ହାଇଦ୍ରାବାଦ: ଭାରତୀୟ ବଂଶୋଦ୍ଭବ ତଥା ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କ ନାଁରେ ଆଉ ଏକ ରେକର୍ଡ । ମହାକାଶରେ 8ଥର ସ୍ପେଶୱାକ୍ କରି ସୁନୀତା ଏହି ବିରଳ ରେକର୍ଡର ଅଧିକାରିଣୀ ହୋଇପାରିଛନ୍ତି । ତେବେ ଦୀର୍ଘ 7 ମାସ ପରେ ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନ (ISS)ରୁ ବାହାରି ସ୍ପେଶୱାକ୍ କରିଛନ୍ତି ସୁନୀତା । ସୁନୀତା ଓ ନାସାର ଅନ୍ୟ ଜଣେ ମହାକାଶଚାରୀ ନିକ୍ ହଗ୍ଙ୍କ ସହିତ ମହାକାଶରେ ଚାଲିଥିବା ଜଣାପଡ଼ିଛି ।
କାହିଁକି ବାହାରକୁ ବାହାରିଲେ ସୁନୀତା ?
ଗତ ବର୍ଷ ଜୁନ ମାସରେ ମହାକାଶକୁ ଯାଇଥିଲେ ସୁନୀତା । 8ଦିନ ପାଇଁ ଯାଇ ସେ 7ମାସରୁ ଅଧିକ ସମୟ ଧରି ସେଠାରେ ଫସି ରହିଛନ୍ତି । ପ୍ରାୟ 7 ମାସ ପରେ ସେ ସ୍ପେଶ ଷ୍ଟେସନରୁ ବାହାରିଛନ୍ତି । ନାସାର ସୂଚନା ଅନୁସାରେ ସ୍ପେଶ ଷ୍ଟେସନରେ କିଛି ଜରୁରୀ ମରାମତି କରିବା ଲାଗି ସେ ସ୍ପେଶ ଷ୍ଟେସନରୁ ବାହାରିଛନ୍ତି ।
The rate gyro assembly that helps maintain station orientation has been replaced. @AstroHague will soon work on the NICER X-ray telescope while @Astro_Suni will replace navigation hardware. pic.twitter.com/EfqNDF8ZAI
— International Space Station (@Space_Station) January 16, 2025
ସୁନୀତାଙ୍କ ଅଷ୍ଟମ ସ୍ପେଶୱାକ୍
ଗତବର୍ଷ ତାପମାତ୍ରା ବୃଦ୍ଧି ପାଇବା ଯୋଗୁଁ ନାସା ମହାକାଶଚାରୀଙ୍କ ସ୍ପେଶୱାକ୍କୁ ରୋକାଯିବା ପରେ ଏହା କୌଣସି ମହାକାଶଚାରୀଙ୍କ ପ୍ରଥମ ସ୍ପେଶୱାକ୍ ଥିଲା । ମହାକାଶ ଯାତ୍ରୀଙ୍କ ସୁଟ୍ର କୁଲିଂ ଲୁପ୍ରୁ ପାଣି ଲିକ୍ ହୋଇ ଏୟାରଲକ୍ (ଯେଉଁ ପଟେ ମହାକାଶଚାରୀମାନେ ବାହାରକୁ ବାହାରିଥାନ୍ତି)କୁ ଆସିଯାଇଥିବାରୁ ସ୍ପେଶୱାକ୍କୁ ରୋକାଯାଇଥିଲା । ଏବେ ନାସା ସେହି ସମସ୍ୟାର ସମାଧାନ କରିଛି । ଏହା ସୁନୀତା ୱିଲିୟମ୍ସଙ୍କ ଲାଗି 8 ନମ୍ବର ସ୍ପେଶୱାକ୍ ଥିବା ବେଳେ ସେ ଏହା ପୂର୍ବରୁ ଅନେକ ଥର ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନରେ ରହିଛନ୍ତି ଓ 7ଥର ସ୍ପେଶୱାକ୍ କରିସାରିଛନ୍ତି ।
.@Astro_Suni ingresses the station's S0 truss structure to access bolts and begin replacing hardware that helps maintain station orientation. pic.twitter.com/718szUYUyu
