ଦେଶଫାଲ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟା, ଲୋକନୃତ୍ୟରେ ଝୁମିଲେ ଦର୍ଶକ - Deshfal Mahotsav - DESHFAL MAHOTSAV
Published : Mar 25, 2024, 11:59 AM IST
Deshfal Mahotsav:ସୁବର୍ଣ୍ଣପୁର: ଜିଲ୍ଲାରେ ୫ମ ଦେଶଫାଲ ମହୋତ୍ସବ ୨୦୨୩ର ଆୟୋଜିତ ହୋଇଛି । ଏହି ମହୋତ୍ସବର ଦ୍ବିତୀୟ ସନ୍ଧ୍ୟାରେ ମହୋତ୍ସବ ପଡ଼ିଆ ହୋଇ ଉଠିଥିଲା ଲୋକାରଣ୍ୟ । କାର୍ଯ୍ୟକ୍ରମରେ ଯୋଗଦେଇଥିବା ଅତିଥିମାନେ ନିଜ ଅଭିଭାଷଣ ରଖିବା ପରେ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ । କଳାକାରମାନେ ଲୋକନୃତ୍ୟ ପରିବେଷଣ କରିଥିବା ବେଳେ ଉପସ୍ଥିତ ଦର୍ଶକ ଏହାକୁ ବେଶ ଉପଭୋଗ କରିଥିଲେ । ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ତଥା ଜିଲ୍ଲା କଂଗ୍ରେସ କମିଟିର ସଭାପତି ବିନୋଦ ପାତ୍ର ଯୋଗ ଦେଇ ଦେଶଫାଲିଆ ଲୋକ ସଂସ୍କୃତି,ଲୋକକଳା ଓ ଲୋକ ପରମ୍ପରାକୁ ବଞ୍ଚାଇ ରଖିବା ସହିତ ଏହାର ପ୍ରଚାର ପ୍ରସାର ଦିଗରେ ଦେଶଫାଲ ମହୋତ୍ସବ କମିଟି ପ୍ରୟାସ ଜାରି ରଖି ଥିବାରୁ ମହୋତ୍ସବ କମିଟିକୁ କୃତଜ୍ଞତା ପ୍ରଦାନ କରିଥିଲେ ।
ତେବେ ଏଥିରେ ସଦର ମହକୁମାର ପ୍ରତିଷ୍ଠିତ ପଏଁରୀ ରସରକେଲି ଲୋକନୃତ୍ୟ ସହ ଉଲୁଣ୍ଡାର କଳାକାରମାନେ ବାଇଧନ ଲୋକନୃତ୍ୟ ପରିବେଷଣ କରିଥିଲେ । ସେହିପରି ସଦର ମହକୁମାର ରୁମକୁଝୁମାନ ସାଂସ୍କୃତିକ ଦଳ ସମ୍ବଲପୁରୀ ଲୋକନୃତ୍ୟ ପରିବେଷଣ କରିଥିଲେ । ପଡୋଶୀ ବଲାଙ୍ଗୀର ଜିଲ୍ଲା ତୁଷୁରାର କଳାକାରମାନେ ଘୁଡୁକା ନୃତ୍ୟ ପରିବେଷଣ କରିଥିଲେ । ବେଶ ବିଳମ୍ବିତ ରାତି ଯାଏଁ ଦେଖଣାହାରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଇଥିଲେ । ଏହି ମହୋତ୍ସବରେ ସ୍ଥାନୀୟ କଳାକାରମାନଙ୍କୁ ସୁଯୋଗ ପ୍ରଦାନ କରାଯାଇଥିବା ବେଳେ ସାଂସ୍କୃତିକ କାର୍ଯ୍ୟ ପରିବେଷଣ କରିଥିବା ଦଳଗୁଡିକୁ ଫୁଲତୋଡା ଓ ମାନପତ୍ର ଦେଇ ଅତିଥିମାନେ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ମହୋତ୍ସବରେ ଦେଖଣାହାରୀ ଯେତିକି ମନୋରଞ୍ଜନ ନେଇଥିଲେ ତାଠୁ ଅଧିକ ଉତ୍ସାହିତ ଥିଲେ ମହୋତ୍ସବରେ ସାମିଲ ହୋଇଥିବା କଳାକାରମାନେ । ସେହିପରି ଆଜି ମହୋତ୍ସବର ଉଦଯାପନୀ ସଂଧ୍ୟାରେ ପ୍ରାୟ 20 ହଜାରରୁ ଅଧିକ ଦେଖଣାହାରୀଙ୍କ ସମାଗମ ହେବ ବୋଲି ଆଶା କରାଯାଉଛି ।
ଏହା ମଧ୍ୟ ପଢନ୍ତୁ-ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଉଦଘାଟିତ ହେଲା ଦେଶଫାଲ ଲୋକ ମହୋତ୍ସବ
ଇଟିଭି ଭାରତ, ସୁବର୍ଣ୍ଣପୁର