କେପ ଟାଉନ: ଦକ୍ଷିଣ ଆଫ୍ରିକାରେ ମର୍ମନ୍ତୁଦ ବସ ଦୁର୍ଘଟଣା । ଭାରସାମ୍ୟ ହରାଇ ବ୍ରିଜରୁ 164 ଫୁଟ ତଳକୁ ଖସି ଜଳିଗଲା ବସ୍ । ଏହି ଦୁର୍ଘଟଣାରେ 45 ଜଣ ଜୀବନ ଦଗ୍ଧ ହୋଇ ଯାଇଥିବା ବେଳେ ଜଣେ 8 ବର୍ଷୀୟା ବାଳିକା ଅଳ୍ପକେ ବର୍ତ୍ତି ଯାଇଛି । ତାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି । ଅନ୍ୟପଟେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ବସ୍ ଭିତରେ ଅଧିକାଂଶଙ୍କ ଶରୀର ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ ମୃତକଙ୍କ ପରିଚୟ ମିଳିପାରୁନଥିବା ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ।
ସୂଚନା ଅନୁଯାୟୀ, ଗୁରୁବାର ଦିନ ଦକ୍ଷିଣ ଆଫ୍ରିକାର ଉତ୍ତରାଞ୍ଚଳ ରାଜ୍ୟ ଲିମ୍ପୋପୋରେ ମର୍ମନ୍ତୁଦ ବସ ଦୁର୍ଘଟଣା ଘଟିଛି । ବସଟି ପୂଜକମାନଙ୍କୁ ଇଷ୍ଟର ପର୍ବକୁ ନେଇ ଯାଉଥିବା ବେଳେ ଏକ ପାହାଡ ନିକଟରେ ବ୍ରିଜରୁ ପାଖାପାଖି 164 ଫୁଟ ତଳକୁ ଖସିପଡି ନିଆଁ ଲାଗିଯାଇଥିଲା । ଏହି ଅଘଟଣରେ ପାଖାପାଖି 45 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କେବଳ ଜଣେ 8 ବର୍ଷୀୟା ବାଳିକା ମୃତ୍ୟୁ କବଳରୁ ଅଳ୍ପକେ ବର୍ତ୍ତି ଯାଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ନିକଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି । ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି ।
ଏହାମଧ୍ୟ ପଢନ୍ତୁ.. ଝାଡଖଣ୍ଡରେ ଯାତ୍ରୀଙ୍କ ଉପରେ ମାଡିଗଲା ଟ୍ରେନ: ଏକାଧିକ ମୃତାହତ ସୂଚନା
ଅନ୍ୟପଟେ ଦୁର୍ଘଟଣା ଖବର ପାଇ ତୁରନ୍ତ ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ । ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ବସରେ ଥିବା ଅଧିକାଂଶ ଜଣ ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ ମୃତକଙ୍କ ପରିଚୟ ମିଳିପାରିନାହିଁ ।
ସରକାରୀ ଅଧିକାରୀଙ୍କ ସୂଚନା ମୁତାବକ, ବସଟି ପଡୋଶୀ ଦେଶ ବୋତସ୍ୱାନାରୁ ମୋରିଆ ସହରକୁ ବହୁ ପ୍ରସିଦ୍ଧ ଇଷ୍ଟର ପର୍ବକୁ ତୀର୍ଥଯାତ୍ରୀମାନଙ୍କୁ ନେଇ ଯାଉଥିବା ବେଳେ ଏହି ଅଘଟଣ ଘଟିଛି । ତେବେ ବସ ଡ୍ରାଇଭର ଜଣକ ଭାରସାମ୍ୟ ହରାଇ ବ୍ରିଜ ତଳକୁ ବସ ଖସାଇ ଦେଇଥିବା ଜଣାପଡିଛି । ଅନ୍ୟପଟେ ଦୁର୍ଘଟଣାର ପ୍ରକୃତ କାରଣ ଅସ୍ପଷ୍ଟ ରହିଥିବା ବେଳେ ଏନେଇ ତଦନ୍ତ ଜାରି ରହିଛି ବୋଲି କହିଛନ୍ତି ଲିମ୍ପୋପୋ ପରିବହନ ମନ୍ତ୍ରୀ ।
ଦକ୍ଷିଣ ଆଫ୍ରିକାରେ ଇଷ୍ଟର ପର୍ବ ସମୟରେ ଏଭଳି ଦୁର୍ଘଟଣାର ନଜିର ପୂର୍ବରୁ ମଧ୍ୟ ରହିଛି । ଗତବର୍ଷ ଇଷ୍ଟର ପର୍ବ ସମୟରେ ଭୟଙ୍କର ସଡକ ଦୁର୍ଘଟଣା ଘଟିଥିଲା । ଯେଉଁଥିରେ ପାଖାପାଖି 200 ଜଣଙ୍କ ଜୀବନ ଯାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