ଓଡିଶା

odisha

ପୂଜା ଫୋକସରେ ପ୍ଲାଷ୍ଟର ଅଫ ପ୍ୟାରିସ, ମାଟି କାରିଗରଙ୍କ ହାତି ଖାଲି

By

Published : Aug 29, 2019, 7:27 PM IST

ଆଧୁନିକତାର ଛାପ ତଳେ ମଳିନ ପଡିଯାଇଛି ପରମ୍ପରା । ମାଟିର ପବିତ୍ରତା ଓ ସୁଗନ୍ଧକୁ ଫିକା କରୁଛି ଧଳା ଚୂନ ପ୍ଲାଷ୍ଟର ଅଫ ପ୍ୟାରିସ । ମର୍ଡର୍ଣ୍ଣ ସଭ୍ୟତା ଭିତରେ ହଜିଗଲାଣି କୌଳିକ ବୃତ୍ତି । ଯେଉଁଥିପାଇଁ ପବିତ୍ର ଗଣେଷ ପୂଜା ଅବସରରେ ବି ଖାଲିପଡିଛି ପାରଳାଖେମୁଣ୍ଡିର ମାଟି ମୂର୍ତ୍ତି କାରିଗରଙ୍କ ହାତ ।

ଡିଜାଇନ ଫଟୋ


ଗଜପତି: ଆଉ କିଛି ଦିନ ପରେ ବିଘ୍ନରାଜ ଗଣେଷଙ୍କ ପୁଜା ଆରମ୍ଭ ହେବ । ଏହାକୁ ନେଇ ଚଳଚଞ୍ଚଳ ଚର୍ତୁପାର୍ଶ୍ବ । କିନ୍ତୁ ପାରମ୍ପାରିକ ବୃତ୍ତି କରୁଥିବା ପାରଳାଖେମୁଣ୍ଡିର ମାଟି ମୂର୍ତ୍ତି କାରିଗର ଏବେ କୌଳିକ ବୃତ୍ତି ଛାଡିବା ଉପରେ । ଆଉ ଏହାର କାରଣ ବଜାରରେ ବିକ୍ରି ହେଉଥିବା ପ୍ଳାଷ୍ଟର ଅଫ ପ୍ୟାରିସ ମୂର୍ତ୍ତି ।

ଭିଡିଓ ସୌଜନ୍ୟ-ପ୍ରତିନିଧି, ଗଜପତି

ଅଳ୍ପ ଖର୍ଚ୍ଚରେ ଶସ୍ତା ସୁନ୍ଦର ସାଙ୍ଗକୁ ଆକର୍ଷଣୀୟ ରୂପରେ ବଜାରରେ ପ୍ଲାଷ୍ଟର ଅଫ ପ୍ୟାରିସର ଗଣେଷ ମୂର୍ତ୍ତି ମିଳିଯାଉଛି । ଏଥିପାଇଁ ସହରର ବିଭିନ୍ନ ସ୍ଥାନରେ ବିଘ୍ନରାଜଙ୍କର ଦୋକାନ ଖୋଲି ବସିଛନ୍ତି ବେପାରୀ । ଚାହିଦା ଅଧିକ ରହୁଥିବାରୁ ଲାଭ ବି ଅଧିକ ହେଉଛି । ଏପଟେ କିନ୍ତୁ ମାଟି ମୂର୍ତ୍ତି କରୁଥିବା କାରଗରଙ୍କ ହାତ ଖାଲି । ଫଳରେ ଗୁଜୁରାଣ ମେଣ୍ଟାଇବାକୁ କିଏ ଅନ୍ୟ ବ୍ୟବସାୟ କରୁଛି ତ ପୁଣି କିଏ ଦାଦନ ଖଟିବାକୁ ବାଧ୍ୟ ହେଉଛି ।

