ଓଡିଶା

odisha

ETV Bharat / videos

ବ୍ଲକ ଅଫିସ ଘେରିଲେ ଚାଷୀ; ଜବରଦଖଲକାରୀଙ୍କ ଉଚ୍ଛେଦ ଦାବିରେ ବିକ୍ଷୋଭ

By ETV Bharat Odisha Team

Published : Mar 18, 2024, 3:02 PM IST

Nuagaon farmers protest: ରାଉରକେଲା: ବ୍ଲକ ଅଫିସ ଘେରିଲେ ଶତାଧିକ ଚାଷୀ । ନୂଆଗାଁ ମୁଖ୍ୟ ବଜାର ଜବରଦଖଲକାରୀମାନଙ୍କୁ ଉଚ୍ଛେଦ କରିବାକୁ ନେଇ ଜୋରଦାର ବିକ୍ଷୋଭ ପ୍ରଦର୍ଶନ । ଜିଲ୍ଲା ପ୍ରଶାସନର ଟାଳଟୁଳ ନୀତି ବିରୋଧରେ ଆଜି (ସୋମବାର) ନୂଆଗାଁ ଅଞ୍ଚଳର ଶତାଧିକ ଚାଷୀ ଏକାଠି ହୋବା ସହ ନୂଆଗାଁ ମୁଖ୍ୟରାସ୍ତାକୁ ଅବରୋଧ କରି ନୂଆଗାଁ ବ୍ଲକ ଅଫିସ ଘେରାଉ କରିଛନ୍ତି । ହାଟ ଜମିରୁ ଜବରଦଖଲକାରୀଙ୍କୁ ହଟାନଗଲେ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଚାଷୀ ।

ନୂଆଗାଁ ବିଡିଓ ଜ୍ୟୋତିବିକାଶ ଦାସ ଓ ବୀରମିତ୍ରପୁର ତହସିଲଦାର ଗୌରୀ ନାୟକ ଚାଷୀମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଯେ ପର୍ଯ୍ୟନ୍ତ ଜେସିବି ଲଗାଇ ଜବରଦଖଲକାରୀଙ୍କୁ ଉଚ୍ଛେଦ କରାନଯାଇଛି, ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଜିଦ୍ ଧରିଛନ୍ତି ଚାଷୀ । ଯାହାକୁ ନେଇ ଘଟଣାସ୍ଥଳରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା ।

ବିକ୍ଷୋଭକାରୀଙ୍କ କହିବାନୁଯାୟୀ, ଉଭୟ ବିଡିଓ ଏବଂ ତହସିଲଦାର ନିର୍ବାଚନ ଆଚରଣବିଧି ଲାଗୁ ପୂର୍ବରୁ ଚିହ୍ନଟ ୯୦ ଦୋକାନ ଉଚ୍ଛେଦ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଯେଉଁମାନେ ଉଚ୍ଛେଦକୁ ବିରୋଧ କରିବେ, ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ । ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ହେଲେ ବର୍ତ୍ତମାନ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ଆନ୍ଦୋଳନ କରାଯାଇଛି ବୋଲି କହିଛନ୍ତି ।

ଏହାମଧ୍ୟ ପଢନ୍ତୁ..ଗାନ୍ଧୀମାର୍ଗରେ ବିଭିନ୍ନ ସଂଗଠନର ଶେଷ ଆନ୍ଦୋଳନ ଓ ଧାରଣା, ଦାବି ପୂରଣ ନହେଲେ ଭୋଟ ବର୍ଜନ ଚେତାବନୀ

ଅନ୍ୟପଟେ ରାସ୍ତା ଅବରୋଧ ଯୋଗୁ ମୁଖ୍ୟ ରାସ୍ତାରେ ପ୍ରାୟ ଘଣ୍ଟାଏ କାଳ ଯାନବାହନ ଚଳାଚଳ ଠପ୍ ହୋଇଯାଇଥିଲା । ତେବେ ଚାଷୀମାନଙ୍କ କହିବାନୁଯାୟୀ, ନୂଆଗାଁ ବ୍ଲକର ୨୦ଟି ପଞ୍ଚାୟତରେ ପ୍ରାୟ ସମସ୍ତ ଚାଷୀ ବର୍ଷ ତମାମ ନିଜ ଉତ୍ପାଦିତ ପନିପରିବା ବିକିବାକୁ ନୂଆ ବଜାରରେ ଦୋକାନ ଟିଏ ପାଉନାହାନ୍ତି । ବହୁବର୍ଷ ଧରି ପଞ୍ଚାୟତର ନିଜସ୍ବ ଜମିକୁ ୯୦ରୁ ଅଧିକ ଦୋକାନୀ ବେଆଇନ୍ ଭାବେ ଦଖଲକରି ସେଠାରେ ବ୍ୟବସାୟ କରୁଛନ୍ତି । ଉଚ୍ଛେଦ ପାଇଁ ପୂର୍ବରୁ ଅନେକ ସରପଞ୍ଚ ଓ ସମିତି ସଭ୍ୟ ପ୍ରଶାସନକୁ ବାରମ୍ବାର ଅନୁରୋଧ କରିଥିଲେ । ହେଲେ ପ୍ରଶାସନ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ନେଇନଥିଲା । କେବଳ ଏତିକି ନୁହେଁ, ଅନେକଥର ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ହୋଇଥିଲେ ହେଁ କୌଣସି ପଦକ୍ଷେପ ନିଆଯାଇ ନାହିଁ । ତେବେ ଯେପର୍ଯ୍ୟନ୍ତ ଦାବି ପୂରଣ ନହୋଇଛି ଏହିଭଳି ଭାବରେ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଚାଷୀମାନେ ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details