— International Space Station (@Space_Station) January 16, 2025
ଏପ୍ରିଲରେ ପୃଥିବୀକୁ ଫେରିବେ
ସୁନୀତା ଓ ସହଯୋଗୀ ୱିଲମୋର ଗତବର୍ଷ ଜୁନରେ ବୋଇଙ୍ଗ ଷ୍ଟାରଲାଇନର କ୍ୟାପସୁଲ୍ରେ ମହାକାଶକୁ ଯାତ୍ରା କରିଥିଲେ । ଏହା ମାତ୍ର ଗୋଟିଏ ସପ୍ତାହର ପରୀକ୍ଷା ଥିଲା । କିନ୍ତୁ ବୋଇଙ୍ଗ ଷ୍ଟାରଲାଇନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସେମାନେ ପୃଥିବୀ ଫେରିପାରିନଥିଲେ । ଏହାପରେ ନାସା କ୍ୟାପସୁଲ୍କୁ ଖାଲି କରି ଏହାକୁ ପୃଥିବୀ ପଠାଇବାକୁ କହିଥିଲା । ଏହାପରେ ସୁନୀତା ଓ ସହଯୋଗୀ ୱିଲମୋର, ସ୍ପେଶଏକ୍ସ ମହାକାଶ ଯାନରେ ଫେରିବାର ଥିଲା । କିନ୍ତୁ ଏହି ଯାନ ଲଞ୍ଚରେ ବିଳମ୍ବ ଯୋଗୁଁ ଉଭୟ ମହାକାଶଚାରୀ ଚଳିତ ବର୍ଷ ମାର୍ଚ୍ଚ ଶେଷରେ କିମ୍ବା ଏପ୍ରିଲ ଆରମ୍ଭରୁ ଘରକୁ ଫେରିପାରନ୍ତି । ଅର୍ଥାତ ମିଶନ ଆରମ୍ଭର ପ୍ରାୟ 10 ମାସ ପରେ ସେମାନେ ଘରକୁ ଫେରିବେ ।
ସୁନୀତାଙ୍କ ନାଁରେ 50ଘଣ୍ଟାରୁ ଅଧିକ ସମୟର ସ୍ପେଶୱାକ୍
ନାସା ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ସୁନୀତା ଅଷ୍ଟମ ଥର ଲାଗି ପ୍ରାୟ 6ରୁ 7 ଘଣ୍ଟା ଧରି ସ୍ପେଶୱାକ୍ କରିଛନ୍ତି । ଏହା ପୂର୍ବରୁ 7ଟି ସ୍ପେଶୱାକ୍ରେ ସେ 50 ଘଣ୍ଟା 40 ମିନିଟ ମହାକାଶରେ ଚାଲିଛନ୍ତି । ସୁନୀତାଙ୍କ ସହ ସ୍ପେଶୱାକ୍ରେ ଯାଇଥିବା ମହାକାଶଚାରୀ ତଥା ଫ୍ଲାଇଟ ଇଞ୍ଜିନିୟର ନିକ୍ ହଗ୍ ଚତୁର୍ଥ ଥର ଲାଗି ସ୍ପେଶୱାକ୍ କରିଛନ୍ତି । ଏହା ପୂର୍ବରୁ ସେ 3ଥର ସ୍ପେଶୱାକ୍ରେ ପ୍ରାୟ 19 ଘଣ୍ଟା 56 ମିନିଟ ପର୍ଯ୍ୟନ୍ତ ମହାକାଶରେ ଚାଲିଛନ୍ତି । ଏହାବ୍ୟତୀତ ସ୍ପେଶ ଷ୍ଟେସନ ଆସେମ୍ବଲି ରିପୋର୍ଟ ଅନୁସାରେ, ମରାମତି ଓ ଅପଗ୍ରେଡ ପାଇଁ ଏହା 273 ନମ୍ବର ସ୍ପେଶୱାକ୍ ଥିଲା । ସେହିପରି ଆମେରିକା ଲାଗି ଏହା 91 ନମ୍ବର ସ୍ପେଶୱାକ୍ ଥିଲା । ବର୍ଷ 2025ରେ କୌଣସି ମହାକାଶଚାରୀଙ୍କ ଦ୍ବାରା ଏହା ପ୍ରଥମ ସ୍ପେଶୱାକ୍ ।
ଜାନୁଆରୀ 23ରେ ଆଉ ଏକ ସ୍ପେଶୱାକ୍
ମହାକାଶଚାରୀ ୱିଲିୟମ୍ସ 23 ଜାନୁଆରୀରେ ସହଯୋଗୀ ୱିଲମୋରଙ୍କ ସହ ଦ୍ବିତୀୟ ସ୍ପେଶୱାକ୍ କରିବାକୁ ଯାଉଛନ୍ତି । ମିଳିତ ଭାବରେ ସେମାନେ ଏକ ରେଡିଓ ଫ୍ରିକ୍ବେନ୍ସି ଗ୍ରୁପ୍ ଆଣ୍ଟିନା ଆସେମ୍ବଲି (ରେଡିଓ ତରଙ୍ଗ ବିସ୍ତାର ଏବଂ ଗ୍ରହଣ କରିବା ପାଇଁ ଡିଜାଇନ ହୋଇଥିବା ଉପାଦାନଗୁଡ଼ିକର ସଂଗ୍ରହ) ଏବଂ ମାଇକ୍ରୋ ଅର୍ଗାନିଜମର ଗବେଷଣା ପାଇଁ କିଛି ନମୁନା ସଂଗ୍ରହ କରିବେ ।