ଅବିର ବାଣ୍ଟିଲା ପ୍ରେମର ବାର୍ତ୍ତା, ବାଲେଶ୍ବରରେ ପ୍ରେମ ଫଗୁଣର ହୋଲି ଉତ୍ସବ - Holi 2024 - HOLI 2024
Published : Mar 25, 2024, 1:14 PM IST
Holi Celebrations in Balasore: ବାଲେଶ୍ବର: ଆଜି ପବିତ୍ର ଦୋଳପୂର୍ଣ୍ଣିମା । ଆସନ୍ତକାଲି ଆନନ୍ଦ ଓ ଭାଇଚାରାର ପର୍ବ ହୋଲି । ହୋଲିକୁ ନେଇ ସାରା ଦେଶରେ ଆୟୋଜିତ ହେଉଛି ଭଳିକ ଭଳି କାର୍ଯ୍ୟକ୍ରମ । ଆଉ ଏଭଳି ସମୟରେ ବାଲେଶ୍ୱର ସହରର ଶାନ୍ତି କାନନ ଠାରେ ପ୍ରେମ ଫଗୁଣର 15 ତମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ଆଇଟିଆରର ସହକାରୀ ନିର୍ଦ୍ଦେଶକ ନୀଳାଦ୍ରୀ ରାୟ, ପୌରାଧ୍ୟକ୍ଷା ସବିତା ସାହୁ, ଫକୀର ମୋହନ ବିଶ୍ଵବିଦ୍ୟାଳୟ ଆଇନ ବିଭାଗ ମୁଖ୍ୟ ଡ଼.ବିନୟ ଦାସ, ରମାଦେବୀ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷା ଉର୍ମିଳା ଦାସ ପ୍ରମୁଖ ଯୋଗ ଦେଇ ପରସ୍ପର ମଧ୍ୟରେ ରଙ୍ଗ ବୋଳାବୋଳି ହୋଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ।
ଏହି ପ୍ରେମ ଫଗୁଣ କାର୍ଯ୍ୟକ୍ରମ ସମସ୍ତଙ୍କ ମଧ୍ୟରେ ଏକ ଭାଇଚାରା ସୃଷ୍ଟି କରିଥିବାର ଅତିଥିମାନେ ମତବ୍ୟକ୍ତ କରିଥିଲେ । ସେହିପରି ଚିତ୍ରଶିଳ୍ପୀ କେଶୁ ଦାସ ପ୍ରେମକୁ କେମିତି ଚିତ୍ରରେ ଚିତ୍ରିତ କରି ହୁଏ ସେନେଇ ରାଧାକୃଷ୍ଣଙ୍କ ପ୍ରେମ ଓ ଫଗୁର ସମ୍ପର୍କକୁ ନେଇ କାନଭାସରେ ସହଯୋଗୀଙ୍କ ସହ ଆଙ୍କିଥିଲେ । ଅନ୍ୟପଟେ ନନ୍ଦକିଶୋର ଦାସ ସନ୍ତୁର ବାଦନ କରିଥିବା ବେଳେ ଗାୟକମାନଙ୍କ ଦ୍ୱାରା ସଙ୍ଗୀତ ପରିବେଷଣ କରାଯାଇଥିଲା । ଗୋଟିଏ ଜାଗାରେ ହିଁ ପ୍ରେମ କବିତା, ଚିତ୍ର, ସଙ୍ଗୀତର ସମିଶ୍ରଣରେ ପ୍ରେମ ଫଗୁଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଯେଉଁଠି ସବୁକିଛି ଭୁଲି କିଛି ସମୟ ପାଇଁ ସମସ୍ତେ ମଜ୍ଜି ଯାଇଥିଲେ ପ୍ରେମର ରଙ୍ଗରେ । ହଜାଇ ଦେଇଥିଲେ ନିଜକୁ, ରଙ୍ଗ ବୋଳାବୋଳି ହୋଇ ବାଣ୍ଟିଥିଲେ ପ୍ରେମର ବାର୍ତ୍ତା ଓ ଭାଇଚାରାର କଥା ।
ଏହା ମଧ୍ୟ ପଢନ୍ତୁ-ଗଛଲତାଙ୍କ ସହ ହୋଲି ଖେଳିଲେ ପରିବେଶବ୍ରେମୀ
ଇଟିଭି ଭାରତ, ବାଲେଶ୍ବର