ଖଡ଼ିଆଳ ମହୋତ୍ସବ ଉଦଘାଟିତ, ମନମୋହିଲା ସାଂସ୍କୃତିକ କାର୍ଯ୍ୟକ୍ରମ
Published : Jan 30, 2024, 11:56 AM IST
Khadial Mahotsav 2024: ନୂଆପଡା: ଉଦଘାଟିତ ହୋଇଯାଇଛି ନୂଆପଡା ଜିଲ୍ଲା ଖଡ଼ିଆଳ ମହୋତ୍ସବ 2024 । ପାଞ୍ଚ ଦିନ ବ୍ୟାପୀ ଏହି ଖଡ଼ିଆଳ ମହୋତ୍ସବ ଚାଲିବ । ପ୍ରଥମ ଦିନରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମହୋତ୍ସବକୁ ଶୁଭ ଉଦଘାଟନ କରିଥିଲେ । ପ୍ରାକ ଐତିହାସିକ ଯୋଗୀମଠ ରିସିପିଟି ପର୍ଯ୍ୟଟନ କ୍ଷେତ୍ରଠାରେ ମା' ରିସିପିଟିୟାଣୀ ଦେବୀଙ୍କୁ ପୂଜାର୍ଚ୍ଚନା କରି ବିଶାଳ ମଶାଲ ଯାତ୍ରା ଆରମ୍ଭ ହୋଇଥିଲା । ପରେ ବଡ ଦଧିବାମନ ମନ୍ଦିର, ମା' ଠାକୁରାଣୀ ମନ୍ଦିର, ମା' ସମଲେଶ୍ବରୀ ମନ୍ଦିର ଦେଇ ବିଶାଳ ଶୋଭାଯାତ୍ରା ସହର ପରିକ୍ରମା କରି ମହୋତ୍ସବ ପଡ଼ିଆରେ ପହଞ୍ଚିଥିଲା । ବିଶାଳ ମଶାଲ ଯାତ୍ରାରେ ଆଦିବାସୀ ଲୋକନୃତ୍ୟ, ଦୁଲଦୁଲି, ଘୁମୁରା, ରାମକାଠି, ଘଣ୍ଟାବାଦ୍ୟ, ସଂକୀର୍ତ୍ତନ ଭଳି ଏକାଧିକ ଲୋକନୃତ୍ୟ ଲୋକବାଦ୍ୟ ସାମିଲ ଥିଲେ । ସେହିପରି ବାଜାରେ ପ୍ରକମ୍ପିତ ଖଡ଼ିଆଳ ସହରର ଘରେ ଘରେ ଶୁଭ କଳସ ସ୍ଥାପନ କରି ଆକର୍ଷଣୀୟ ଝୋଟି ଚିତ୍ତା ପକାଇ ମହୋତ୍ସବକୁ ସ୍ୱାଗତ କରିଥିଲେ ସ୍ଥାନୀୟ ଲୋକେ । ମହୋତ୍ସବ ସାଂସ୍କୃତିକ ସଭାରେ ମହୋତ୍ସବ ପାଳନ କମିଟି ସଭାପତି ଜିତେନ୍ଦ୍ର ନାଥ ପଟ୍ଟନାୟକ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଯୋଗ ଦେଇଥିଲେ । ପ୍ରଥମ ସନ୍ଧ୍ୟାରେ ସାଂସ୍କୃତିକ ନୃତ୍ୟ ଗୀତ ପରିବେଷଣ ତମାମ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିପାରିଥିଲା ।
ଏହା ମଧ୍ୟ ପଢନ୍ତୁ- ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଖଡ଼ିଆଳ ମହୋତ୍ସବ ପ୍ରସ୍ତୁତି
ଇଟିଭି ଭାରତ, ନୂଆପଡା