ହାଇଦ୍ରାବାଦ: ସୁପରଷ୍ଟାର ପ୍ରଭାସ ବର୍ତ୍ତମାନ ନିଜର ଫିକ୍ସନ ଫିଲ୍ମ କଲ୍କୀ ୨୮୯୮କୁ ନେଇ ଏବେ ଚର୍ଚ୍ଚାରେ ରହିଛନ୍ତି । ଆଦିପୁରୁଷ ଭଳି ବିଗ୍ ବଜେଟ ଫିଲ୍ମ ସେତେଟା ଆଖିଦୃଶିଆ ସଫଳତା ପାଇ ପାରିନଥିଲା । ହେଲେ କଲ୍କିରେ ପୁଣି ଥରେ ସଫଳତାର ଶିଖର ଛୁଇଁଛନ୍ତି ପ୍ରଭାସ । ଏହି ଫିଲ୍ମ ଏବେ ସାରା ବିଶ୍ୱରେ ୧୦୦୦ କୋଟି ପାର୍ କରି ରେକର୍ଡ ସୃଷ୍ଟି କରିଛି । ଏହାରି ଭିତରେ ସେ ନିଜର ଆଗାମୀ ଚଳଚ୍ଚିତ୍ର ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।
ପ୍ରଭାସ ନିକଟରେ ଏକ ନୂଆ ଫିଲ୍ମ ପାଇଁ ସାଇନ କରିଥିବା କୁହାଯାଉଛି । ଯେଉଁଥିରେ ସେ ଜଣେ ପାକିସ୍ତାନୀ ଅଭିନେତ୍ରୀଙ୍କ ସହ ରୋମାନ୍ସ କରୁଥିବା ନଜର ଆସିବାକୁ ଯାଉଛନ୍ତି । ଯଦିଓ ଏହି ଫିଲ୍ମର ନାମ କି ଏହା ସହ ଜଡିତ ଅଧିକ ତଥ୍ୟ ସାମନାକୁ ଆସିନାହିଁ, କିନ୍ତୁ ପାକିସ୍ତାନୀ ଅଭିନେତ୍ରୀ ସଜଲ ଅଲ୍ଲିଙ୍କ ସହ ସେ ଅଭିନୟ କରିବେ ବୋଲି ଚର୍ଚ୍ଚା ହେଉଛି ।
ପୂର୍ବରୁ ବଲିଉଡରେ କାମ କରିଛନ୍ତି ସଜଲ:
କହିରଖୁଛୁ ଯେ, ସଜଲ ଅଲ୍ଲି ୨୦୧୭ ମସିହାରେ ଫିଲ୍ମ 'ମମ'ରେ ଏକ ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ । ସେ ଭେଟେରାନ ଅଭିନେତ୍ରୀ ଶ୍ରୀଦେବୀଙ୍କ ଝିଅ ଭୂମିକାରେ ତାଙ୍କୁ ଦେଖିବାକୁ ମିଳିଥିଲା ।
ସଜଲଙ୍କୁ ନେଇ ଥିଲା ବିବାଦ:
ଗତ ବର୍ଷ ଜଣେ ଅବସରପ୍ରାପ୍ତ ଭାରତୀୟ ସେନା ଅଧିକାରୀ ସଜଲଙ୍କ ନାଁରେ ହନି ଟ୍ରାପ୍ ଅଭିଯୋଗ ଆଣିଥିଲେ । ସେ କହିଥିଲେ ଯେ, ପାକିସ୍ତାନ ସେନା ହନି ଟ୍ରାପିଂ ପାଇଁ ଯେଉଁ ଅଭିନେତ୍ରୀମାନଙ୍କୁ ବ୍ୟବହାର କରେ ସେମାନଙ୍କ ଭିତରୁ ଅନ୍ୟତମ ହେଉଛନ୍ତି ସଜଲ । ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ ସଜଲ ।
ଏହି ପାକିସ୍ତାନୀ ଅଭିନେତ୍ରୀଙ୍କ ଭାରତରେ ମଧ୍ୟ ଅନେକ ଫ୍ୟାନ ଫଲୋଅର୍ସ ରହିଛନ୍ତି । ତେଣୁ ପ୍ରଭାସଙ୍କ ସହ ସେ ଅଭିନୟ କରିବା ଖବର ଯଦି ସତ ହୁଏ, ତେବେ ଫ୍ୟାନ୍ସଙ୍କ ପାଇଁ ଏହା ହେବ ଖୁସି ଖବର । ଅପରପକ୍ଷେ, ସେ ସତରେ ଅଭିନୟ କରିବେ ନା ଏହା ଏକ ଗୁଜବ ତାହା ସ୍ପଷ୍ଟ ହୋଇନାହିଁ ।