ନୂଆଦିଲ୍ଲୀ: ସୁଇସ ଓପନ ବ୍ୟାଡମିଣ୍ଟନରେ ଭାରତକୁ ସଫଳତା । ଅଭିଜ୍ଞ ଖେଳାଳି ସାତ୍ତ୍ବିକସାଇରାଜ ରଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ଡବଲ୍ସରେ ପ୍ରଥମ ଥର ଟାଇଟଲ ଜିତିଛନ୍ତି । ଡବଲ୍ସ ଫାଇନାଲରେ ଚୀନର ରେନ ଜିୟାଙ୍ଗ ୟୁ ଓ ଟାନ କିୟାଙ୍ଗ ଯୋଡିକୁ ପରାସ୍ତ କରି ସ୍ବର୍ଣ୍ଣ ଜିତିଛନ୍ତି ଏହି ଭାରତୀୟ ଯୋଡି । ମ୍ୟାଚ ଜିତିବାକୁ ଉଭୟଙ୍କୁ 54 ମିନିଟ ଲାଗିଥିଲା । ସ୍ବିଜରଲାଣ୍ଡର ବାସେଲ ଠାରେ ସୁଇସ ଓପନ ଜାରି ରହିଛି ।
ଦ୍ବିତୀୟ ସିଡ ମାନ୍ୟତା ପାଇଥିବା ଏହି ଭାରତୀୟ ଯୋଡିଙ୍କୁ ଭଭୟ ଗେମରେ କଡା ମୁକାବିଲାର ସାମ୍ନା କରିବାକୁ ପଡିଥିଲା । ହେଲେ ଚୀନ ଯୋଡି କରିଥିବା ଭୁଲର ଫାଇଦା ଉଠାଇ ଟାଇଟଲ ଜିତିବାରେ ସଫଳ ହୋଇଛନ୍ତି ଚିରାଗ ଓ ସାତ୍ତ୍ବିକ । ଫାଇନାଲ ମୁକାବିଲାରେ ଚୀନ ଯୋଡିକୁ 21-19, 24-22 ସେଟରେ ପରାସ୍ତ କରି ସ୍ବର୍ଣ୍ଣିମ ସଫଳତା ହାସଲ କରିଛନ୍ତି । ପୂର୍ବ ସପ୍ତାହରେ ସାତ୍ତ୍ବିକ ଚିରାଗ ଯୋଡି ଅଲ ଇଂଲଣ୍ଡ ଚାମ୍ପିଅନସିପ ଦ୍ବିତୀୟ ଦିବସରେ ବାଦ ପଡିଥିଲେ । ଭାରତୀୟ ଯୋଡି ପାଇଁ ଏହା ପଞ୍ଚମ ବିଶ୍ବ ଟୁର ଟାଇଟଲ । ଉଭୟ ଫାଇନାରେ ଆଟାକିଂ ମୁଡରେ ଖେଳିଥିଲେ । ପ୍ରତିନ୍ଦ୍ବନ୍ଦୀଙ୍କୁ ଡିଫେଣ୍ଡ କରିଥିଲେ । ଅଲ ଇଂଲଣ୍ଡ ଚାମ୍ପିଅନସିପରୁ ବାଦ ପଡିବା ପରେ ଏହା ଭାରତ ପାଇଁ ପ୍ରଥମ ଟାଇଟଲ । ଏହି ଯୋଡି 2022 ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ବର୍ଣ୍ଣ ପଦକ ଜିତିଥିଲେ ।