ହାଇଦ୍ରାବାଦ:ଆମେରିକାର ବିଶିଷ୍ଟ ଶିଳ୍ପପତି ଏଲନ ମସ୍କଙ୍କ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଏକ୍ସ 'X Money'ର ଘୋଷଣା କରିଛି । ଏହାଦ୍ବାରା ୟୁଜର ନିଜ ଡେବିଟ କାର୍ଡକୁ X Money ଆକାଉଣ୍ଟ ସହିତ ଲିଙ୍କ କରି ଅତି ସହଜରେ P2P ପେମେଣ୍ଟ (କୌଣସି ବ୍ୟାଙ୍କକୁ ନ ଯାଇ ଅନଲାଇନରେ ଟଙ୍କା ନେଣଦେଣ କରିବା ପ୍ରକ୍ରିୟା) କରିପାରିବେ । ଏଥିଲାଗି X Money ଆମେରିକୀୟ କମ୍ପାନୀ Visa ସହିତ ହାତ ମିଳାଇଛି । ଏ ନେଇ ଏକ୍ସର ମୁଖ୍ୟ ଲିଣ୍ଡା ନିଜ ଏକ୍ସ ହ୍ୟାଣ୍ଡେଲରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି ।
Visa ସହ ଡେବ୍ୟୁ କରିବ X Money
ଏକ୍ସର ମନି ଆକାଉଣ୍ଟ ପ୍ଲାଟଫର୍ମଟି ପ୍ରଥମ ପାର୍ଟନର ଭିସା ସହିତ ଅନଲାଇନ ପେମେଣ୍ଟ ଜଗତରେ ଡେବ୍ୟୁ କରିବାକୁ ଯାଉଛି । ଏହି ପ୍ଲାଟଫର୍ମଟି ଚଳିତ ବର୍ଷ ଶେଷ ସୁଦ୍ଧା ଲଞ୍ଚ ହୋଇପାରେ । ଏଥିରେ ୟୁଜର ନିଜର ଏକ୍ସ ଆକାଉଣ୍ଟକୁ ଯାଇ ସିଧାସଳଖ ନିଜର ଅନ୍ୟ ବ୍ୟାଙ୍କ ଆକାଉଣ୍ଟ କିମ୍ବା ବନ୍ଧୁ ପରିବାର ବର୍ଗଙ୍କୁ ଅନଲାଇନ ମାଧ୍ୟମରେ ଟଙ୍କା ଟ୍ରାନ୍ସଫର କରିପାରିବେ ।
ଏ ନେଇ Xର ସିଇଓ ଲିଣ୍ଡା ୟାକାରିନୋ ମଙ୍ଗଳବାର କହିଛନ୍ତି, "ୟୁଜରଙ୍କ ଡେବିଟ କାର୍ଡଙ୍କୁ ଲିଙ୍କ କରି ଇନ-ପ୍ଲାଟଫର୍ମ ଡିଜିଟାଲ ୱଲେଟ୍ ଓ ପିଅର-ଟୁ-ପିଅର ପେମେଣ୍ଟ ସେବା ପ୍ରଦାନ କରିବ । ଅନ୍ୟ ଅନଲାଇନ ପ୍ଲାଟଫର୍ମ ପରି ଏଥିରେ ମଧ୍ୟ ବ୍ୟାଙ୍କ ଆକାଉଣ୍ଟ ସିଧାସଳଖ ଟଙ୍କା ଟ୍ରାନ୍ସଫର ହୋଇପାରିବ ।" ଲିଣ୍ଡା ଏକ୍ସକୁ 'ଏଭ୍ରିଥିଙ୍ଗ ଆପ୍' ବୋଲି ସମ୍ବୋଧନ କରି ଏହି ଘୋଷଣା ପ୍ଲାଟଫର୍ମ ପାଇଁ ମାଇଲଷ୍ଟୋନ ବୋଲି କହିଛନ୍ତି ।
Visa ନିଜ ଅଫିସିଆଲ ଏକ୍ସ ସାଇଟ୍ରେ ଏକ ପୋଷ୍ଟ କରି ଏ ସମ୍ପର୍କରେ ସ୍ପଷ୍ଟ କରିଛି । ଭିସା ଡିରେକ୍ଟ (Visa Direct) ମାଧ୍ୟମରେ ଏହି ସେବା ପରିଚାଳିତ ହେବ ବୋଲି କମ୍ପାନୀ କହିଛି । ଆମେରିକାର ଏକ୍ସ ୟୁଜରମାନେ ପ୍ରଥମେ ଏହି ସେବା ପାଇପାରିବେ । ତେବେ ଏହି ସେବା ଅନ୍ତର୍ଜାତୀୟ ସ୍ତରରେ ଉପଲବ୍ଧ ହେବ କି ନାହିଁ ସେ ସମ୍ପର୍କରେ ଏଯାବତ ସ୍ପଷ୍ଟତା ମିଳିନାହିଁ ।
Xକୁ 'ସୁପର ଆପ୍' କରିବା ଲକ୍ଷ୍ୟରେ ଏଲନ
ଏକ୍ସ ସାଇଟ୍କୁ ଏକ ବହୁମୁଖୀ ପ୍ଲାଟଫର୍ମରେ ପରିଣତ କରିବାକୁ ଏଲନ ମସ୍କ ଯୋଜନା କରିଛନ୍ତି । ଏପରିକି 2022 ମସିହାରେ 44 ବିଲିୟନ ଡଲାର ଟଙ୍କାରେ ଏକ୍ସକୁ କିଣିବା ପୂର୍ବରୁ ଏଲନ ମସ୍କ ଚୀନର ସୁପର ଆପ୍ 'WeChat' ପରି ଏକ ଆପ୍ ବିକଶିତ କରିବାକୁ ନିଜର ଇଚ୍ଛା ପ୍ରକାଶ କରିଥିଲେ । ସୁପର ଆପ୍ ଅର୍ଥ ଆପଣ ଗୋଟିଏ ଆପ୍ରେ ମେସେଜିଂ, ସପିଂ, ଭିଡିଓ ଷ୍ଟ୍ରିମିଂ ଓ ପେମେଣ୍ଟ ଆଦି ସୁବିଧା ପାଇପାରିବେ ।