ନୂଆଦିଲ୍ଲୀ: ଧାରା 370 ଉଚ୍ଛେଦ ପୂର୍ବରୁ 2018 ମସିହାରୁ କାଶ୍ମୀରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି । ଚଳିତଥର ଜାମ୍ମୁ କାଶ୍ମୀର ଓ ଲଦାଖରେ ଲୋକସଭା ପାଇଁ ଭୋଟିଂ ହେବାକୁ ଯାଉଛି । ହେଲେ ସୀମା ନିର୍ଦ୍ଧାରଣ ଓ ଅନ୍ୟ ତମାମ ପ୍ରକ୍ରିୟା ଶେଷ ହୋଇଥିଲେ ସୁଦ୍ଧା ବିଧାନସଭା ନିର୍ବାଚନ ପାଇଁ କୌଣସି ତାରିଖ ଆଜି ନିର୍ବାଚନ କମିଶନର ଘୋଷଣା କରିନାହାନ୍ତି । ଯାହାକୁ ନେଇ କାଶ୍ମୀରର ସ୍ଥାନୀୟ ରାଜନେତା ଓ ଅନ୍ୟ ବିରୋଧୀମାନେ ପ୍ରଶ୍ନ ଉଠାଇଛନ୍ତି । ତେବେ ଲୋକସଭା ନିର୍ବାଚନ ସରିବା ପରେ ଜମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ ହେବା ନେଇ ଆଜି ନିର୍ବାଚନ ମୁଖ୍ୟ କମିଶନର ରାଜୀବ କୁମାର କହିଛନ୍ତି ।
ଆଜି ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କରିବା ପରେ ଜାତୀୟ ଖବର ସରବରାହ ସଂସ୍ଥା ‘ଏଏନଆଇ’କୁ ଏକ ସ୍ବତନ୍ତ୍ର ସାକ୍ଷାତକାର ଦେଇ ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି, କାଶ୍ମୀରରେ ନିର୍ବାଚନ କରାଯିବା ପାଇଁ ଡିସେମ୍ବର 23ରୁ ଆଇନଗତ ରାସ୍ତା ମୁକ୍ତ ହୋଇସାରିଛି । ମାତ୍ର ଏବେ (ମାର୍ଚ୍ଚ ମାସରେ) ଏହି ଅଞ୍ଚଳରେ ତୁଷାରପାତ ଜାରି ରହିଛି । ତେଣୁ ଏହି ସମୟରେ ନିର୍ବାଚନ ହେବାର ପ୍ରଶ୍ନ ଉଠୁନାହିଁ। ”
ଆହୁରି ମଧ୍ୟ ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି, ସେ ନିକଟରେ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିବା ପାଇଁ କାଶ୍ମୀର ଗସ୍ତ କରିଥିଲେ । ସେତେବେଳେ ସେ ସ୍ଥାନୀୟ ରାଜନୈତିକ ଦଳମାନଙ୍କ ସହ ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ କରାଯିବା ପ୍ରସଙ୍ଗରେ ଆଲୋଚନା କରିଥିଲେ । ପରେ ସ୍ଥାନୀୟ ପ୍ରଶାସନ ସହ ମଧ୍ୟ ନିର୍ବାଚନ ଆୟୁକ୍ତଙ୍କ ଟିମର ଏକ ବିସ୍ତୃତ ବୈଠକ ହୋଇଥିଲା । ଯେଉଁଥିରେ, ମତ ପ୍ରକାଶ ପାଇଥିଲା ଯେ, ଏକାସାଙ୍ଗରେ ସାଧାରଣ ଓ ବିଧାନସଭା ନିର୍ବାଚନ କରାଗଲେ, ବହୁମାତ୍ରାରେ ସୁରକ୍ଷାକର୍ମୀଙ୍କୁ ନିୟୋଜନ କରିବାକୁ ପଡିବ । ତେଣୁ ପ୍ରଥମେ ଲୋକସଭା ନିର୍ବାଚନ ଶେଷ କରିବା ପରେ ବିଧାନସଭା ନିର୍ବାଚନ କରାଯିବା ନେଇ ନିଷ୍ପତ୍ତି ନିଆଗଲା । ମାତ୍ର ଏହି ସାଧାରଣ ନିର୍ବାଚନ ଶେଷ ହେବା ପରେ ବିଧାନସଭା ନିର୍ବାଚନ ପାଇଁ ଖୁବଶୀଘ୍ର ତାରିଖ ଘୋଷଣା ହେବ ।
ଏହା ମଧ୍ୟ ପଢନ୍ତୁ :- 2024 ମହାମୁକାବିଲା ପାଇଁ ବାଜିଲା ବିଗୁଲ: 19 ଏପ୍ରିଲରୁ 7 ପର୍ଯ୍ୟାୟରେ ଭୋଟ୍, ଜୁନ 4ରେ ରେଜଲ୍ଟ
ଅନ୍ୟପଟେ କେବଳ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯିବାକୁ ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ ମୁଖ୍ୟ ଫାରୁକ ଅବଦୁଲ୍ଲା ସମାଲୋଚନା କରିଛନ୍ତି । ସାଧାରଣ ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥା କରାଯାଇ ପାରିବ, କିନ୍ତୁ ବିଧାନସଭା ନିର୍ବାଚନ ପାଇଁ କେମିତି ନୁହେଁ ବୋଲି ପ୍ରଶ୍ନ କରିଛନ୍ତି ଫାରୁକ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