ମାଛ ଧରୁଥିଲେ ମତ୍ସଜୀବୀ, ଜାଲରେ ପଡିଲା ରକେଟ୍ ଡ୍ରୋନ୍
Published : Mar 12, 2024, 8:47 PM IST
Drone caught in Puri Beach ପୁରୀ: ସମୁଦ୍ରରେ ମାଛ ଧରୁଥିବା ସମୟରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡିଲା ଡ୍ରୋନ୍ । ପୁରୀ ପେଣ୍ଠକଟା ବେଳାଭୂମିର ମତ୍ସ୍ୟଜୀବୀଙ୍କ ଜାଲରେ ରକେଟ୍ ଆକୃତିର ଏକ ଡ୍ରୋନ୍ ଦେଖିବାକୁ ମିଳିଛି । ତେବେ ଏହି ଯନ୍ତ୍ରାଂଶରେ ANA DRONE ବୋଲି ଲେଖାଯାଇଛି । ପେଣ୍ଠକଟା ବେଳାଭୂମିର କିଛି ମତ୍ସ୍ୟଜୀବୀ ବାଲିହରଚଣ୍ଡୀ ମୁହାଣରେ ଜାଲ ପକାଇ ମାଛ ଧରୁଥିବା ବେଳେ ଏହି ଯନ୍ତ୍ରାଂଶଟି ତାଙ୍କ ଜାଲରେ ପଡିଥିଲା । ପରେ ସେମାନେ ଏହାକୁ ଉଦ୍ଧାର କରି ଡଙ୍ଗାରେ ପୁରୀ ପେଣ୍ଠକଟା ବେଳାଭୂମିକୁ ଆଣିଥିଲେ । ଫାଇବର କଭର୍ ଦ୍ୱାରା ଆଚ୍ଛାଦିତ ଯନ୍ତ୍ରାଂଶଟିର ଲମ୍ବ ପ୍ରାୟ ୮ ଫୁଟ ହେବ ବୋଲି ଅନୁମାନ କରାଯାଉଛି । ଏଥିରେ କିଛି ଡିଭାଇସ୍ ସହ କିଛି ଲୁହା ଯନ୍ତ୍ରାଂଶ ଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ଡ୍ରୋନଟି ଗଭୀର ସମୁଦ୍ର ଭିତରେ କେମିତି ପଡିଲା, କିଛି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପଡି ଯାଇଛି କି, ସେ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଅନ୍ୟପଟେ ଏହି ଯନ୍ତ୍ରାଂଶକୁ ଦେଖିବାକୁ ପେଣ୍ଠକଟା ବେଳାଭୂମିରେ ଲୋକଙ୍କ ଭିଡ଼ ପରିଲକ୍ଷିତ ହୋଇଥିବା ବେଳେ ପେଣ୍ଠକଟା ମେରାଇନ୍ ଥାନା ପୋଲିସ ଯାଞ୍ଚ ଆରମ୍ଭ କରିଛି । ଏହି ଡ୍ରୋନଟି କଣ ପାଇଁ ଏବଂ କେଉଁ ଉଦ୍ଦେଶ୍ୟରେ ଆସିଥିଲା, ମେରାଇନ୍ ଥାନା ପୋଲିସ ଓ କୋଷ୍ଟଗାର୍ଡ ତରଫରୁ ଅଧିକ ତଦନ୍ତ ପାଇଁ ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି । ତେବେ ଏହି ଘଟଣା ପୁରୀ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଏହା ମଧ୍ୟ ପଢନ୍ତୁ: ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଯୋଡ଼ି ହେଲା ଡ୍ରୋନ ,ଏମ୍ସ ଭୁବନେଶ୍ୱରରୁ ରକ୍ତ ଗଲା ଟାଙ୍ଗି
ଇଟିଭି ଭାରତ, ପୁରୀ