମାନଙ୍କ ଧାନକୁ କିଣିବା ପାଇଁ ମଧ୍ୟ କୌଣସି ବ୍ୟବସ୍ଥା ହୋଇନାହିଁ । କେବଳ ସେତିକି ନୁହେଁ, ଅଧିକାଂଶ ମଣ୍ଡିରେ କୌଣସି ବ୍ୟବସ୍ଥା ନାହିଁ । ଏପରିକି ଗୋଷାଣି ବ୍ଲକରେ ଆଜି ଯାଏଁ ଗୋଟିଏ ବି ଧାନ କିଣାଯାଇନାହିଁ ।" ଯାହା ଚାଷୀଙ୍କୁ କଷ୍ଟ ଦେଉଛି ବୋଲି ବିଧାୟକ କହିଛନ୍ତି । ଏନେଇ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ କହିଛନ୍ତି , "କିଛି ସ୍ଥାନରେ ଅବ୍ୟବସ୍ଥା ହୋଇଥିବା କଥା ସତ । କିନ୍ତୁ ଏହାର ସମାଧାନ ପାଇଁ ପ୍ରୟାସ ଜାରି ରହିଛି ଏବଂ ଅତିଶୀଘ୍ର ସମାଧାନ ହେବ ।"
ଇଟିଭି ଭାରତ, ଗଜପତି