ନୂଆଦିଲ୍ଲୀ: ଭିଏତନାମ ପ୍ରଧାନମନ୍ତ୍ରୀ ପାମ ମିନି ଚିନ୍ହ ନିକଟରେ ଭାରତ ଗସ୍ତ ସାରି ଫେରିଛନ୍ତି । ଏହି ଗସ୍ତ ଉଭୟ ଦେଶ ପାଇଁ ଅନେକ କ୍ଷେତ୍ରରେ ଉଲ୍ଲେଖନୀୟ ଥିଲା । ଚଳିତବର୍ଷ ସାଧାରଣ ନିର୍ବାଚନ ପରେ ଭାରତରେ ନୂତନ ସରକାର ଗଠନ ହୋଇଛି ଏବଂ ଭିଏତନାମରେ ଏବେ ରାଜନୈତିକ ଅସ୍ଥିରତା ଚାଲିଛି । ଦୁଇ ସପ୍ତାହ ପୂର୍ବରୁ ଭିଏତନାମର ଶାସକ ଦଳ ‘କମ୍ୟୁନିଷ୍ଟ ପାର୍ଟି’ର ମହାସଚିବଙ୍କର ମୃତ୍ୟୁ ଘଟିଥିଲା । ଏପରି ସମୟରେ ପ୍ରଧାନମନ୍ତ୍ରୀ ପାମ ମିନି ଚିନ୍ହ ଜୁଲାଇ 30 ତାରିଖରୁ ଅଗଷ୍ଟ ପହିଲା ପର୍ଯ୍ୟନ୍ତ ତିନିଦିନିଆ ଭାରତ ଗସ୍ତରେ ଥିଲେ । ସେ ନୂଆଦିଲ୍ଲୀରେ ଏକାଧିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଯାହା ଉଭୟ ଦେଶ ସ୍ବାର୍ଥ ଦୃଷ୍ଟିରୁ ବେଶ ଜରୁରୀ ଥିଲା ।
ନୂଆଦିଲ୍ଲୀ ଭିଏତନାମ ସହ ସମ୍ପର୍କ ସୁଦୃଢୀକରଣ ଚାହେଁ:-
ଅଳ୍ପ ଅବଧି ମଧ୍ୟରେ ଜଣେ ଅତିଥି ରାଷ୍ଟ୍ରମୁଖ୍ୟଙ୍କ ପାଇଁ ଦୀର୍ଘ ସରକାରୀ ଗସ୍ତର ଆୟୋଜନ କରିବାକୁ ଦେଖିଲେ, ନୂଆଦିଲ୍ଲୀ, ଭିଏତନାମ ସହ ସମ୍ପର୍କ ସୁଦୃଢ କରିବାକୁ ଇଚ୍ଛୁକ ବୋଲି ସହଜରେ ଅନୁମେୟ । ସାମ୍ପ୍ରତିକ ଭୂ-ରାଜନୈତିକ ଦୃଷ୍ଟିରୁ ପୂର୍ବ-ଏସିଆର ଏକ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ଭାଗିଦାରୀ ରାଷ୍ଟ୍ର ହେଉଛି ଭିଏତନାମ । ବର୍ତ୍ତମାନ ସମୟରେ ଭିଏତନାମ ସହ ଦ୍ବିପାକ୍ଷିକ ସମ୍ପର୍କ ସୁଦୃଢ କରିବା ପାଇଁ ଭାରତର ଏହି ପଦକ୍ଷେପ ନିଶ୍ଚିତ ଏକ ସ୍ବାଗତଯୋଗ୍ୟ ନିଷ୍ପତ୍ତି କହିହେବ । ଭିଏତନାମ ପକ୍ଷରୁ ପ୍ରଧାନମନ୍ତ୍ରୀ ଚିନ୍ହ ଏକ ବିଶାଳ ପ୍ରତିନିଧି ମଣ୍ଡଳୀ ସହ ଭାରତ ଆସିଥିଲେ । ଏହି ପ୍ରତିନିଧିମଣ୍ଡଳୀରେ ଭିଏତନାମ ସରକାରର ଏକାଧିକ ମନ୍ତ୍ରୀ ସାମିଲ ଥିଲେ ।
- ଭିଏତନାମ ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ସାରାଂଶ:-
‘ଇଣ୍ଡିଆନ୍ କାଉନସିଲ୍ ଅଫ୍ ୱାର୍ଲ୍ଡ ଆଫେୟାର୍ସ’ କାର୍ଯ୍ୟକ୍ରମରେ ଅତିଥୀ ରାଷ୍ଟ୍ରମୁଖ୍ୟ ଗୁରୁତ୍ୱପୂର୍ଣ୍ଣ ଅଭିଭାଷଣ ରଖିଥିଲେ । ଏହା ପରେ ସେ ଇଣ୍ଡିଆନ ବିଜନେସ ଫୋରମ ସହ ପାରସ୍ପରିକ ଆଲୋଚନା କରିଥିଲେ । ଏହି ଦ୍ବିପାକ୍ଷିକ ଆଲୋଚନା ଦକ୍ଷିଣ ଏବଂ ଦକ୍ଷିଣ-ପୂର୍ବ ଏସୀୟ ଦେଶ ମଧ୍ୟରେ ଭୂ-ଅର୍ଥନୈତିକ ସମ୍ପର୍କକୁ ପ୍ରତିଫଳିତ କରିଛି । ଏହି ଅଞ୍ଚଳରେ ଭାରତ ଏବଂ ଭିଏତନାମ ଏକ ନୂତନ ଅର୍ଥନୈତିକ ପରିବର୍ତ୍ତନର କେନ୍ଦ୍ର ଭାବେ ସାମ୍ନାକୁ ଆସିଛନ୍ତି ।
