'ଏଥର ଏ ରାତି ଆମର': ନାରୀ ସୁରକ୍ଷା ପାଇଁ ଅଧରାତିରେ ରାଜଧାନୀ ରାଜରାସ୍ତାରେ ଚାଲିଲେ ମହିଳା - Kolkatala Hospital horror - KOLKATALA HOSPITAL HORROR
Published : Aug 18, 2024, 1:19 PM IST
Protest against Kolkatala Hospital horror: ଭୁବନେଶ୍ବର: କୋଲକାତାରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ-ହତ୍ୟା ଘଟଣାକୁ ନେଇ ଦେଶବ୍ୟାପୀ ଆନ୍ଦୋଳନ ତେଜୁଛି । ପୀଡିତାଙ୍କୁ ନ୍ୟାୟ ଓ ଦୋଷୀକୁ ଦଣ୍ଡ ଦାବିରେ ଚାରିଆଡେ ଡାକ୍ତର ଓ ସାଧାରଣ ଜନତା ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏହାର ପ୍ରଭାବ ଭୁବନେଶ୍ବରରେ ମଧ୍ୟ ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ରାଜଧାନୀରେ 'ଏଥର ଏ ରାତି ଆମର' କ୍ୟାମ୍ପେନ ଆରମ୍ଭ ହୋଇଛି । ନାରୀ ସୁରକ୍ଷା ଓ ସମ୍ମାନ ଦାବି କରି ଗତକାଲି (ଶନିବାର) ବିଳମ୍ବିତ ରାତିରେ ଏକାଧିକ ମହିଳା ହାତରେ ଟର୍ଚ୍ଚ ଓ ମୋବାଇଲ ଲାଇଟ୍ ଧରି ପଦଯାତ୍ରା କରିଛନ୍ତି । 'ଏଥର ଏ ରାତି ଆମର' ଓ 'ନାରୀ ପୁରୁଷ ସମାନ' ବାର୍ତ୍ତା ନେଇ କ୍ୟାପିଟାଲ ହସ୍ପିଟାଲଠାରୁ ଶିଶୁ ଭବନ ଯାଏଁ ଏହି ପଦଯାତ୍ରା ଚାଲିଥିଲା । ଆଗାମୀ ଦିନରେ ଏହି ଅଭିଯାନରେ ଆହୁରି ଅଧିକ ସଂଖ୍ୟା ମହିଳାମାନେ ସାମିଲ ହେବେ ଓ ନାରୀ ସୁରକ୍ଷା ପାଇଁ ସ୍ବର ଉଠାଇବେ ବୋଲି କହିଛନ୍ତି ଜଣାଶୁଣା ଅଭିନେତ୍ରୀ ଭାସ୍ଵତୀ ବସୁ ।
ସେ କହିଛନ୍ତି,‘‘ପୁରୁଷ ପରି ମହିଳାଟିଏ ବି ସୁରକ୍ଷିତ ଭାବେ ରାତି ୧୨ଟା ପରେ କର୍ମସ୍ଥଳୀରୁ ନିଜ ଘରକୁ ଫେରିବା ହିଁ ସମାଜର ପ୍ରକୃତ ସ୍ୱାଧୀନତା । ସେହି ପୃଷ୍ଠପୋଷକତାକୁ ନେଇ ଆଜିର ଏ କ୍ୟାମ୍ପେନ 'ଏ ରାତି ଆମର' । ଆମେ ବି ରାତିରେ ନିର୍ଭୟରେ ଯାତାୟତ କରିବୁ ସେଇ ଦୃଢ଼ତା ସବୁ ମହିଳାଙ୍କ ଭିତରେ ଜାଗ୍ରତ କରିବା ସହ ପୁରୁଷପ୍ରାଧ୍ୟାନ୍ୟ ସମାଜରେ ନାରୀ ପ୍ରତି ଥିବା ଘୃଣିତ ମାନସିକତାକୁ ପରିବର୍ତ୍ତନ ପାଇଁ ଆମେ ଏଭଳି କରିଛୁ । ଆଶା କରୁଛୁ ନାରୀ ଓ ପୁରୁଷ ବିଭେଦ ମାନସିକତା ପରିବର୍ତ୍ତନ ହେଉ ଓ ନାରୀଟିଏ ଜୀବନ ଜୀବିକାର କଷାଘାତ ଭିତରେ ସମ୍ମାନର ସହ ବଞ୍ଚୁ ।''
ଇଟିଭି ଭାରତ, ଭୁବନେଶ୍ବର