ହାଇଦ୍ରାବାଦ: ବର୍ଷ 2024ର ପ୍ରଥମ ଦିନରୁ ହିଁ ନିଜ ନାଁରେ ସଫଳତାର ଫର୍ଦ୍ଦ ଯୋଡ଼ିଥିଲା ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ । ମାସ ପରେ ମାସ ଗୋଟିଏ ପରେ ଗୋଟିଏ ଇତିହାସ ରଚି ଇସ୍ରୋ ଭାରତୀୟଙ୍କୁ ଗର୍ବିତ କରିଥିଲା । ବିଦାୟୀ ବର୍ଷ 2024 ଇସ୍ରୋ ପାଇଁ ବାସ୍ତବରେ ଉପଲବ୍ଧିର ବର୍ଷ ଥିଲା । ଜାନୁଆରୀ 1ରୁ XPOSAT ଉତକ୍ଷେପଣଠାରୁ ଡିସେମ୍ବରରେ ପ୍ରୋବା-3 ମିଶନ ପର୍ଯ୍ୟନ୍ତ ଅନେକ ଐତିହାସିକ ଘଟଣା ଭାରତର ମହାକାଶ ଜଗତରେ ଘଟିଛି । ଏକାଧିକ ଐତିହାସିକ ଲଞ୍ଚ୍ର ସାକ୍ଷୀ ସାଜିଛି ଆନ୍ଧ୍ର ପ୍ରଦେଶର ସତୀଶ ଧାୱନ ସ୍ପେଶ ସେଣ୍ଟର । ନୂଆବର୍ଷ 2025କୁ ଆମେ ସ୍ବାଗତ କରିବାକୁ ଯାଉଥିବା ବେଳେ 2024ରେ ଇସ୍ରୋର ସଫଳତା ଉପରେ ଗୋଟିଏ ନଜର ପକାଇବା ।
- ନୂଆବର୍ଷରେ XPOSAT ଉତକ୍ଷେପଣ
ନୂଆ ବର୍ଷରୁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)ର ନୂଆ ଅଭିଯାନ ଆରମ୍ଭ ହୋଇଥିଲା । ପୂର୍ବରୁ ନିର୍ଦ୍ଧାରିତ ସମୟରେ 2024 ଜାନୁଆରୀ 1 ସକାଳ 9ଟା 10 ମିନିଟରେ ଏକ୍ସ-ରେ ପୋଲାରିମିଟର ସାଟେଲାଇଟକୁ ଶ୍ରୀହରିକୋଟା ସ୍ଥିତ ସତୀଶ ଧାଓ୍ବନ ସ୍ସେସ ସେଣ୍ଟରରୁ ଲଞ୍ଚ କରାଯାଇଥିଲା । PSLV ସି85 ରକେଟ ସାହାଯ୍ୟରେ ଏହାର ଉତକ୍ଷେପଣ କରାଯାଇଥିଲା । ଏହି ସାଟେଲାଇଟ୍ରେ ଦୁଇଟି ପେ-ଲୋଡ୍ ପୋଲିକ୍ସ ଏବଂ ଏକ୍ସସ୍ପେକ୍ଟ ରହିଥିବା ବେଳେ ଏହା ପୃଥିବୀର ନିମ୍ନ କକ୍ଷରେ ଅବସ୍ଥାପିତ ହୋଇଛି । ଏହି ମିଶନ ଇସ୍ରୋ ପାଇଁ ଗୁରୁତ୍ବପୂର୍ଣ୍ଣ କାରଣ ଏହା ଦ୍ବାରା ବ୍ଲାକ ହୋଲ୍ର ରହସ୍ୟ ଉନ୍ମୋଚନ ହେବା ସହ ନ୍ୟୁଟ୍ରନ ଷ୍ଟାର ସମ୍ପର୍କରେ ଅଧିକ ଗବେଷଣା କରାଯାଉଛି । ଏହି ଅଭିଯାନର କାର୍ଯ୍ୟକାଳ 5 ବର୍ଷ ।
- ହାଲୋ ଅର୍ବିଟରେ ପହଞ୍ଚିଲା Aditya-L1
