ବୌଦ୍ଧରେ ଶ୍ୟାମାକାଳୀ ପୂଜା, ମଣ୍ଡପ ବୁଲି ଜିଲ୍ଲାବାସୀଙ୍କ ପାଇଁ ପ୍ରାର୍ଥନା କଲେ ବିଧାୟକ - BOUDH DIWALI
Published : Nov 2, 2024, 5:25 PM IST
ବୌଦ୍ଧ: ଆଲୋକର ପର୍ବ ଦୀପାବଳି ପାଇଁ ଉତ୍ସବମୁଖର ଥିଲା ସାରା ଓଡ଼ିଶା । ଏହି ଅବସରରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ମା' ଶ୍ୟାମାକାଳୀଙ୍କ ପୂଜା ଉତ୍ସବକୁ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଥିବାବେଳେ ଜିଲ୍ଲା ସଦର ମହକୁମାଠାରେ ସପ୍ତାହେ ଧରି ଅନୁଷ୍ଠିତ ହେଉଛି ଶ୍ୟାମାକାଳୀ ପୂଜା । ବିଭିନ୍ନ ପୂଜା ମଣ୍ଡପ ଆଲୋକ ମାଳାରେ ଝଲସୁଥିବାବେଳେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି । ଏହି ଅବସରରେ ବୌଦ୍ଧ ବିଧାୟକ ତଥା ଶାସକ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଜିଲ୍ଲାର ବିଭିନ୍ନ ପୂଜା ମଣ୍ଡପରେ ପହଞ୍ଚି ମା' ଶ୍ୟାମାକାଳୀଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି । ଏହାସହ ବୌଦ୍ଧବାସୀଙ୍କ ପାଇଁ ମା'ଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ।
ବୌଦ୍ଧ ଜିଲ୍ଲାର ହରଭଙ୍ଗା, କଣ୍ଟାମାଳ ଓ ବୌଦ୍ଧ ବ୍ଲକର ବିଭିନ୍ନ ସ୍ଥାନରେ ମା' ଶ୍ୟାମାକାଳୀଙ୍କ ପୂଜା ଉତ୍ସବ ଅନୁଷ୍ଠିତ ହୋଇଛି । ବିଭିନ୍ନ ପୂଜା ମଣ୍ଡପ ଗୁଡିକ ଆଲୋକମାଳାରେ ଝଲସୁଥିବାବେଳେ ଘରେ ଘରେ ହୋଇଥିବା ରଙ୍ଗୋଲି ବେଶ ଆକର୍ଷଣୀୟ ହୋଇଥିଲା । ଦୀପଦାନ ସହିତ ପାରମ୍ପରିକ ଶୈଳୀରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ବଡ଼ବଡ଼ିଆ ଡାକ ଦିଆଯାଇଥିଲା । ବିଶେଷ ଭାବରେ ଭୁଲିଆ ସଂପ୍ରଦାୟର ବଡ଼ବଡ଼ିଆ ଡାକ ବେଶ ଆକର୍ଷଣୀୟ ହୋଇଥାଏ । ଜିଲ୍ଲା ସଦରମହକୁମା ଠାରେ ଅନୁଷ୍ଠିତ ମା' ଶ୍ୟାମାକାଳୀଙ୍କ ପୂଜନ ଉତ୍ସବ ସ୍ଥାନୀୟ ଭୈରବୀ ମାର୍କେଟ ଓ ଶିବାନୀ ମାର୍କେଟଠାରେ ଦୀର୍ଘ ସାତ ଦିନ ଧରି ଅନୁଷ୍ଠିତ ହେଉଛି ଏହି ପୂଜା ।
ଏହା ମଧ୍ୟ ପଢ଼଼ନ୍ତୁ...କାଳୀପୂଜାରେ ଚଳଚଞ୍ଚଳ ମା' ଦକ୍ଷିଣକାଳୀଙ୍କ ପୀଠ, ମଧ୍ୟରାତ୍ରରୁ ଚାଲିଛି ପୂଜାର୍ଚ୍ଚନା ଏହା ମଧ୍ୟ ପଢ଼଼ନ୍ତୁ...ଭଦ୍ରକାଳୀଙ୍କ ମହାକାଳୀ ବେଶ, ଭକ୍ତଙ୍କୁ ଶାନ୍ତ ରଖିବାକୁ ମାଆଙ୍କ ଉଗ୍ରରୂପ |
ଇଟିଭି ଭାରତ, ବୌଦ୍ଧ