ବିଜେଡ଼ି ପ୍ରଚାରରେ କମ୍ପୁଛି ମୟୂରଭଞ୍ଜ ମୈଦାନ, ସାରସକଣାରେ ଶୋଭାଯାତ୍ରା ବେଳେ ଟେକା ପଥର ମାଡ଼ - BJD Campaign In Mayurbhanj - BJD CAMPAIGN IN MAYURBHANJ
Published : May 22, 2024, 11:48 AM IST
ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଉ ଅଳ୍ପ ଦିନ ବାକି ରହିଥିବା ବେଳେ ବିଭିନ୍ନ ରାଜନୈତିକ ଦଳର ପ୍ରଚାର ଜୋରଦାର ହେବାରେ ଲାଗିଛି । ଏହି କ୍ରମରେ ଜିଲ୍ଲାରେ ବିଜେଡ଼ି ପକ୍ଷରୁ ପ୍ରଚାରକୁ ଅତି ଜୋରଦାର କରାଯାଇଛି । ଏହି ସମୟରେ ଭିକେ ପାଣ୍ଡଆନ ଜିଲ୍ଲାରେ ବିଜେଡ଼ି ପାଇଁ ପ୍ରଚାର କରିଥିବା ବେଳେ ପ୍ରାର୍ଥୀ ମଧ୍ୟ ଯୋଡ଼ି ଶଙ୍ଖରେ ଭୋଟ ଦେବାକୁ ଲୋକଙ୍କୁ ନିବେଦନ କରିଛନ୍ତି । ସେପଟେ ବିଜେଡ଼ିର ଶୋଭାଯାତ୍ରାରେ ସାରସକଣାରେ ଦୁର୍ବୃତ୍ତ ଟେକା ପଥର ମାଡ଼ କରିଛନ୍ତି । ପଳରେ ଘଟଣାରେ ଦୁଇ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଜଣେ ଶିଶୁ ରହିଛି ।
ସାରସକଣା ନିର୍ବାଚନ ମଣ୍ଡଳୀରେ ଟେକାପଥର ମାଡ଼
ବିଜେଡ଼ିର ପ୍ରଚାର ସମୟରେ ଦୁର୍ବୃତ୍ତଙ୍କ ପଥର ମାଡ଼ ଯୋଗୁଁ ଦୁଇ ଜଣ ଆହତ ହୋଇଛନ୍ତି । ଆଜି ସାରସକଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଜାତଳା ବ୍ଲକ ର ଅସନା ଗାଁରେ ପ୍ରଚାର ଶୋଭାଯାତ୍ରା ସମୟରେ ପଥର ମାଡ଼ ହୋଇଛି । ଫଳରେ ବିଜେଡିର ବିଧାୟକ ପ୍ରାର୍ଥୀ ଡ଼ଃ ଦେବାଶିଷ ମାର୍ଣ୍ଡି ଅଳ୍ପକେ ବର୍ତ୍ତି ଯାଇଥିଲେ ହେଲେ ଦୁଇ ଜଣ ଆହତ ହୋଇଛନ୍ତି । ତୁରନ୍ତ ଉଭୟଙ୍କୁ ଉଦ୍ଧାର କରି ସ୍ଥାନୀୟ ବିଜାତଳା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ଉଭୟ ସୁସ୍ଥ ଥିବା ଜଣାପଡିଛି । ଉକ୍ତ ଘଟଣାକୁ ଲଜ୍ଜ୍ୟାଜନକ ଘଟଣା କହିବା ସହ ବିଧାୟକ ପ୍ରାର୍ଥୀ ଡ଼ଃ ଦେବାଶିଷ ମାର୍ଣ୍ଡି ମଧ୍ୟ କଡ଼ା ନିନ୍ଦା କରିଛନ୍ତି । ଏହିପରି ନିନ୍ଦନୀୟ କାର୍ଯ୍ୟକୁ ନେଇ ଆଗାମୀ ନିର୍ବାଚନରେ ସାରସକଣା ବାସୀ ଉଚିତ ଜବାବ ଦେବେ ବୋଲି ସେ କହିଛନ୍ତି ।