ଜାନୁଆରୀ 6 ତାରିଖରେ ଇସ୍ରୋକୁ ମିଳିଥିଲା ବଡ଼ ସଫଳତା । ଗନ୍ତବ୍ୟସ୍ଥଳ ଏଲ 1 ପଏଣ୍ଟରେ(ହାଲୋ ଅର୍ବିଟରେ) ପହଞ୍ଚିଥିଲା ଭାରତର ସୂର୍ଯ୍ୟ ମିଶନ ଆଦିତ୍ୟ-L1 । ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ 2023 ସେପ୍ଟେମ୍ବର 2 ତାରିଖରେ ଆଦିତ୍ୟ ଏଲ1କୁ ମହାକାଶକୁ ଉତକ୍ଷେପଣ କରାଯାଇଥିବା ବେଳେ ଧାର୍ଯ୍ୟ ସମୟ ଅନୁସାରେ 2024 ଜାନୁଆରୀ 6 ତାରିଖରେ ପୃଥିବୀଠାରୁ ୧୫ ଲକ୍ଷ କିଲୋମିଟର ଦୂର ହାଲୋ ଅର୍ବିଟରେ ପହଞ୍ଚିଥିଲା ଆଦିତ୍ୟ ଏଲ 1 । ଏହି କକ୍ଷପଥରେ ଘୂରି ସୂର୍ଯ୍ୟର ବିଭିନ୍ନ ଗତିବିଧି, ସୌରଝଡ ଓ ମହାକାଶ ପାଣିପାଗ ସମ୍ପର୍କରେ ଅଧ୍ୟୟନ କରୁଛି ଆଦିତ୍ୟ ଏଲ1 ।
- INSAT-3DS ସାଟେଲାଇଟ୍ ଲଞ୍ଚ
ପାଣିପାଗ ଉପଗ୍ରହ INSAT-3DSକୁ ଫେବୃଆରୀ 17 ତାରିଖ ନିର୍ଦ୍ଧାରିତ ସମୟ ସଂଧ୍ୟା 5ଟା 35 ମିନିଟରେ ଆନ୍ଧ୍ର ଉପକୂଳରେ ଥିବା ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ସଫଳତାର ସହ ଇସ୍ରୋ ଲଞ୍ଚ କରିଥିଲା । ଏହି ଉପଗ୍ରହକୁ ଉତକ୍ଷେପଣ କରିବା ପାଇଁ GSLV ରକେଟ ବ୍ୟବହାର କରାଯାଇଥିଲା । ଏହି ଉପଗ୍ରହର ନାମ ରଖାଯାଇଛି ‘ନଟି ବୟ’ । ଏହି ଉପଗ୍ରହର ଓଜନ ରହିଛି 2,274 କିଲୋଗ୍ରାମ । ଏଥିରେ ଏକାଧିକ ପେ-ଲୋଡ ବ୍ୟବହୃତ ହୋଇଛି । ଭୂବିଜ୍ଞାନ ମନ୍ତ୍ରଣାଳୟ ଅଧୀନରେ ଥିବା ଏକାଧିକ ବିଭାଗ ଏହି ଉପଗ୍ରହ ମାଧ୍ୟମରେ ଲାଭବାନ ହେବେ । ପାଣିପାଗ ସମ୍ପର୍କିତ ପୂର୍ବାନୁମାନ ଓ ସୂଚନା ଓ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଏହି ଉପଗ୍ରହ କାର୍ଯ୍ୟପ୍ରଣାଳୀର ପ୍ରମୁଖ ଭୂମିକା ଗ୍ରହଣ କରିବ ।
- ଗଗନ ଯାନ ପାଇଁ 4 ମହାକାଶଚାରୀଙ୍କ ନାମ ଘୋଷଣା
ଭାରତର ପ୍ରଥମ ମାନବ ମିଶନ ଗଗନ ଯାନରେ କିଏ ଯିବେ ମହାକାଶ ? ଫେବୃଆରୀ 27 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସସପେନ୍ସର ଅନ୍ତ ଘଟାଇଥିଲେ । ଗ୍ରୁପ କ୍ୟାପ୍ଟେନ ପ୍ରଶାନ୍ତ ବାଲକୃଷ୍ଣ ନାୟାର, ଅଜିତ୍ କ୍ରିଷ୍ଣନ, ଗ୍ରୁପ୍ କ୍ୟାପ୍ଟେନ୍ ଅଙ୍ଗଦ ପ୍ରତାପ ଏବଂ ୱିଙ୍ଗ କମାଣ୍ଡର ଶୁଭ୍ରାଂଶୁ ଶୁକ୍ଳାଙ୍କ ନାମ ଘୋଷଣା ହୋଇଥିଲା । ଏହି 4 ଜଣ ମନୋନୀତ ମହାକାଶଚାରୀ ବାୟୁସେନାର ଓ୍ବିଙ୍ଗ କମାଣ୍ଡର କିମ୍ବା ଗ୍ରୁପ କ୍ୟାପଟେନ ଭାବେ କାର୍ଯ୍ୟ କରୁଥିଲେ । ନାମ ଘୋଷଣା ହେବା ପରେ ଏମାନେ ମହାକାଶର ପାଣିପାଗ ସହିତ ଖାପଖୁଆଇବା