ଓଡିଶା

odisha

ETV Bharat / videos

ସ୍ୱପ୍ନରେ ଲାଗିଲା ଡେଣା, ଖୁସି ପାଇଁ ତିଆରି ସାମଗ୍ରୀ ଏବେ ଦେଉଛି ରୋଜଗାର - EARNIG MONEY BY MAKING ART CRAFT

By ETV Bharat Odisha Team

Published : Jan 8, 2025, 1:58 PM IST

ବାଲେଶ୍ବର: ନିଜ ମନର ପରିଭାଷାକୁ କଳାକୃତିରେ ପରିଣତ କରିବା ତାଙ୍କର ଇଚ୍ଛା ଥିଲା । ଆଉ ଏଥିପାଇଁ ତାଙ୍କ ବାନ୍ଧବୀଙ୍କ ସହଯୋଗ ମିଳିବା ପରେ ଦୁହେଁ ମିଶି ଏମିତି କଳାକୃତି ତିଆରି କରି ବେଶ ପ୍ରଶଂସା ସାଉଁଟିଥିବା ବେଳେ ନିଜର ଖୁସି ପାଇଁ ତିଆରି କରିଥିବା କଳାକୃତି ବ୍ୟବସାୟରେ ପରିଣତ ହୋଇଛି । ଷ୍ଟାର୍ଟଅପ ବିଜିନେସ ଭାବେ ଏମିତି କଳାକୃତିକୁ ଆପଣେଇଥିବା ୨ ବାନ୍ଧବୀ ଆଗକୁ ଆହୁରି ଲୋକଙ୍କୁ ନେଇ ଏହାକୁ ବଢ଼ାଇବା ପାଇଁ ଇଚ୍ଛା ରଖିଛନ୍ତି । କେତେବେଳେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଟଙ୍କିକିଆ ମୁଦ୍ରାରେ ତିଆରି କରିଛନ୍ତି ତ ପୁଣି କେତେବେଳେ ଘର ସଜେଇବା ପାଇଁ ବର୍ଜ୍ୟବସ୍ତୁରୁ ଅନେକ ସାମଗ୍ରୀ ତିଆରି କରିଛନ୍ତି ଉଭୟ ବାନ୍ଧବୀ । ୧୧୦ଟି ଟଙ୍କିକିଆ କଏନରେ ଗଢିଛନ୍ତି ମହାପ୍ରଭୁଙ୍କ କଳାକୃତି । ସେ ହେଉଛନ୍ତି ବାଲେଶ୍ୱର ସହରର ପରମିଟ ଘାଟ ଶାନ୍ତିପଦ ସାହୁ ଏବଂ ସ୍ଵର୍ଣ୍ଣଲତା ସାହୁଙ୍କ ଝିଅ ନନ୍ଦିତା ସାହୁ ଏବଂ ତାଙ୍କ ବାନ୍ଧବୀ ନିହାରିକା ମଣ୍ଡଳ । 

ପ୍ରାଣୀ ବିଜ୍ଞାନରେ ସ୍ନାତକ ଶିକ୍ଷା ସମାପ୍ତ ପରେ ନନ୍ଦିତା ସାହୁ ଏବଂ ତାଙ୍କ ବାନ୍ଧବୀ ନିହାରିକା ମଣ୍ଡଳ ବର୍ତ୍ତମାନ ବିଇଡି କରୁଛନ୍ତି । ବିଦ୍ୟାଳୟରେ ପଢ଼ିବା ଦିନଠାରୁ ଏହି ଚିତ୍ରାଙ୍କନ ଓ ହସ୍ତକଳା କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଅଦ୍ୟାବଧି ତାହା ଜାରି ରଖିଛନ୍ତି । ଏହାସହ ଜଗନ୍ନାଥଙ୍କ ବିଭିନ୍ନ ବେଶ, ରକ୍ଷା ବନ୍ଧନ, ଦୀପାବଳି, ଜନ୍ମଦିନ, ବିବାହ ବାର୍ଷିକ, ନୂଆବର୍ଷ ପରି ଉତ୍ସବ ଗୁଡ଼ିକରେ ଆକର୍ଷଣୀୟ ହସ୍ତକଳା ଉପହାର ପ୍ରସ୍ତୁତ କରିଥାନ୍ତି । ଯାହାକି ମୁଖ୍ୟତଃ କ୍ଲେ, ଫେବିକଲ ଅଠା, ସ୍ପ୍ରେ କଲର, ମାଳି, କାର୍ଡ ବୋର୍ଡ ଇତ୍ୟାଦି ବ୍ୟବହାର ହୋଇ ପ୍ରସ୍ତୁତ ହୋଇଥାଏ । 
 


