ଭୁବନେଶ୍ବର: ଗତକାଲି କ୍ୟାବିନେଟ ଅନୁମୋଦନ ପାଇଥିବା ସ୍ଵୟମ ଯୋଜନା ହେଉଛି କେନ୍ଦ୍ର ସରକାରଙ୍କ ଯୋଜନା । ରି-ବ୍ରାଣ୍ଡିଂ କରି କେନ୍ଦ୍ରୀୟ ଯୋଜନା ହଡପ କରିବାକୁ ଆଉ ଏକ ଅଚେଷ୍ଟା କରିଛନ୍ତି ରାଜ୍ୟ ସରକାର । ସମସ୍ତ କେନ୍ଦ୍ରୀୟ ୟୋଜନାକୁ ହଡପ କରି ନିଜ ଯୋଜନା କହି ପ୍ରଚାର କରୁଛନ୍ତି ରାଜ୍ୟ ସରକାର । ଆଜି ପ୍ରେସମିଟ କରି ଏଭଳି ଅଭିଯୋଗ ଆଣିଛି ବିଜେପି ।
ଅଧିକ ପଢନ୍ତୁ- କ୍ୟାବିନେଟ ନିଷ୍ପତ୍ତି: ଯୁବ ବର୍ଗ ପାଇଁ ନୂଆ ସ୍କିମ ‘ସ୍ୱୟମ’, ସୃଷ୍ଟି କରିବ ସ୍ୱତନ୍ତ୍ର ଯୁବ ଉଦ୍ୟମୀ
ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ପ୍ରେସମିଟରେ ମୁଖପାତ୍ର ଅନୀଲ ବିଶ୍ବାସ କହିଛନ୍ତି, ‘‘ସ୍ଵୟମ ଯୋଜନାରେ ଲୋନ ଦେବେ ସରକାର ସେହି ଯୋଜନା କେନ୍ଦ୍ରର । କ୍ରେଡିଟ ଗ୍ୟାରେଣ୍ଟି ଫଣ୍ଡ ଟ୍ରଷ୍ଟ ଫର ମାଇକ୍ରୋ ଓ ସ୍ମାଲ ଏଣ୍ଟରପ୍ରାଇଜ କାର୍ଯ୍ୟକ୍ରମରେ ୫ କୋଟି ଯାଏଁ ଋଣ ଦେବାକୁ କେନ୍ଦ୍ର ବ୍ୟବସ୍ଥା କରିଥିବା ବେଳେ ରାଜ୍ୟ ସରକାର ମାତ୍ର ୧ ଲକ୍ଷରେ ସୀମିତ କରିଛନ୍ତି । କେବଳ ଭୋଟ ବେଳେ ଯୁବ ବର୍ଗଙ୍କୁ ଭୁଆଁ ବୁଲାଇବା ରାଜ୍ୟ ସରକାରଙ୍କ ଏ କାର୍ଯ୍ୟକ୍ରମ ।’’ ସେହିପରି ଅନୀଲ କହିଛନ୍ତି ଯେ ଗତ 2009, 2014 ଏବଂ 2019 ଭଳି ୩ଟି ନିର୍ବାଚନୀ ଇସ୍ତାହାରରେ ୫୬ ଲକ୍ଷ ଚାକିରି ପ୍ରତିଶ୍ରୁତି ଦେଇ ମଧ୍ୟ ଏଥିରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ସରକାର । ପିଡିଏସ ହିତାଧିକାରୀଙ୍କୁ ୧ ହଜାର ଟଙ୍କା ସିଧାସଳଖ ଭୋଟରଙ୍କୁ ଲାଞ୍ଚ ବୋଲି ଅଭିଯୋଗ କରିଛି ବିଜେପି । ବ୍ୟାଗ ଆଉ ୧୦୦୦ ଟଙ୍କା ଦେଇ ବିଜେଡି ସରକାର ଭାବୁଛି ଓଡ଼ିଶାର ଦାରିଦ୍ର୍ୟ, ଦାଦନ କମେଇଦେବ ।
ସେହିଭଳି କ୍ୟାବିନେଟର ଏହି ନିଷ୍ପତିକୁ ନେଇ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ କହିଛନ୍ତି, "କ୍ୟାବିନେଟ ନିଷ୍ପତି ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ନିର୍ବାଚନ ପରାଜୟର ଭୟକୁ ପ୍ରମାଣିତ କରୁଛି । ବିଜେଡିର ସ୍ଥିତି “ଖସି ଗଲା ଗୋଡ ତଳକୁ ତଳକୁ” । ସଦ୍ୟ ପ୍ରକାଶିତ ସର୍ଭେ ରିପୋର୍ଟ ଦେଖି ବିବ୍ରତ ବିଜୁ ଜନତା ଦଳ । କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଭାବରେ ୩ କୋଟି ୨୬ ଲକ୍ଷ ଲୋକଙ୍କୁ ମାଗଣା ଚାଉଳ ଦେଉଥିବାବେଳେ ନବୀନ ବାବୁ କେବଳ ବ୍ୟାଗ ଦେଇ ଭୋଟ ନେବା ପାଇଁ ଷଡଯନ୍ତ୍ର କରିଥିଲେ । ସାରା ଓଡ଼ିଶାରେ ଲୋକମାନେ ନବୀନ ବାବୁଙ୍କ ବ୍ୟାଗକୁ ପୋଡି ଦେବା ପରେ ନବୀନ ସରକାର ଭୟଭୀତ ହୋଇ ଏବେ ବ୍ୟାଗ ସହ ୧ହଜାର ଟଙ୍କା ଦେବା ପାଇଁ ନିଷ୍ପତି ନେଇଛନ୍ତି । ନବୀନ ବାବୁଙ୍କ ଏହି ଚତୁରତା ତାଙ୍କ ଲୋକପ୍ରିୟତା ହ୍ରାସର ଓ ନିର୍ବାଚନ ଆସନ୍ନ ପରାଜୟର ଭୟକୁ ପ୍ରମାଣିତ କରୁଛି । ଏହି ୧ହଜାର ଟଙ୍କା ପ୍ରତିମାସ ଦେବେ କି? କେବଳ ଥରେ ଦେଇ ଲୋକଙ୍କ ଭୋଟକୁ ନେବା ପାଇଁ ନବୀନ ବାବୁ ଯାହା ଭାବିଛନ୍ତି, ତାହା ସଫଳ ହେବ ନାହିଁ । ୨୦୨୪ ନିର୍ବାଚନରେ ଲୋକମାନେ ଉଚିତ ଜବାବ ଦେବେ ।"
ରାଜ୍ୟରେ ନିଯୁକ୍ତି ଓ ଆତ୍ମନିଯୁକ୍ତି ଯୋଗାଇବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଥିବାବେଳେ ନିର୍ବାଚନର ଠିକ ପୂର୍ବରୁ ଯୁବକଯୁବତୀମାନଙ୍କୁ ଋଣ ଦେବା କଥା କହି ଆତ୍ମନିଯୁକ୍ତି ସୃଷ୍ଟି କରିବାର ସ୍ବପ୍ନ ଦେଖାଉଛନ୍ତି । ଓଡ଼ିଶାର ଯୁବକ, ଯୁବତୀମାନଙ୍କୁ ଚାକିରି ଓ ଆତ୍ମନିଯୁକ୍ତି ଦରକାର, ଋଣ ଜାଲର ଫାସ ନୁହେଁ । ଏହାବାଦ, ଋଣତ କେନ୍ଦ୍ର ସରକାରଙ୍କ ବ୍ୟାଙ୍କ ଦେବ, ନବୀନ ବାବୁଙ୍କ ସରକାରର ଭୂମିକା କିଛି ନାହିଁ । ଆଗରୁ ସରକାରଙ୍କ ବିଭିନ୍ନ ଋଣ ଯୋଜନା ଯଥା ମୋ ଘର, ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟାଙ୍କୁ ସ୍କୁଟି ଯୋଗାଇବା ଆଦି ଯୋଜନା ସବୁ ବିଫଳ ହୋଇସାରିଛି ।
ସୂଚନାଯୋଗ୍ୟଯେ ଗତକାଲି ଅନୁଷ୍ଠିତ ହୋଇଥିଲା ରାଜ୍ୟ କ୍ୟାବିନେଟ ବୈଠକ । ବୈଠକରେ ରାଜ୍ୟର ଯୁବକ ଯୁବତୀମାନଙ୍କ ପାଇଁ ଏକ ଯୁଗାନ୍ତକାରୀ ନିଷ୍ପତ୍ତି ନିଆଯାଇଛି । ରାଜ୍ୟର ଶିଳ୍ପ ଓ ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ବର୍ତ୍ତମାନ ଆସିଥିବା ନୂଆ ଜାଗରଣରେ ଓଡିଶାର ସହରାଞ୍ଚଳ ଓ ଗ୍ରାମାଞ୍ଚଳର ଯୁବ ସମାଜକୁ ସାମିଲ କରାଯିବ । ଏଥିପାଇଁ ରାଜ୍ୟ କ୍ୟାବିନେଟ ‘ସ୍ବୟମ’ ନାମରେ ଏକ ନୂତନ ଯୋଜନାକୁ ଅନୁମତି ଦେଇଛନ୍ତି । ଏହି ଯୋଜନାରେ ୧୮ରୁ ୩୫ ବର୍ଷ ବୟମର ଯୁବକ ଯୁବତୀମାନଙ୍କୁ ବ୍ୟବସାୟ କରିବା ପାଇଁ ୧ ଲକ୍ଷ ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ବିନା ସୁଧରେ ପ୍ରଦାନ କରାଯିବ ।
ଇଟିଭି ଭାରତ, ଭୁବନେଶ୍ବର