କୋଲକାତା: ଦୁଇବର୍ଷ ପୁରୁଣା ଏକ ବିସ୍ଫୋରଣ ମାମଲାରେ ତଦନ୍ତ ପାଇଁ ଯାଇଥିବା ଜାତୀୟ ତଦନ୍ତକାରୀ ସଂସ୍ଥା ‘ଏନଆଇଏ’ ଟିମକୁ ପଶ୍ଚିମବଙ୍ଗର ପୂର୍ବ-ମେଦିନାପୁର ଜିଲ୍ଲାରେ ଉତ୍ୟେକ୍ତ ଲୋକେ ଆକ୍ରମଣ କରିବା ମାମଲାରେ ରାଜନୀତି ଜୋର ଧରିବାରେ ଲାଗିଛି । ନିର୍ବାଚନ ପୂର୍ବରୁ ଏପରି ଘଟଣା ମମତା ସରକାରଙ୍କୁ ସମାଲୋଚନା କରିବା ପାଇଁ ବିରୋଧୀଙ୍କୁ ଏକ ବଡ ଅବସର ଦେଇଛି । ବିଜେପି ଏହାକୁ ନେଇ ନିର୍ବାଚନ ଆୟୋଗଙ୍କୁ ଚିଠି ମଧ୍ୟ ଲେଖିସାରିଛି । ଆଜି ଘଟଣାକୁ ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି ଆନନ୍ଦ ବୋଷ ମଧ୍ୟ କଡା ଭାଷାରେ ନିନ୍ଦା କରିଛନ୍ତି । ଏପରି ଘଟଣାକୁ ଦୃଢହସ୍ତରେ ଦମନ କରାଯିବାର ଆବଶ୍ୟକତା ଥିବା ରାଜ୍ୟପାଳ ମଧ୍ୟ ଟିପ୍ପଣୀ ମଧ୍ୟ କରିଛନ୍ତି । ରାଜ୍ୟପାଳ ବୋଷଙ୍କର ଏହି ଟିପ୍ପଣୀ ମମତା ସରକାରର ଆଇନ ଶୃଙ୍ଖଳା ଆୟତ ନକରିପାରିବା ଦିଗକୁ ସଙ୍କେତ ଦେଉଛି ।
ବୋଷ କହିଛନ୍ତି, ‘‘ରାଜ୍ୟପାଳ ଭାବରେ ମୁଁ ଏହା ବିଷୟରେ ନିଶ୍ଚିତ ଭାବରେ କହିପାରିବି ଯେ ଏହାକୁ ଦୃଢହସ୍ତରେ ଦମନ କରାଯିବାର ଆବଶ୍ୟକତା ରହିଛି । ଯାହା ଘଟିଛି, ତାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ । ଗଣତନ୍ତ୍ରରେ ଏପରି ଘଟଣାର କୌଣସି ସ୍ଥାନ ନାହିଁ ।’’ ପୂର୍ବରୁ ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ କେନ୍ଦ୍ରୀୟ ସଂସ୍ଥାର କାର୍ଯ୍ୟଶୈଳୀରେ ପ୍ରଶ୍ନ ଉଠାଇଥିଲେ । କାର୍ଯ୍ୟାନୁଷ୍ଠାନ ପୂର୍ବରୁ କେନ୍ଦ୍ରୀୟ ସଂସ୍ଥା ରାଜ୍ୟ ପୋଲିସ ସହ କାହିଁକି ଯୋଗାଯୋଗ କରିଲା ନାହିଁ ବୋଲି ପ୍ରଶ୍ନ କରିଥିଲେ । କେନ୍ଦ୍ରୀୟ ସଂସ୍ଥା କେବଳ ବିଜେପି ଇସାରରେ କାମ କରୁଛି ବୋଲି ଦିଦି ପାଲଟା ଅଭିଯୋଗ କରିଥିଲେ ।
ସୂଚନା ଅନୁସାରେ, 2022ରେ ହୋଇଥିବା ଏକ ବିସ୍ଫୋରଣ ମାମଲାରେ ଅଭିଯୁକ୍ତକୁ ଗିରଫ କରିବାକୁ ଯିବା ବେଳେ ପୂର୍ବ-ମେଦିନାପୁର ଜିଲ୍ଲାର ଭୂପତିନଗରରେ ଜାତୀୟ ତଦନ୍ତକାରୀ ସଂସ୍ଥା ‘ଏନଆଇଏ’ ଅଧିକାରୀଙ୍କ ଟିମ ଉପରେ ଏହି ଆକ୍ରମଣ ହୋଇଛି । ଏନଆଇଏ ଟିମର ଗାଡିକୁ ପଥରମାଡ କରାଯାଇଥିଲା । ଶତାଧିକ ମହିଳା-ପୁରୁଷ ରାସ୍ତାରେ କେନ୍ଦ୍ରୀୟ ସଂସ୍ଥାର ଟିମକୁ ରୋକିଥିଲେ । ଗ୍ରାମରେ ପୁରାଇ ଦେଇନଥିଲେ । ଜଣେ କେନ୍ଦ୍ରୀୟ ଅଧିକାରୀ ଏଥିରେ ଆହତ ମଧ୍ୟ ହୋଇଛନ୍ତି । 2022ରେ ହୋଇଥିବା ଏକ ବିସ୍ଫୋରଣ ମାମଲାରେ ତଦନ୍ତ ପାଇଁ ଆଜି କେନ୍ଦ୍ରୀୟ ସଂସ୍ଥା ଭୂପତିନଗରରେ ଚଢାଉ କରିଥିଲା । ଯାହାକୁ ନେଇ ବିଜେପି-ଟିଏମସି ମୁହାଁମୁହିଁ ସ୍ଥିତିକୁ ଆସିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