ପୁରୀ: ଅଣସର ଗୃହରେ ଜ୍ବରାକ୍ରାନ୍ତ ହୋଇ ଗୁପ୍ତ ଭାବେ ଉପଚାର ହେଉଥିଲେ ଶ୍ରୀଜିଉ । ଆଜି ଜ୍ୱରରେ ପୀଡିତ ଶ୍ରୀଜିଉ ସୁସ୍ଥ ହୋଇଛନ୍ତି । ଦଇତା ସେବକ ଓ ପତି ସେବକମାନେ ଶ୍ରୀଜିଉଙ୍କ ଶ୍ରୀଅଙ୍ଗରୁ ବାହାରିଥିବା କରାଳ ଚନ୍ଦନ, ଚନ୍ଦନ ଓ ପାଟ ଡୋର ରୂପାଥାଳିରେ ଧରି ଶ୍ରୀନଅର ଆସି ଗଜପତିଙ୍କୁ ସୁସ୍ଥତାର ବାର୍ତ୍ତା ଦେଇଛନ୍ତି । ରଥଯାତ୍ରା ପ୍ରସ୍ତୁତି ପାଇଁ ଗଜପତିଙ୍କୁ ବାର୍ତ୍ତା ଦେଇଛନ୍ତି ସେବାୟତ ।
ସେପଟେ ଆଉ ମାତ୍ର 3 ଦିନ ପରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଥିବାରୁ 3 ରଥର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସେହିପରି ରଥଯାତ୍ରାରେ ପ୍ରବଳ ଭକ୍ତଙ୍କ ସମାଗମ ହେବାକୁ ଥିବାବେଳେ ରାଷ୍ଟ୍ରପତି ମଧ୍ୟ ଏହି ବିଶ୍ବ ପ୍ରସିଦ୍ଧ ରଥଯାତ୍ରାରେ ସାମିଲ୍ ହେବାକୁ ଯାଉଛନ୍ତି । ତେଣୁ ଜିଲ୍ଲା, ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ସମସ୍ତ ପ୍ରସ୍ତୁତିକୁ ଜୋରଦାର କରାଯାଉଛି । ଆସନ୍ତା ଜୁଲାଇ 7 ତାରିଖରେ ମହାପ୍ରଭୁଙ୍କ ରଥଯାତ୍ରା । ଚଳିତବର୍ଷ ଗୁଣ୍ଡିଚା ଯାତ୍ରା ଦିନ ନେତ୍ରୋତ୍ସବ, ନବ ଯୌବନ ଦର୍ଶନ ପଡୁଛି । ତେଣୁ ନୀତି ଅଧିକ ଥିବାରୁ ଚଳିତ ନବ ଯୌବନ ଦର୍ଶନକୁ ଭକ୍ତଙ୍କ ପାଇଁ ବନ୍ଦ କରାଯାଇଛି । ଚଳିତ ରଥଯାତ୍ରା ଦୁଇ ଦିନ ଅନୁଷ୍ଠିତ ହେବ । 7 ତାରିଖ ଅପରାହ୍ନ 5ଟାରେ ରଥ ଟାଣିବେ ଭକ୍ତ । ପରଦିନ 8 ତାରିଖରେ ମଧ୍ୟ ଭକ୍ତ ରଥ ଟାଣିବେ । 2 ଦିନ ରଥ ଯାତ୍ରା ଅନୁଷ୍ଠିତ ହେବ ।
ସେପଟେ ଶ୍ରୀନହରକୁ ଆଜି ରାଜପ୍ରସାଦ ବିଜେ ନୀତି ସମ୍ପାଦିତ ହେବା ପରେ ଗଜପତି ଦିବ୍ୟସିଂହ ଦେବ ଦଇତାପତି ସେବାୟତଙ୍କ ସହ ଆଲୋଚନା କରିଛନ୍ତି । ଆଗାମୀ ରଥଯାତ୍ରାରେ କିଭଳି ନୀତିକାନ୍ତି ଶୃଙ୍ଖଳିତ ହେବ, ନୀତି ତ୍ୱରାନ୍ୱିତ ହେବ, ୫୩ ବର୍ଷ ପରେ ହେଉଥିବା ବିରଳ ରଥଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ସମ୍ପାଦନା କରିବା ଓ ଭକ୍ତଙ୍କ ଦର୍ଶନ ନେଇ ଦଇତାପତିଙ୍କ ସହ ଗଜପତି ଆଲୋଚନା କରିବା ସହ ପରାମର୍ଶ ଦେଇଛନ୍ତି । ବିଶେଷ କରି ଚଳିତ ବର୍ଷ ରଥଯାତ୍ରା 2 ଦିନ ପଡ଼ୁଥିବାରୁ ଦୁଇ ଦିନର ନୀତିକୁ କିଭଳି ଗୋଟିଏ ଦିନରେ କରାଯାଇପାରିବ, ଅପରାହ୍ନ ୨ଟା ସୁଦ୍ଧା ପହଣ୍ଡି ଓ ଅପରାହ୍ନ ୫ଟାରେ ରଥଟଣା ପାଇଁ ଗଜପତି ପରାମର୍ଶ ଦେଇଛନ୍ତି ।
