କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ ୧୯ ବର୍ଷ, ନ୍ୟାୟ ଦାବି ଦୋହରାଇଲେ ଆଦିବାସୀ - TRIBAL MARTYRS DAY
Published : Jan 2, 2025, 3:32 PM IST
Tribal Martyrs Day: ଯାଜପୁର: 2006 ଜାନୁଆରୀ 2 ତାରିଖରେ ଘଟିଥିବା କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ ୧୯ ବର୍ଷ ବିତିଯାଇଛି । ହେଲେ ଏବେ ବି ନ୍ୟାୟ ଅପେକ୍ଷାରେ ମୃତାହତଙ୍କ ପରିବାର । ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଏମାନେ ପାଳୁଛନ୍ତି ଶହୀଦ ସ୍ମାରକୀ ଦିବସ।
କ'ଣ ଥିଲା ସେଦିନର ଘଟଣା?
2006 ଜାନୁଆରୀ 2ରେ ଟାଟା କମ୍ପାନୀ ପାଇଁ ଜମି ଅଧିଗ୍ରହଣ ଏବଂ ପାଚେରୀ ନିର୍ମାଣକୁ ବିରୋଧ କରି ଚମ୍ପାକୋଇଲ ଠାରେ ପୋଲିସ ଓ ଆଦିବାସୀଙ୍କ ମଧ୍ୟରେ ଘଟିଥିଲା ସଙ୍ଘର୍ଷ । । କମ୍ପାନୀ ଓ ସରକାର ବିରୋଧୀ ନାରା ଦେଇଥିଲେ ଅଞ୍ଚଳବାସୀ । ଏହି ସଂଘର୍ଷ ବେଳେ ପୋଲିସ ଗୁଳିରେ 14 ଆଦିବାସୀ ପ୍ରାଣ ହରାଇଥିଲେ । ସେପଟେ ଆଦିବାସୀଙ୍କ ପାଲଟା ଆକ୍ରମଣରେ ଜଣେ ପୋଲିସ ହାବିଲଦାରଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା । ଗୁଳିକାଣ୍ଡ ଘଟଣାର ତଦନ୍ତ ରିପୋର୍ଟ ପ୍ରକାଶ ପାଇଥିଲା । ହେଲେ ଏଥିରେ କାହାରିକୁ ଦୋଷୀ କରାଯାଇ ନଥିଲା।
ଶହୀଦ ସ୍ମୃତି ଦିବସ:
ସେହି ଅଭୁଲା ସ୍ମୃତିକୁ ମନେ ପକାଇବା ପାଇଁ ପ୍ରତିବର୍ଷ ଭଳି ଆଜିର ଦିନକୁ ଶହୀଦ ସ୍ମୃତି ଦିବସ ଭାବେ ପାଳନ କରନ୍ତି ଏଠାକାର ସ୍ଥାନୀୟ ଆଦିବାସୀ । ବିସ୍ଥାପନ ବିରୋଧୀ ଜନମଞ୍ଚର ଏକ ବିରାଟ ଶୋଭାଯାତ୍ରା ଚମ୍ପାକୋଇଲ ଠାରୁ ବାହାରି ଡୁବୁରୀ ଛକ ଦେଇ ଆମ୍ବଗାଡ଼ିଆ ବୀରଭୂମି ପଡିଆଠାରେ ପହଞ୍ଚିଥିଲେ । ସେଠାରେ ଏକ ସାଧାରଣସଭା ମାଧ୍ୟମରେ ସ୍ମୃତିଚାରଣ କରିଛନ୍ତି ସ୍ଥାନୀୟ ଆଦିବାସୀ । ବିସ୍ଥାପନ ବିରୋଧୀ ଆଦିବାସୀ ନେତା ବାବୁଲି ପୂର୍ତ୍ତି କହିଛନ୍ତି, "ନିଜ ହକ ପାଇଁ ଆଗକୁ ମଧ୍ୟ ଏହି ଲଢେଇ ଜାରି ରହିବ ।" ଅନ୍ୟପଟେ ଜିଲ୍ଲା ପୋଲିସ ପକ୍ଷରୁ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ୬ ପ୍ଲାଟୁନ ପୋଲିସ ଫୋର୍ସ, ୨ ଜଣ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ୍, ୫୪ ଜଣ ହୋମଗାର୍ଡ, 7 ଜଣ ଥାନା ଅଧିକାରୀ, 4 ଜଣ ଡିଏସପି, ଜଣେ ଅତିରିକ୍ତ ଏସପିଙ୍କୁ ଦାୟିତ୍ବ ଦିଆଯାଇଥିଲା ।
ଇଟିଭି ଭାରତ, ଯାଜପୁର