କରଞ୍ଜିଆରେ ଭିକେ ପାଣ୍ଡିଆନ
ଆସନ୍ତା ୨୫ ତାରିଖରେ ମୟୂରଭଞ୍ଜ ଜିଲ୍ଲାରେ ନିର୍ବାଚନ ଅନୁଷ୍ଠିତ ହେବ । ଯାହା ପାଇଁ ପ୍ରଚାର ଜୋରଦାର ଚାଲିଛି । ଏହି ସମୟରେ କରଞ୍ଜିଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଠାକୁରମୁଣ୍ଡା ବ୍ଲକ ପଣସଡିହା ଗାଁରେ ଭିକେ ପାଣ୍ଡିଆନ ଦଳୀୟ ପ୍ରାର୍ଥୀଙ୍କ ନିର୍ବାଚନୀ ପ୍ରଚାର କରିଛନ୍ତି । ପରେ ଆୟୋଜିତ ସଭାରେ କରଞ୍ଜିଆ ନିର୍ବାଚନ ମଣ୍ଡଳୀ ର ବିଜେଡ଼ି ବିଧାୟକ ପ୍ରାର୍ଥୀ ବାସନ୍ତୀ ହେମ୍ବ୍ରମ ଓ କେନ୍ଦୁଝର ଲୋକସଭା ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ଙ୍କ ଉପସ୍ଥିତି ରେ ଉଭୟଙ୍କ ପାଇଁ ମିଳିତ ଭାବେ ଭୋଟ ଭିକ୍ଷା କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଜିତାଇବାକୁ ନିବେଦନ କରିଛନ୍ତି ।
ବାରିପଦାରେ ବିଜେଡ଼ି ପ୍ରଚାର
ବାରିପଦା ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ଦଳ ତରଫରୁ ବିଜେଡ଼ି ଲୋକସଭା ସାଂସଦ ପ୍ରାର୍ଥୀ ସୁଦାମ ମାରାଣ୍ଡି ଓ ବିଧାୟକ ପ୍ରାର୍ଥୀ ସାନନ୍ଦ ମାରାଣ୍ଡି ମାରାଥନ ପ୍ରଚାର ଜାରି ରଖିଛନ୍ତି । ଜିଲ୍ଲା ବାର କାଉନସିଲ ର ଓକିଲ ମାନଙ୍କୁ ଉଭୟ ପ୍ରାର୍ଥୀ ଭେଟିବା ସହ ଭୋଟ ପାଇଁ ଆଶୀର୍ବାଦ ଭିକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟଧାରା ଜାରି ରହିଥିବା ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଜନ ସମର୍ଥନ ଲୋଡିଛନ୍ତି । ଏଥିପାଇଁ ବିଜେଡିର ଲୋକସଭା ସାଂସଦ ପ୍ରାର୍ଥୀ ସୁଦାମ ମାରାଣ୍ଡି ଓବାରିପଦା ବିଧାୟକ ପ୍ରାର୍ଥୀ ସାନନ୍ଦ ମାରାଣ୍ଡିଙ୍କୁ ସମର୍ଥନ ଜଣାଇ ଯୋଡି ଶଙ୍ଖରେ ଭୋଟ ଦେବାକୁ ନିବେଦନ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ: ଆସନ୍ତାକାଲି କଣ୍ଟାମାଳ ବିଧାନସଭାର ୨ ବୁଥରେ ପୁଣି ଭୋଟ୍, ଉତ୍ତେଜନା ଓ ବିଭ୍ରାଟ ଯୋଗୁଁ ସାନି ମତଦାନ
ଇଟିଭି ଭାରତ, ରାଇରଙ୍ଗପୁର