୧୯୭୧ ମସିହାରେ ଯେଭଳି ରଥଯାତ୍ରା ସମ୍ପନ୍ନ ହୋଇଥିଲା, ଯେଉଁଭଳି ନୀତି କାନ୍ତି କରାଯାଇଥିଲା ଠିକ ସେହିଭଳି ଢଙ୍ଗରେ ଚଳିତ ବର୍ଷ ନୀତିକାନ୍ତି କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ପୂର୍ବରୁ ନୀତି ସବ-କମିଟି, ଛତିଶା ନିଯୋଗ ଓ ପରିଚାଳନା କମିଟି ବୈଠକ ବସି ନୀତି ନିର୍ଘଣ୍ଟ ହୋଇଛି । ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁପାଳନ କରିବା ପାଇଁ ଗଜପତି ଆଜି ଆଲୋଚନା ବେଳେ ପରାମର୍ଶ ଦେଇଛନ୍ତି । ପୂର୍ବ ବର୍ଷମାନଙ୍କ ତୁଳନାରେ ଚଳିତ ବର୍ଷ ରଥଯାତ୍ରାରେ ଭକ୍ତଙ୍କ ସଂଖ୍ୟା ବଢିବାର ସମ୍ଭାବନା ରହିଛି । ଏଥିପାଇଁ ଜିଲ୍ଳା ପ୍ରଶାସନ ଓ ରାଜ୍ୟ ସରକାର ଆବଶ୍ୟକ ସମସ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି ।
ସେହିପରି ଭିତର ରତ୍ନଭଣ୍ଡାର ଖୋଲିବା ଉପରେ ମତ ରଖିଛନ୍ତି ଗଜପତି । ଆସନ୍ତା ୫ ତାରିଖରେ ଜଷ୍ଟିସ ଅରଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଭିତର ରତ୍ନଭଣ୍ଡାର ଖୋଲିବା ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଏହା ଏକ ଶୁଭ ସୂଚନା ବୋଲି ସେ କହିଛନ୍ତି । ଏଥର ରଥଯାତ୍ରାରେ ଭାରତର ମହାମହିମ ରାଷ୍ଟ୍ରପତି ସାମିଲ ହେବାକୁ ଥିବାରୁ ଏହା ଏକ ଖୁସି ଓ ଗର୍ବର କଥା । ସେ ଜଣେ ଓଡ଼ିଆ ହୋଇଥିବାରୁ ଏହା ସମସ୍ତଙ୍କ ପାଇଁ ଅତ୍ୟନ୍ତ ଖୁସି ଖବର ବୋଲି କହିଛନ୍ତି ଗଜପତି । ସେହିପରି ୫୩ ବର୍ଷ ପରେ ହେଉଥିବା ବିରଳ ରଥଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ସାରିବା ପାଇଁ ଭିଭିଆଇପି, ଭିଆଇପିଙ୍କ ପହଣ୍ଡି ଦର୍ଶନ ଉପରେ କଟକଣା ରହିବା ଆବଶ୍ୟକ ବୋଲି ସେ ପରାମର୍ଶ ଦେଇଛନ୍ତି ।
ଇଟିଭି ଭାରତ, ପୁରୀ