ତେବେ ଏହି କଳାକୃତି ଏବଂ ଏହାକୁ ଆହୁରି ଆଗକୁ ବଢ଼ାଇବାର ଲକ୍ଷ୍ୟ ରଖିଥିବା ନନ୍ଦିତା ସାହୁ କହିଛନ୍ତି, "ମୁଁ ଆଉ ମୋ ସାଙ୍ଗ ମିଶି ଏସବୁ କରୁଛୁ । ସ୍କୁଲ ସମୟରୁ ପ୍ରୋଜେକ୍ଟ କାମ, ଆର୍ଟ, କ୍ରାଫ୍ଟ କରିକି ଅଭ୍ୟାସ ଥିଲା । ଏବେ ଯେହେତୁ ସବୁ ସାମଗ୍ରୀ ମିଳିଯାଉଛି ସେଇଥିପାଇଁ ସେସବୁ ବ୍ୟବହାର କରି ଏସବୁ ତାଆରି କରୁଛୁ । କିଛି ବର୍ଜ୍ୟବସ୍ତୁରୁ ବି କରିବାକୁ ଚେଷ୍ଟା କରୁଛୁ । କଏନ ବ୍ୟବହାର କରି ଜଗନ୍ନାଥ କରୁଛୁ, ଚା' କପ, ଆଇସକ୍ରିମ କାଠି ବ୍ୟବହାର କରି ଘର ସାଜସଜ୍ଜା ସାମଗ୍ରୀ ତିଆରି କରୁଛୁ । ଏବେ ସୋସିଆଲ ମିଡିଆ ମାର୍କେଟିଙ୍ଗ ହେଉଛି । ଲୋକମାନେ ଜାଣୁଛନ୍ତି, ଅର୍ଡର ଦେଲେ ଆମେ ବି ବିକ୍ର କରିପାରୁଛୁ । ନିଜସ୍ୱ ଖର୍ଚ୍ଚ ଉଠିଯିବା ଭଳିଆ ରୋଜଗାର ହୋଇ ପାରୁଛି । ଯଦି ସେମିତି କିଛି ହୋଇ ପାରିଲା ତେବେ ଅଲଗା ଲୋକଙ୍କୁ ସାମିଲ କରିବା ସହ ଆଗକୁ ବଢ଼ାଇବା ପାଇଁ ଇଚ୍ଛା ଅଛି । ଆମେ କାମ କରୁଛୁ । ନିଜ ଚିହ୍ନାଜଣା ଭିତରେ ଲୋକ ଏହାକୁ କିଣି ନେଉଥିଲେ, ଏବେ ଅନ୍ୟ ଲୋକ ଜାଣିଲେଣି । ସୋସିଆଲ ମିଡିଆ ଦ୍ୱାରା ମଧ୍ୟ ବିକ୍ରି କରିବା ପାଇଁ ଆମେ ଚେଷ୍ଟା କରୁଛୁ । ନୂଆ ନୂଆ ଜିନିଷ ବି ତିଆରି କରୁଛୁ ।ଲୋକମାନେ ବି ପସନ୍ଦ କରୁଛନ୍ତି, ସେଥିପାଇଁ ବିକ୍ରି କରୁଛୁ । ନିଜର ଇଚ୍ଛା ଆଉ ସ୍ୱପ୍ନ ଏବେ ଆମର ବ୍ୟବସାୟ ପାଲଟି ଯାଇଛି ।"
 

ଏହା ମଧ୍ୟ ପଢ଼ନ୍ତୁ...ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗ: ନିଆରା ଢଙ୍ଗରେ ଦାବି ଜଣାଇଲେ ଯୁବ ଚିତ୍ରଶିଳ୍ପୀ - Srimandira Ratna Bhandar Opening

ଏହା ମଧ୍ୟ ପଢ଼ନ୍ତୁ...ନୌସେନା ଦିବସ: ୩୪୦୨ ଦିଆସିଲି କାଠିରେ ବୁଡ଼ା ଜାହାଜ INS VELA

ଅନ୍ୟପଟେ ନନ୍ଦିତାଙ୍କୁ ସହଯୋଗ କରୁଥିବା ତାଙ୍କ ବାନ୍ଧବୀ ନିହାରିକା ମଣ୍ଡଳ କହିଛନ୍ତି, "କିଛି ଉପାୟ ଆମକୁ ଇଣ୍ଟରନେଟରୁ ମିଳିଯାଉଛି । ଆମର ଯାହାକିଛି ବର୍ଜ୍ୟବସ୍ତୁ ବାହାରିଥାଏ ତାକୁ ନେଇକି ନୂଆ ଜିନିଷ କରିବା ପାଇଁ ଭାବିଥାଉ । ପ୍ରଥମେ ଚେଷ୍ଟା କରୁକରୁ ସେ ଠିକରେ ହୋଇଯାଏ । ଏବେ ଟିସ୍ୟୁ ପେପରରେ ଜଗନ୍ନାଥଙ୍କ ସୁନାବେଶ ଓ କଏନରେ ଜଗନ୍ନାଥ ହୋଇଛି । ଏମ୍ବ୍ରଡୋରୀରେ କ୍ୟାଲେଣ୍ଡର, ବିବାହ ଉତ୍ସବ ପାଇଁ ମଧ୍ୟ ଜିନିଷ ତିଆରି କରୁଛୁ । କାର୍ଟୁନ ଇମେଜ କରି ଘରକୁ ସଜାଉଛୁ । ଲୋକେ ତାକୁ ଭଲ ପାଇଲେ, ଆମେ ତାକୁ ବ୍ୟବସାୟ ଭାବେ ନେଇଛୁ । ଆମ ୨ ଜଣ ସାଙ୍ଗ ହୋଇ କାମ କରୁଛୁ ।"

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details