ପାର୍ବଣର ରୁତୁ ଆସିଲେ କାରିଗରଙ୍କ ପୂରା ପରିବାର 2ମାସ ଧରି ଲାଗିପଡନ୍ତି ମୁଣ୍ମୟ ମୂର୍ତ୍ତି ତିଆରିରେ । ଏଥିରୁ ଉପାର୍ଜିତ ଧନ ବର୍ଷକର ଖର୍ଚ୍ଚ ତୁଲାଉଥିଲେ । ହେଲେ ବର୍ତ୍ତମାନ ପରିସ୍ଥିତି ଏଭଳି ହେଇଛି ଯେ, ଗ୍ରାହକ ପୂର୍ବରୁ ଅଗ୍ରୀମ ଟଙ୍କା ନହେଲେ ମୂର୍ତ୍ତି ତିଆରି କରିବାକୁ ଡରୁଛନ୍ତି କାରିଗର । ପୂର୍ବରୁ ପାରଳାଖେମୁଣ୍ଡିରେ 30ଗୋଟି ପରିବାର ମୂର୍ତ୍ତି ନିର୍ମାଣ କରି ଗୁଜରାଣ ମେଣ୍ଟାନ୍ତି । ହେଲେ ଏବେ ସମସ୍ୟା ଭିତରେ ଛନ୍ଦିହୋଇ ମାତ୍ର 5ରୁ 10 ଟି ପରିବାର ଏହି ବୃତ୍ତିକୁ ଜୀବିକା କରିଛନ୍ତି ।


ସେପଟେ ପ୍ଲାଷ୍ଟର ଅଫ ପ୍ୟାରିସ ମୂର୍ତ୍ତି ପୂଜାକୁ ନେଇ ପଣ୍ଡିତ ବି ଅସନ୍ତୋଷ । ବୈଦିକ ରିତିନୀତିକୁ ଅଣଦେଖା କରି ଭିନ୍ନ ଭିନ୍ନ ବିକୃତ ଶୈଳୀର ମୂର୍ତ୍ତି ପୂଜା ପାଉଛନ୍ତି । ଯାହାକି ପରିବେଶ ପ୍ରତି ବିପଦ ସାବ୍ୟସ୍ଥ ହେଉଛି । ଏପଟେ ଏ ନେଇ କଣ ପଦକ୍ଷେପ ରହିଛି ବୋଲି ପ୍ରଶ୍ନରେ ପୌର ନିର୍ବାହୀ ଅଧିକାରୀକହିଛନ୍ତି ଯେ, ମାଟିରେ ମୂର୍ତ୍ତି ତିଆରି ସହ ପ୍ରାକୃତିକ ରଙ୍ଗ ବ୍ୟବହାର ପାଇଁ ପ୍ରଦୁଷଣ ବୋର୍ଡର ନିୟମ ରହିଛି । କିନ୍ତୁ ଏହାକୁ ଅମାନ୍ୟ କରି ଯେଉଁମାନେ ପ୍ଲାଷ୍ଟର ଅଫ ପ୍ୟାରିସରେ ନିର୍ମିତ ମୂର୍ତ୍ତି ବ୍ୟବହାର କରୁଛନ୍ତି କିମ୍ବା ବିକ୍ରି କରୁଛନ୍ତି ସେମାନଙ୍କୁ ଏହାକୁ ବନ୍ଦ କରିବା ପାଇଁ ତାଗିଦ କରାଯିବ । ଯଦି ସେମାନେ ନଶୁଣିଲେ ତେବେ ଆଇନ ଆନୁସାରେ ଆଗାମୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ।

ତେବେ ଏହି ସମସ୍ୟା କେବଳ ପାରଳାଖେଣୁଣ୍ଡିର ନୁହେଁ ସାରା ବିଶ୍ବର । କେବଳ ପର୍ବପର୍ବାଣୀ ପାଳନ କରି ଚୁପ ରହିଗଲେ ହେବନି । ବରଂ ଧାର୍ମିକ ଭାବନା ସହ ପରମ୍ପରାକୁ ବଜାୟ ରଖି ପରିବେଶ ସୁରକ୍ଷା କରିବାକୁ ଚେଷ୍ଟା କରିବା ଦରକାର ।


ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details