ହାଇଦ୍ରାବାଦ:ଦେଶରେ ବେଶ ଲୋକପ୍ରିୟ ମେସେଜିଂ ଆପ୍ ହ୍ବାଟ୍ସଆପ୍ ଜୁନ୍ 2024ରେ ମେଟା AI ନାମକ ଏକ AI ଚାଳିତ ଚାଟବଟ୍ ଲଞ୍ଚ କରିଥିଲା ଯାହାର ଅନେକ ଉନ୍ନତ ସୁବିଧା ରହିଛି । ଗତ କିଛି ମାସ ମଧ୍ୟରେ ଚାଟବଟ୍ର ସୁବିଧା ଓ ଫିଚରକୁ ଉପଭୋକ୍ତାମାନଙ୍କ ପାଇଁ ଅଧିକ ଉପଯୋଗୀ କରିବା ପାଇଁ କମ୍ପାନୀ କାର୍ଯ୍ୟ କରୁଛି । ନିକଟରେ ହୋଇଥିବା ଏକ ରିପୋର୍ଟରେ ହ୍ବାଟ୍ସଆପ୍ ମେଟା ଏଆଇ ପାଇଁ ଏକ ନୂତନ ଚାଟ୍ ମେମୋରି ଫିଚର ପରୀକ୍ଷା କରିବାକୁ ସୂଚନା ଦେଇଛି ଯାହା ଚାଟବଟକୁ ଅତୀତର ବାର୍ତ୍ତାଳାପ (Chat History)କୁ ଷ୍ଟୋର କରି ରଖିବାକୁ ଅନୁମତି ଦେବ । ଏହି ନୂତନ ମେଟା AI ଫିଚର କିପରି କାମ କରିବ ଜାଣନ୍ତୁ ।
Meta AI ପାଇଁ ହ୍ବାଟ୍ସଆପ ଚାଟ୍ ମେମୋରି ଫିଚର:-
WABetaInfoର ଏକ ରିପୋର୍ଟ ଅନୁଯାୟୀ ଅଧିକ ବ୍ୟକ୍ତିଗତ ଅଭିଜ୍ଞତା ପ୍ରଦାନ କରିବାକୁ ହ୍ବାଟ୍ସଆପଏକ ନୂତନ AI ଚାଳିତ ଫିଚର ବିକଶିତ କରୁଛି । ଏହି ଫିଚରକୁ 'ଚାଟ୍ ମେମୋରି' ନାମ ଦିଆଯାଇଛି, ଯାହା ମେଟା AIକୁ ଅତୀତର ବାର୍ତ୍ତାଳାପ ବା ଚାଟ୍କୁ ସଂରକ୍ଷଣ ରଖିବାକୁ ଅନୁମତି ଦେବ । ଏହି ଫିଚର ଉପଭୋକ୍ତାମାନଙ୍କୁ କିଛି ଚାଟ୍ ସୂଚନା ଯେପରିକି ବ୍ୟକ୍ତିଗତ ବିବରଣୀ, ଜନ୍ମଦିନ, କାର୍ଯ୍ୟସୂଚୀ ଆଦି ମେଟା AI ସହିତ ସଂରକ୍ଷିତ କରିବାକୁ ସକ୍ଷମ କରିବ ବୋଲି ଆଶା କରାଯାଉଛି ।
ରିପୋର୍ଟରେ କୁହାଯାଇଛି ଯେ ମେଟା ଏଆଇ ପରାମର୍ଶ କିମ୍ବା ମତାମତ ପ୍ରଦାନ କରିପାରିବ ଯାହା ଉପଭୋକ୍ତାଙ୍କର ପସନ୍ଦ ଏବଂ ଜୀବନଶୈଳୀ ସହିତ ସମାନ । ଏଥିଲାଗି ମେଟା AI ପାଇଁ ହ୍ବାଟ୍ସଆପ୍ ଚାଟ୍ ମେମୋରି ଫିଚର ୟୁଜରକୁ ପୂର୍ବ ଚାଟ୍ର ସୂଚନା ପ୍ରଦାନ କରିବ । ଯାହାଦ୍ବାରା ୟୁଜର ଚାଟବଟ୍ ସହିତ ଏକ ପ୍ରାସଙ୍ଗିକ, ଅଧିକ ବ୍ୟକ୍ତିଗତ ଏବଂ ପ୍ରାକୃତିକ ବାର୍ତ୍ତାଳାପ କରିବାର ଅଭିଜ୍ଞତା ପାଇବ । ବର୍ତ୍ତମାନ ଆପଣମାନଙ୍କ ମଧ୍ୟରୁ ଅନେକ ମେଟା ଏଆଇ ଫିଚର ସମ୍ବନ୍ଧରେ ଗୋପନୀୟତା ବିଷୟରେ ଚିନ୍ତିତ ହୋଇପାରନ୍ତି ।
ତେବେ ଆମେ ଆପଣଙ୍କୁ କହି ରଖୁଛି କି ଏହାର ଏକ ନୂତନ ଇଣ୍ଟରଫେସ୍ ହେବାର ଆଶା କରାଯାଉଛି । ଯାହାକି ୟୁଜରଙ୍କୁ କେଉଁ ସୂଚନା ସେଭ୍ ହେବ ତାହା ନିୟନ୍ତ୍ରଣ କରିବାକୁ ଅନୁମତି ଦେବ । ଏହି ଇଣ୍ଟରଫେସ୍ ସମ୍ଭବତଃ ୟୁଜରଙ୍କୁ ନୂତନ ପରିବର୍ତ୍ତନ ଏବଂ ଯୋଜନା ସହିତ ସେଭ ତଥ୍ୟ ସୂଚନା ଅପଡେଟ୍ କରିବାକୁ ଅନୁମତି ଦେବ । ଏହାସହ ଉପଭୋକ୍ତାମାନେ ସେଭ ଚାଟ୍କୁ ହଟାଇବାକୁ ମଧ୍ୟ ଅପସନ ପାଇବେ ।
ଏବେ ମେଟା AIର ଚାଟ୍ ମେମୋରି ଫିଚର ବିକାଶ କରାଯାଉଛି ଏବଂ ଭବିଷ୍ୟତର ଅପଡେଟ ଦ୍ବାରା ଏହାର ବ୍ୟବହାର ଆରମ୍ଭ ହୋଇପାରେ । ଏହି ନୂତନ AI ଚାଳିତ ଫିଚର ବ୍ୟତୀତ ହ୍ବାଟ୍ସଆପ୍ ଅଧିକ ଅନ୍ତର୍ନିହିତ ଚାଟ୍ ପାଇଁ ଏକ ଭଏସ୍ ଚାଟ୍ ମୋଡ୍ ଫିଚର ଉପରେ ମଧ୍ୟ କାମ କରୁଛି । ଆଗାମୀ ଆପ୍ ଅପଡେଟ୍ ଚାଟ୍ ମେମୋରି ଫିଚର ଏବଂ ଭଏସ୍ ଚାଟ୍ ମୋଡ୍ ପରି ଅନେକ ନୂତନ ରୋମାଞ୍ଚକର ଫିଚର ଆଣିପାରେ ।