ଦ୍ବିପାକ୍ଷିକ ସମ୍ପର୍କ ସୁଦୃଢ କରିବାକୁ ଚାହେଁ ଭିଏତନାମ:-
ଚୀନରେ ମଜୁରୀ ହାର ବୃଦ୍ଧି ଏବଂ ଭୌଗୋଳିକ ସ୍ତରରେ ଅତ୍ୟଧିକ ଯୋଗାଣ ଶୃଙ୍ଖଳା କାରଣରୁ କୋଭିଡ ମହାମାରୀ ପରବର୍ତ୍ତୀ ସ୍ଥିତିରେ ଚୀନଠାରୁ ଭାରତ ଏବଂ ଭିଏତନାମ ପରି ଦେଶକୁ ଯୋଗାଣ ଶୃଙ୍ଖଳାକୁ ବ୍ୟାପକ ପ୍ରଭାବିତ ହୋଇଛି । ଦ୍ୱନ୍ଦ୍ୱାତ୍ମକ ସ୍ଥିତି ଓ ଗୋଷ୍ଠୀ ନରପେକ୍ଷତା ବଜାୟ ରଖିବା ସହ ସ୍ୱଳ୍ପ ବେତନ ହାର, ଦୃତ ଅର୍ଥନୈତିକ ଅଭିବୃଦ୍ଧି ଏବଂ ସରକାରଙ୍କ ଦ୍ବାରା କୌଣସି ଚରମ ବ୍ୟବସାୟିକ ସର୍ତ୍ତାବଳି ନଥିବା କାରଣରୁ ଉଭୟ ଭାରତ ଓ ଭିଏତନାମ ବ୍ୟବସାୟ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିପାରିଛନ୍ତି । ଉଭୟ ଦେଶ ମଧ୍ୟରେ ବିସ୍ତୃତ ରଣନୈତିକ ଭାଗିଦାରୀକୁ ଦୃଢ କରିବା ସହ ଦ୍ୱିପାକ୍ଷିକ ସମ୍ପର୍କକୁ ଏକ ନୂତନ ସ୍ତରକୁ ଆଣିବା, ଭିଏତନାମ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତର ମୂଳ ଉଦ୍ଦେଶ୍ୟ ଥିଲା ।
ଭାରତ ଏବଂ ଭିଏତନାମ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ 2016ରେ ବିସ୍ତୃତ ରଣନୈତିକ ଭାଗିଦାରୀ ସ୍ତରକୁ ଉନ୍ନୀତ ହୋଇଥିଲା । ଫଳରେ ଦ୍ୱିପାକ୍ଷିକ ସମ୍ପର୍କର ପରିସର ମଧ୍ୟ ବିସ୍ତୀର୍ଣ୍ଣ ହେଲା । 2020 ମସିହାରେ ଶାନ୍ତି, ସମୃଦ୍ଧତା ଏବଂ ନାଗରିକଙ୍କ ପାଇଁ ଭାରତ-ଭିଏତନାମ ମିଳିତ ଡିକ୍ଲାରେସନ ସମ୍ପର୍କର ଏକ ନୂଆ ଭିତ୍ତିଭୂମି ସୃଷ୍ଟି କରିଥିଲା । ଯେଉଁଥିରେ ଦ୍ୱିପାକ୍ଷିକ ସମ୍ପର୍କର ବ୍ୟାପକ ପ୍ରଗତି ମଧ୍ୟ ଦେଖାଯାଇପାରେ । ୟୁରୋପ ଏବଂ ମଧ୍ୟପ୍ରାଚ୍ୟରେ ଚାଲିଥିବା ବିବାଦ ସମେତ ବିଶ୍ୱସ୍ତରୀୟ ପ୍ରସଙ୍ଗରେ ଉଭୟ ଭାରତ ଏବଂ ଭିଏତନାମ ମଧ୍ୟ ସମାନ ଆଭିମୁଖ୍ୟ ଗ୍ରହଣ କରିଆସୁଛନ୍ତି । ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଶାନ୍ତି ଏବଂ ସ୍ଥିରତାକୁ ବଜାୟ ରଖିବା ପାଇଁ ଉଭୟ ଦେଶ ମିଳିତ ଆଭିମୁଖ୍ୟ ସହ କାର୍ଯ୍ୟ କରୁଛନ୍ତି ।
ଦୁଇ ଦେଶ ମଧ୍ୟରେ ସହଯୋଗର ବିସ୍ତାର:-
