ବିଜୟ ପରେ ମହାପ୍ରଭୁଙ୍କୁ ଦର୍ଶନ କଲେ ସମ୍ବିତ ପାତ୍ର ଓ ସୂରଜ ସୂର୍ଯ୍ୟବଂଶୀ - Sambit And Suraj Visits Jagannath Temple - SAMBIT AND SURAJ VISITS JAGANNATH TEMPLE
Published : Jun 5, 2024, 10:52 PM IST
Sambit And Suraj Visits Lord Jagannath Temple: ପୁରୀ: ସାଂସଦ ଭାବେ ନିର୍ବାଚିତ ହେବା ପରେ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଆଜି ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ସେହିପରି ଧାମନଗର ନିର୍ବାଚନ ମଣ୍ଡଳୀରୁ ନବ ନିର୍ବାଚିତ ବିଜେପି ବିଧାୟକ ସୁରଜ ସୂର୍ଯ୍ୟବଂଶୀ ମଧ୍ୟ ବିଜୟୀ ହେବା ପରେ ମହାପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ଲାଭ କରିଛନ୍ତି ।
ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ସମ୍ବିତ କହିଛନ୍ତି, "ମହାପ୍ରଭୁଙ୍କ ଇଚ୍ଛାରେ ଓ ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ଏହି ପରିବର୍ତ୍ତନ ହୋଇଛି । ଏହି ପରିବର୍ତ୍ତନ ଦ୍ଵାରା ଓଡ଼ିଶାର ବିକାଶ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗ୍ୟାରେଣ୍ଟିକୁ ଓଡିଶାବାସୀ ଭରସା କରି ଏହି ଜନାଦେଶ ଦେଇଛନ୍ତି । ସାରା ଭାରତରେ ବିକାଶର ଗତି ଆଗେଇ ଚାଲିଛି । ଶ୍ରୀମନ୍ଦିର ରତ୍ନଭଣ୍ଡାର, ଶ୍ରୀମନ୍ଦିର ଚାରିଦ୍ଵାର ଖୁବ ଶୀଘ୍ର ଖୋଲାଯିବ । ମୋଦିଙ୍କ ଇସ୍ତାହାରକୁ ପ୍ରତ୍ୟେକ ଲୋକଙ୍କ ନିକଟରେ ପହଞ୍ଚାଯିବ ।" ତେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ ହେବ ପ୍ରଶ୍ନର ଉତ୍ତର ଦେଇ ସମ୍ବିତ କହିଛନ୍ତି, "ଏହା ବିଜେପିର ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବ । ମୁଁ ଦଳର ଜଣେ ସାଧାରଣ କର୍ମୀ । ଏହା ଉପରେ ମତ ଦେଇ ପାରିବି ନାହିଁ ।"
ସେପଟେ ଧାମନଗରରୁ ବିଜେପି ପ୍ରାର୍ଥୀ ଭାବେ ଲଢି ବିଜୟୀ ହୋଇଥିବା ସୁରଜ ସୂର୍ଯ୍ୟବଂଶୀ ମଧ୍ୟ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ସୁରଜ କହିଛନ୍ତି,"ଏକ ବିଦେଶୀ ଶାସନ କବଳରୁ ମହାପ୍ରଭୁ ଓଡ଼ିଶାବାସୀଙ୍କୁ ରକ୍ଷା କରିଛନ୍ତି । ଏହି ନିର୍ବାଚନ ଫଳାଫଳ ତାହା ପ୍ରମାଣିତ କରିଛି । ଭକ୍ତ ଭାବେ ମହାପ୍ରଭୁଙ୍କ ନିକଟକୁ ଆସି ନିଜକୁ ସମର୍ପଣ କରିଛି । ଆଗାମୀ 5 ବର୍ଷ କିଭଳି ଲୋକଙ୍କ ସେବା କରିପାରିବି ସେନେଇ ମହାପ୍ରଭୁ ଶକ୍ତି ଦିଅନ୍ତୁ ବୋଲି ସେ ପ୍ରାର୍ଥନା କରିଛି । ମହାପ୍ରଭୁଙ୍କ ପ୍ରତି ଅପମାନ ହେଉଛି ଓଡ଼ିଶା ନିର୍ବାଚନ ଜନାଦେଶ । ଏହାର ଜବାବ ଓଡ଼ିଶାବାସୀ ଦେଇଛନ୍ତି । ଏହାର ଶ୍ରେୟ ହେଉଛନ୍ତି ନିଜେ ମହାପ୍ରଭୁ ।"
ଇଟିଭି ଭାରତ, ପୁରୀ