ଭାରତ-ଇଂଲଣ୍ଡ ବାରବାଟୀ ଲଢ଼େଇ: ଟିକଟ ପାଇଁ ରାତିରୁ ଲମ୍ବା ଲାଇନ୍ - BARABATI ODI OFFLINE TICKET SALE
Published : Feb 5, 2025, 8:22 AM IST
କଟକ: ଆସନ୍ତା ୯ ତାରିଖ ଦିନ କଟକ ବାରବାଟୀ ଷ୍ଟାଡିୟମରେ ହେବାକୁ ଯାଉଛି ବହୁ ପ୍ରତିକ୍ଷୀତ ଭାରତ-ଇଂଲଣ୍ଡ ଦ୍ବିତୀୟ ଦିନିକିଆ କ୍ରିକେଟ ମ୍ୟାଚ୍ । ଆଜିଠାରୁ ଅଫଲାଇନ୍ ଟିକଟ୍ ବିକ୍ରି ଆରମ୍ଭ ହେବ । ଏଥିପାଇଁ ପ୍ରସ୍ତୁତ ହୋଇ ଗଲାଣି ଟିକଟ୍ କାଉଣ୍ଟର । କେବଳ ସେତିକି ନୁହେଁ, ବ୍ୟାରିକେଡିଂ କାମ ଶେଷ ହେବା ପୂର୍ବରୁ ଟିକଟ୍ ଆଶାୟୀମାନଙ୍କ ଭିଡ ଜମିଲାଣି । ଟିକଟ୍ କିଣିବା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସି କାଉଣ୍ଟର ଆଗରେ ଲାଇନ ଲଗାଇଲେଣି କ୍ରିକେଟପ୍ରେମୀ ।
ତେବେ ଟିକଟ୍ କିଣିବା ପାଇଁ ଗତକାଲି ରାତିରୁ ଲାଇନ ଲଗାଇ ଛିଡ଼ା ହୋଇଛନ୍ତି କ୍ରିକେଟପ୍ରାମୀ, ଯେପରି ଆଜି ଟିକଟ କାଉଣ୍ଟର ଖୋଲିବାକୁ ବେଳକୁ ଆଗରେ ରହିବେ ଆଉ ଶୀଘ୍ର ଟିକଟ ପାଇବେ । ଭାରତ-ଇଂଲଣ୍ଡ ମ୍ୟାଚକୁ ନେଇ କ୍ରିକେଟପ୍ରେମୀଙ୍କ ଅଦ୍ଭୁତ କ୍ରେଜ୍ ଏବେଠାରୁ ଦେଖିବାକୁ ମିଳିଲାଣି । ଟିକଟ୍ ବିକ୍ରି ପାଇଁ ମୋଟ ୩ଟି କଣ୍ଟେନର ବ୍ୟବସ୍ଥା କରାଯାଇଛି । ଯେଉଁଥିରେ ମୋଟ ୪ଟି କାଉଣ୍ଟର ରହିବ । ମହିଳାମାନଙ୍କ ପାଇଁ ସ୍ବତନ୍ତ୍ର ଧାଡ଼ି ବ୍ୟବସ୍ଥା କରାଯାଇଛି । ଅନ୍ୟପଟେ ଶାନ୍ତିଶୃଙ୍ଖଳାରେ କ୍ରିକେଟପ୍ରେମୀ ମାନେ କିପରି ଟିକେଟ କିଣି ପାରିବେ ସେନେଇ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ରାତିରେ ଲାଇନରେ ନ ଛିଡା ହେବା ପାଇଁ ଦର୍ଶକଙ୍କୁ କମିଶନରେଟ୍ ପୋଲିସ୍ ପକ୍ଷରୁ କୁହାଯାଉଛି । ଆଜି ସକାଳ ୯ ଟାରେ ଖୋଲିବ ଟିକଟ୍ କାଉଣ୍ଟର ।
ଇଟିଭି ଭାରତ, କଟକ