ମଧ୍ୟପ୍ରାଚ୍ୟରେ ଇସ୍ରାଏଲ୍-ହାମାସ ଯୁଦ୍ଧ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜାରି ରହିଥିବା ବେଳେ ଅନ୍ୟ ଦେଶଗୁଡିକ, ବିଶେଷ କରି ମଧ୍ୟମ ଅର୍ଥନୈତିକ (ବିକାଶଶୀଳ) ଦେଶମାନେ ଏହି ସଙ୍କଟରୁ ରକ୍ଷା ପାଇବା ପାଇଁ ଦ୍ବିପାକ୍ଷିକ ସମ୍ପର୍କ ବିସ୍ତାର କରିବାର ଉପାୟ ଖୋଜୁଛନ୍ତି । ଏହି ଧାରାର ଭାରତ ଏବଂ ଭିଏତନାମ ଏସିଆ ମହାଦେଶର ପ୍ରମୁଖ ପ୍ରତିନିଧୀ ହୋଇପାରନ୍ତି । ତେଣୁ ଆଶ୍ଚର୍ଯ୍ୟର କଥା ଯେ ଭାରତ ଏବଂ ଭିଏତନାମର ବୈଦେଶିକ ନୀତି, ସୁରକ୍ଷା ଏବଂ ସାମୁଦ୍ରିକ କ୍ଷେତ୍ର, ପ୍ରତିରକ୍ଷା ସହଯୋଗ, ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ, କୃଷି, ସ୍ୱାସ୍ଥ୍ୟସେବା, ବେସାମରିକ ବିମାନ ଚଳାଚଳ, ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା, ମହାକାଶ ଏବଂ ଆଣବିକ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଘନିଷ୍ଠ ସମ୍ପର୍କ ରହିଛି ।
ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ପର୍ଯ୍ୟଟନ ଏବଂ ସଂସ୍କୃତି ପରି କ୍ଷେତ୍ରଗୁଡିକ ସହିତ ବହୁମୁଖୀ ଅନୁଷ୍ଠାନିକ ସହଯୋଗକୁ ବିସ୍ତାର କରିବାକୁ ଉଭୟ ଦେଶ ପ୍ରୟାସ ଜାରି ରଖିଛନ୍ତି । ଦୁଇ ଦେଶ ମଧ୍ୟରେ ବର୍ତ୍ତମାନ ଦ୍ୱିପାକ୍ଷିକ ବାଣିଜ୍ୟର ପରିସର ବୃଦ୍ଧି ଘଟିଛି । ଯାହା ବର୍ତ୍ତମାନ ପ୍ରାୟ 15 ବିଲିୟନ ଡଲାରରେ ପହଞ୍ଚିସାରିଛି । ଉଭୟ ଭାରତ ଏବଂ ଭିଏତନାମ ମିଳିତ ଏଜେଣ୍ଡା ଉପରେ କାର୍ଯ୍ୟ କରୁଛନ୍ତି । ମଧ୍ୟମରୁ ଦୀର୍ଘମିଆଦି ମଧ୍ୟରେ ଦୁଇ ଦେଶ ମଧ୍ୟରେ ଏକ ସହଜ ବାଣିଜ୍ୟ ଢାଞ୍ଚା ଚୁକ୍ତି ଆବଶ୍ୟକ କରୁଛନ୍ତି ।
ବୈଶ୍ବିକ ମଞ୍ଚରେ ଉଭୟ ଦେଶର ଆଭିମୁଖ୍ୟ:-
ବିଶ୍ୱ ସ୍ତରରେ ଭାରତ ଏବଂ ଭିଏତନାମ ମିଳିତ ଭାବେ ଦୁଇ ଦେଶର ସାଧାରଣ ସ୍ୱାର୍ଥ ପ୍ରସଙ୍ଗରେ ଏକାଠି ହେଉଛନ୍ତି । ବିପର୍ଯ୍ୟୟ ମୁକାବିଲା ପାଇଁ ମିଳିତ ଭିତ୍ତିଭୂମି (CDRI)ରେ ଭିଏତନାମର ସଦସ୍ୟତା, ଅନ୍ତର୍ଜାତୀୟ ସୋଲାର ଆଲାଇନ୍ସ (ISA) ରେ ଯୋଗଦେବାକୁ ଇଚ୍ଛା ଏବଂ ଭାରତ ଦ୍ବାରା ଆରମ୍ଭ କରାଯାଇଥିବା ଗ୍ଲୋବାଲ ଜୈବ ଇନ୍ଧନ ଆଲାଇନ୍ସ ପଦକ୍ଷେପକୁ ପ୍ରଶଂସା କରିବା ନୂଆଦିଲ୍ଲୀ ପ୍ରତି ଭିଏତନାମାର ସକରାତ୍ମକ ଦୃଷ୍ଟିକୋଣକୁ ସ୍ପଷ୍ଟ ପ୍ରତିଫଳିତ କରିଛି ।