ହାଇଦ୍ରାବାଦ:ଆଜି ବ୍ରିଟେନ ସରକାରରେ ବଡ ଧରଣର ଅଦଳବଦଳ ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ଆଶ୍ଚର୍ଯ୍ୟଜନକ ଭାବେ କ୍ୟାବିନେଟକୁ ଫେରିଛନ୍ତି ଲ’ ମେକର ନଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଡେଭିଡ କ୍ୟାମରୁନ । ପୂର୍ବରୁ ପ୍ରଧାନମନ୍ତ୍ରୀ ଦାୟିତ୍ବ ସମ୍ଭାଳି ସାରିଥିବା ଏହି ବରିଷ୍ଠ ନେତା ଏବେ ଋଷି ସୁନକଙ୍କ କ୍ୟାବିନେଟରେ ବିଦେଶ ମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ।
କ୍ୟାମରୁନ 2010 ରୁ 2016 ପର୍ଯ୍ୟନ୍ତ ବ୍ରିଟେନର ପ୍ରଧାନମନ୍ତ୍ରୀ ଦାୟିତ୍ବ ସମ୍ଭାଳିଥିଲେ । ତାଙ୍କ ନେତୃତ୍ବରେ ରକ୍ଷଣଶୀଳ ଦଳ (କଞ୍ଜରବେଟିବ ପାର୍ଟି) ସରକାର ଗଠନ କରିଥିଲା । ତାଙ୍କ ପରେ ବୋରିଶ ଜନସନ ବ୍ରିଟେନର ପ୍ରଧାନମନ୍ତ୍ରୀ ହୋଇଥିଲା । ଏହା ପରେ ବ୍ରିଟେନରେ ରାଜନୈତିକ ଅସ୍ଥିରତା ଦେଖାଯାଇଥିଲା । ସଂଖ୍ୟା ବହୁମତ କାରଣରୁ ଜନସନ ସରକାରର ପତନ ହୋଇଥିଲା । ମାତ୍ର ତାଙ୍କ ଦଳ କ୍ଷମତାରେ ରହିଥିଲା । ଏହା ପରେ ଦଳର ଅନ୍ୟତମ ପ୍ରମୁଖ ନେତ୍ରୀ ଲିଜ ଟ୍ରସ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ । ସେ ମଧ୍ୟ ଦାୟିତ୍ବ ନେବାର କିଛି ଦିନ ମଧ୍ୟରେ ରାଜନୈତିକ ଅସ୍ଥିରତା ମଧ୍ୟରେ ଇସ୍ତଫା ଦେବା ପାଇଁ ବାଧ୍ୟ ହୋଇଥିଲେ ।
ଏହା ପରେ ବ୍ରିଟିଶ ସାଂସଦ ତଥା ଭାରତୀୟ ବଂଶଜ ଋଷି ସୁନକ ବ୍ରିଟିଶ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ । ଏବେ ବ୍ରିଟେନରେ ସୁନକ ସରକାର କ୍ଷମତାରେ ରହିଛି । ଏବେ ଡେଭିଡ କ୍ୟାମରୁନ ନିର୍ବାଚିତ ଲ’ ମେକର ଭାବରେ ମଧ୍ୟ ନାହାନ୍ତି । ତେବେ ତାଙ୍କୁ ଆଜି ଅଚାନକ ସୁନକ କ୍ୟାବିନେଟରେ ବିଦେଶ ମନ୍ତ୍ରୀ ଭାବେ ଦାୟିତ୍ବ ମିଳିଛି । ତେବେ ସରକାରୀ ସୂତ୍ରର ମିଳିଥିବା ସୂଚନା ଅନୁସାରେ, ନିର୍ବାଚିତ ହୋଇନଥିବା ଡେଭିଡଙ୍କୁ ବ୍ରିଟଶ ସଂସଦର ଉଚ୍ଚସଦନ ‘ହାଉସ ଅଫ ଲର୍ଡ୍ସ’ କୁ ମନୋନୀତ କରାଯିବ ।