ପୁରୀରୁ ଲଢିବେ କଂଗ୍ରେସ ଯୁବନେତା ସୁଜିତ ମହାମାତ୍ର, କହିଲେ ଦୁର୍ନୀତି ବିରୋଧରେ ଲଢେଇ ହବ - Puri Assembly constituency
Published : Apr 15, 2024, 12:15 PM IST
Puri Assembly constituency: ପୁରୀ: ନିର୍ବାଚନକୁ ନେଇ ସରଗରମ ରାଜନୀତି । ପୁରୀ ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ଯୁବନେତା ସୁଜିତ୍ ମହାପାତ୍ର । ତେବେ କଂଗ୍ରେସ ତାଙ୍କୁ ନିର୍ବାଚନ ଲଢ଼ିବା ପାଇଁ ଟିକଟ ଦେଇ ଥିବାରୁ ସେ ଦଳର ନେତୃବୃନ୍ଦକୁ କୃତଜ୍ଞତା ଦେଇଛନ୍ତି । ଟିକଟ ପାଇବା ପରେ ସୁଜିତ୍ କହିଛନ୍ତି, ସେ ଛାତ୍ରନେତା ଥିବା ବେଳେ ଦୁର୍ନୀତି, ଗୁଣ୍ଡାରାଜ୍ ବିରୋଧରେ ଲଢେଇ କରିଥିଲେ । ଚଳିତ ନିର୍ବାଚନରେ ମଧ୍ୟ ସେ ଦୁର୍ନୀତି, ଗୁଣ୍ଡାରାଜ୍, ଭ୍ରଷ୍ଟାଚାର ବିରୋଧରେ ଲଢେଇ କରିବେ । ପୁରୀରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡି ଯାଇଛି । ପୁରାତନ କଲେଜ ସାମନ୍ତ ଚନ୍ଦ୍ର ଶେଖର ମହାବିଦ୍ୟାଳୟକୁ ବିଶ୍ଵ ବିଦ୍ୟାଳୟ ମାନ୍ୟତା ମିଳିପାରିଲା ନାହିଁ । ସାମାନ୍ୟ ଦେହ ଖରାପ ହେଲେ କଟକ, ଭୁବନେଶ୍ଵରକୁ ଯାଇ ଗରୀବ ଲୋକ ଖର୍ଚ୍ଚାନ୍ତ ହେଉଛନ୍ତି । ପୁରୀର ହଜାର ହଜାର ଲୋକଙ୍କ ଘର ଥିଲେ ମଧ୍ୟ କିଛି ବିବାଦୀୟ ନିଷ୍ପତ୍ତି ଯୋଗୁଁ ଘରର ସ୍ଥାୟୀ ପଟା ଖଣ୍ଡେ ପାଇ ପାରୁନାହାନ୍ତି । ପୁରୀ ସଦର ଅଞ୍ଚଳରେ ଜଳ ସେଚନ ବ୍ୟବସ୍ଥା ନଥିବାରୁ ଚାଷୀମାନେ ଉପଯୁକ୍ତ ଚାଷ କରିପାରୁନାହାନ୍ତି । ଶ୍ରୀମନ୍ଦିର ପରିକ୍ରମା ମାର୍ଗ ନାମରେ ବିଜେଡି କୋଟି କୋଟି ଟଙ୍କା ହରିଲୁଟ କରି ସେହି ଟଙ୍କାରେ ନିର୍ବାଚନ ଲଢ଼ୁଛି । ତେଣୁ ଏହି ସବୁ ମୁଦ୍ଦାକୁ ନେଇ ସେ ନିର୍ବାଚନ ଲଢେଇ କରିବେ ବୋଲି କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ-ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଲଢ଼ିବ ନିର୍ମାଣ କୃଷକ ସଙ୍ଗଠନ, ବିଧାୟକ ପ୍ରାର୍ଥୀ ହେଲେ ଶେଷଦେବ
ଇଟିଭି ଭାରତ, ପୁରୀ