ଲାଗି ତାଲିମ ନେଉଛନ୍ତି । ନିକଟରେ ଗଗନ ଯାନ ମିଶନର ପ୍ରାଥମିକ କ୍ରୁ ସଦସ୍ୟ ଗ୍ରୁପ୍ କ୍ୟାପଟେନ୍ ଶୁଭାନ୍ସୁ ଶୁକ୍ଲା ଏବଂ ବ୍ୟାକଅପ୍ କ୍ରୁ ସଦସ୍ୟ ଗ୍ରୁପ୍ କ୍ୟାପଟେନ୍ ପ୍ରଶାନ୍ତ ବାଲାକ୍ରିଷ୍ଣନ୍ ନାୟାର ଆମେରିକାରେ ସେମାନଙ୍କର ପ୍ରାରମ୍ଭିକ ତାଲିମ ସମାପ୍ତ କରିଛନ୍ତି । ଅଗଷ୍ଟ ପ୍ରଥମ ସପ୍ତାହରୁ ଆମେରିକାରେ ସେମାନେ ତାଲିମ ଆରମ୍ଭ କରିଥିଲେ । 2026ର ଶେଷ ଭାଗରେ ଗଗନ ଯାନ ମିଶନକୁ ଲଞ୍ଚ କରାଯାଇପାରେ ।
- ପୁଷ୍ପକ (RLV LEX-02)ର ପରୀକ୍ଷଣ ସଫଳ
ମାର୍ଚ୍ଚ 22 ତାରିଖରେ ଇସ୍ରୋକୁ ଆଉ ଏକ ସଫଳତା ମିଳିଥିଲା । ପୁନଃବ୍ୟବହାର ଯୋଗ୍ୟ ଲଞ୍ଚ ଯାନ ପୁଷ୍ପକର ସଫଳ ପରୀକ୍ଷଣକରିଥିଲା ଇସ୍ରୋ । ଆଉ ଏକ କୀର୍ତ୍ତିମାନ ଭାବେ ଏହି ପୁନଃ ବ୍ୟବହାର ଯୋଗ୍ୟ ଲଞ୍ଚ ଭେହିକଲ ସ୍ବୟଂଚାଳିତ ଭାବେ ମାର୍ଚ୍ଚ 22 ସକାଳ 7ଟା 10 ମିନିଟ ସମୟରେ କର୍ଣ୍ଣାଟକର ଚିତ୍ରଦୁର୍ଗ ସ୍ଥିତ ଏରୋନେଟିକାଲ୍ ଟେଷ୍ଟ ରେଞ୍ଜରେ ସ୍ବୟଂଚାଳିତ ଭାବରେ ରନୱେରେ ଅବତରଣ କରିଥିଲା । ଏହା ପୂର୍ବରୁ ଇସ୍ରୋ 2 ଥର ରିୟୁଜେବଲ ଲଞ୍ଚ ଭେହିକଲର ସଫଳ ଲ୍ୟାଣ୍ଡିଂ କରିଥିଲା । ଗତ ବର୍ଷ ଏହାର ଲଞ୍ଚ ଟେଷ୍ଟିଂ କରାଯାଇଥିବା ବେଳେ ରିୟୁଜେବଲ ଲଞ୍ଚ ଭେହିକଲକୁ ବାୟୁସେନା ଚିନୁକ ହେଲିକପ୍ଟରରୁ RLVକୁ ପ୍ରାୟ ସାଢେ 4 କିମି ଉଚ୍ଚତାରୁ ଉତକ୍ଷେପଣ କରାଯାଇଥିଲା । ପରୀକ୍ଷଣ ସମୟରେ ଆରଏଲଭି ସଫଳତା ପୂର୍ବକ ରନଓ୍ବେରେ ଅବତରଣ କରିଥିଲା ।
- RLV LEX-03 ସ୍ବୟଂଚାଳିତ ଲ୍ୟାଣ୍ଡିଂ ସଫଳ
ଭାରତୀୟ ମହାକାଶ ଗବେଷଣା ସଂସ୍ଥା ପୁନଃ ବ୍ୟବହାର ଯୋଗ୍ୟ ଲଞ୍ଚ ଯାନ (ଆରଏଲଭି) ଲ୍ୟାଣ୍ଡିଂ ଏକ୍ସପେରିମେଣ୍ଟ (LEX)ରେ କ୍ରମାଗତ ତୃତୀୟ ସଫଳତା ହାସଲ କରିଥିଲା ଜୁନ 23 ତାରିଖରେ । ଯେଉଁଥିରେ RLV LEX -03 ସଫଳତାର ସହିତ ରନୱେରେ ସ୍ବୟଂଚାଳିତ ଭାବେ ଅବତରଣ କରିବାରେ ସଫଳ ହୋଇଥିଲା । ଏହାଦ୍ବାରା ଇସ୍ରୋ ବିକଶିତ କରିଥିବା ଟେକ୍ନୋଲୋଜି ନାଭିଗେସନ୍, କଣ୍ଟ୍ରୋଲ୍ ସିଷ୍ଟମ୍, ଲ୍ୟାଣ୍ଡିଙ୍ଗ୍ ଗିଅର୍ ମଧ୍ୟ ଏକ ପ୍ରକାର ସଫଳ ହୋଇଥିଲା ।
- ATV D03ର ଦ୍ବିତୀୟ ସଫଳ ପରୀକ୍ଷଣ