ଡେରାଡୁନ: ଗୁରୁଦ୍ୱାରର କର ସେବା ମୁଖ୍ୟ ବାବା ତାରସେମ ସିଂ ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ଏସଟିଏଫ ଏନକାଉଣ୍ଟରରେ ନିହତ ହୋଇଛି । ମୃତକ ଜଣକ ହେଉଛି ଅମରଜିତ ସିଂ ଓରଫ ବିଟୁ । ତା' ମୁଣ୍ଡ ଉପରେ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା । ଆଜି ସକାଳେ ହରିଦ୍ୱାରର ଭଗବନପୁର ଅଞ୍ଚଳରେ ଏନକାଉଣ୍ଟରରେ ତା'ର ମୃତ୍ୟୁ ହୋଇଥିବା ଉତ୍ତରାଖଣ୍ଡର ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । ଏହି ଘଟଣାରେ ଜଡିତ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ରହିଛି । ଖୁବଶୀଘ୍ର ତାକୁ ଗିରଫ କରିବାକୁ ଉତ୍ତରାଖଣ୍ଡ ଏସଟିଏଫ ଏବଂ ହରିଦ୍ୱାର ପୋଲିସ ମିଳିତ ଅପରେସନ ଆରମ୍ଭ କରିଛନ୍ତି ।
ଉତ୍ତରାଖଣ୍ଡ ଡିଜିପି ଅଭିନବ କୁମାର କହିଛନ୍ତି, ''ଅମରଜିତ ସିଂଙ୍କ ବିରୋଧରେ 16ରୁ ଅଧିକ ମାମଲା ରୁଜୁ ହୋଇଛି । ଗତ ମାର୍ଚ୍ଚ 28ରେ ଉଧମ ସିଂ ନଗର ଜିଲ୍ଲାର ନାନକମତ୍ତା ସାହେବ ଗୁରୁଦ୍ୱାରର କର ସେବା ମୁଖ୍ୟ ବାବା ତାରସେମ ସିଂଙ୍କୁ ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ଗୁଳି କରି ହତ୍ୟା କରିଥିଲେ । ଏହାପରେ ଦୁଇ ସୁଟର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ସକାଳ ସମୟରେ ଏହି ହତ୍ୟାକାଣ୍ଡ ଘଟିଥିଲା । ଏହାପରେ ଦୁଇ ଅଭିଯୁକ୍ତ ଅମରଜିତ ସିଂ ଏବଂ ସରବଜିତ ସିଂଙ୍କୁ ଧରିବାକୁ 50 ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା କରିଥିଲା । ପରେ ଏହି ରାଶିକୁ 1 ଲକ୍ଷକୁ ବୃଦ୍ଧି କରାଯାଇଥିଲା । ଏହି ମାମଲାରେ ଆଉ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ଆଜି ଉତ୍ତରପ୍ରଦେଶ ଏସଟିଏଫ ଦ୍ବାରା ଭଗବାନପୁର ଅଞ୍ଚଳରେ ହୋଇଥିବା ଏନକାଉଣ୍ଟରରେ ସୁଟର ଅମରଜିତ ସିଂର ମୃତ୍ୟୁ ହୋଇଛି । ଉତ୍ତରାଖଣ୍ଡ ପୋଲିସ ବାବା ତାରସେମ ସିଂଙ୍କ ହତ୍ୟାକାଣ୍ଡକୁ ଏକ ଚ୍ୟାଲେଞ୍ଜ ଭାବରେ ଗ୍ରହଣ କରିଥିଲା । ଏସଟିଏଫ ଏବଂ ପୋଲିସ କ୍ରମାଗତ ଭାବେ ଅଭିଯୁକ୍ତକୁ ଧରିବାକୁ ଖୋଜାଖୋଜି ଜାରି ରଖିଥିଲା ।''
ବାବା ତାରସେମ ସିଂ କିଏ?
ବାବା ତାରସେମ ସିଂ ତରାଇ ଶିଖ ସମ୍ପ୍ରଦାୟର ଜଣେ ଧାର୍ମିକ ଗୁରୁ ଥିଲେ । ସେ ନାନକମତ୍ତା ଅଞ୍ଚଳରେ ଶିକ୍ଷା ଏବଂ ଚିକିତ୍ସା କ୍ଷେତ୍ରରେ ଅନେକ କାର୍ଯ୍ୟ କରିଥିଲେ । ଏହି କାରଣରୁ ସେ ଶିଖ ସମ୍ପ୍ରଦାୟ ଓ ଅନ୍ୟ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ନିଜର ପରିଚୟ ସୃଷ୍ଟି କରିଥିଲେ । ଅନେକ ରାଜନୈତିକ ବ୍ୟକ୍ତିଙ୍କ ସହ ବାବା ତାରସେମ୍ ସିଂଙ୍କର ଭଲ ସମ୍ପର୍କ ଥିଲା । ବିଜେପି ସହିତ କଂଗ୍ରେସ ଏବଂ ଅନ୍ୟ ଦଳର ନେତାମାନେ ତାଙ୍କ ଶିବିରକୁ ଆସୁଥିଲେ । ସେ ମଧ୍ୟ ସିଏମ୍ ଧାମିଙ୍କ ନିକଟତର ଥିଲେ । ବିଧାୟକ ଠାରୁ ସିଏମ୍ ହେବା ପର୍ଯ୍ୟନ୍ତ ଧାମି ଅନେକ ଥର ଶିବିରକୁ ଆସୁଥିଲେ ।
ବାବା ତାରସେମ ସିଂଙ୍କ ହତ୍ୟା ପରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ନାନକମତ୍ତାରେ ପହଞ୍ଚିଥିଲେ । ଏହି ଘଟଣାକୁ ଗୁରୁତର ସହ ନେଇ ତଦନ୍ତ କରିବାକୁ ସେ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଉତ୍ତରାଖଣ୍ଡରେ ସୁଟରଙ୍କୁ ଧରିବାକୁ ପୋଲିସ ଦିନ ରାତି ଏକ କରି ଦେଇଥିଲା । ଆଜି ଏନକାଉଣ୍ଟରରେ ଅଭିଯୁକ୍ତ ଅମରଜିତ ସିଂଙ୍କ ମୃତ୍ୟୁ ହୋଇଛି ।
ସୂଚନା ଅନୁଯାୟୀ, ମାର୍ଚ୍ଚ 28 ତାରିଖରେ ନାନକମତ୍ତା ସାହିବ ଗୁରୁଦ୍ୱାର ଡେରା କର ସେବା ମୁଖ୍ୟ ବାବା ତାରସେମ ସିଂଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡ ପରେ ଉତ୍ତରାଖଣ୍ଡରେ ଉତ୍ତେଜନା ଦେଖାଦେଇଥିଲା । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ନିଜେ ନାନକମତ୍ତା ସାହି ଗୁରୁଦ୍ୱାର ଯାଇଥିଲେ । ଏହି ହତ୍ୟାକାଣ୍ଡ ପରେ ମୁଖ୍ୟମନ୍ତ୍ରୀ ଉତ୍ତରପ୍ରଦେଶ ପୋଲିସ ଡିଜିପି ଅଭିନବ କୁମାରଙ୍କୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।