କେନ୍ଦ୍ରାପଡା: ତେଲୁଗୁ ଫିଲ୍ମ ପୁଷ୍ପା ଚଳଚ୍ଚିତ୍ରରେ କେମିତି ଜଣେ ଶ୍ରମିକ ରକ୍ତ ଚନ୍ଦନ କାଠ ସ୍ମଗଲିଂ କରୁଥିଲେ ଦେଖିବାକୁ ମିଳିଥିଲା । ଏଠି କିନ୍ତୁ ଚନ୍ଦନ କାଠ ନାଁରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି କାଠ ମାଫିଆ । କୁହାଯାଏ ଚନ୍ଦନ କାଠ ହେଉଛି ଦୁନିଆର ସବୁଠାରୁ ମହଙ୍ଗା କାଠ । ଯେଉଁଥିପାଇଁ ଚନ୍ଦନ କାଠ ନାଁରେ ଅନ୍ୟାନ୍ୟ କାଠ ବିକି ପକେଟ ଗରମ କରୁଛନ୍ତି ବେପାରୀ । ଦେଖିବାକୁ ଇଷତ୍ ହଳଦିଆ ଅବିକଳ ଚନ୍ଦନ କାଠ ପରି । ମହକ ବି ଠିକ୍ ସେମିତି । ନକଲି କାଠକୁ ଏଭଳି ଫିନିସିଂ କରି ଦିଆ ଯାଉଛି ଯେ ଯେ କେହି ବି ଦେଖିବ ଏବଂ ଶୁଙ୍ଘିବ ଏହା ଚନ୍ଦନ କାଠ ବୋଲି ସହଜରେ ବିଶ୍ୱାସ କରିବ। ଆଉ ଏହାର ଫାଇଦା ନେଇଛନ୍ତି କାଠ ମାଫିଆ । ଏବେ କାଠ ତସ୍କରଙ୍କ ଚରାଭୂଇଁ ପାଲଟିଛି ଭିତରକନିକା ଅଭ୍ୟୟାରଣ୍ୟ । ଯେଉଁଠୁ କାଠ ତସ୍କରୀ କରି ମାଲାମାଲ ହେଉଛନ୍ତି ବେପାରୀ । ଲୁଣା ଜଙ୍ଗଲର ଗହ୍ୱରରୁ ଏହି କାଠ ସଂଗ୍ରହ କରି ବଜାରରେ ବେଶ ଭଲ ଦରରେ ବିକ୍ରି କରୁଛନ୍ତି ମାଫିଆ।
- ନକଲି ଚନ୍ଦନ କାଠ ବିକି 4 ଗିରଫ
ଏହି ଘଟଣାରେ ଏବେ 4 ଜଣଙ୍କୁ ଗିରଫ କରାଯାଇଛି । କାର୍ତ୍ତିକ ମାଲି, ଅଭୟ ଦଳେଇ, ସୁବାଷ ପାତ୍ର, ଗୁରୁପାଦ ପାତ୍ରଙ୍କୁ ଗିରଫ କରିଛି ବନବିଭାଗ । ବାହାରକୁ କାଠ ସପ୍ଲାଏ କରିବାକୁ ନେଉଥିବାବେଳେ ଏମାନଙ୍କୁ ଗିରଫ କରାଯାଇଛି । ବୋଟ୍ ସାହାଯ୍ୟରେ କାଠ ନେଉଥିଲେ ମାଫିଆ । ଧାରା 17ଏ, 27, 29, 30,31 ୱାଇଲ୍ଡ ଲାଇଫ ପ୍ରୋଟେକ୍ସନ ଆକ୍ଟ, 56 ଓଡିଶା ଫରେଷ୍ଟ ଆକ୍ଟ, 5,12 ଆଧାରରେ ସେମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

ଏନେଇ ରାଜନଗର ରେଞ୍ଜ ଅଫିସର ମାନସ ରଞ୍ଜନ ଦାସ କହିଛନ୍ତି ‘‘ଆମେ ଗାଡି ଜବତ ପାଇଁ ଟାର୍ଗେଟ ରଖିଥିଲୁ । ଆଗରୁ ମଧ୍ୟ କାଠଗାଡି ଧରାପଡିଛି । ଯେହେତୁ ଆଗରୁ ଗାଡି ଧରାପଡିଛି ସେମାନେ ଏଥର ଜାଣିଶୁଣି ଜଳପଥର ବ୍ୟବହାର କରିଥିଲେ । ବୋଟ୍ ଯୋଗେ କାଠ ନେଉଥିବାବେଳେ ମାଡି ବସିଲା ବନ ବିଭାଗ ଟିମ । କାଳିଭଞ୍ଜଡିଆ ଓ ଡାଙ୍ଗମାଳ ଟିମ ମିଳିତ ପାଟ୍ରୋଲିଂ କରୁଥିବା ସମୟରେ ଚଢାଉ ହୋଇଥିଲା । ସେମାନଙ୍କ କାଠ ବୋଟ, ଟାଙ୍ଗିଆ, ଶାବଳ ଆଦି ଉପକରଣ ଜବତ କରାଯାଇଛି ’’।
- କଣ ଏହି ନକଲି କାଠ ?
ବିଭିନ୍ନ ମନ୍ଦିର ପୀଠ ଏବଂ ଘରୋଇ ପୂଜା କାର୍ଯ୍ୟରେ ଚନ୍ଦନ କାଠର ଆବଶ୍ୟକତା ଏକାନ୍ତ ଅପରିହାର୍ଯ୍ୟ। ଟୋପାଏ ଚନ୍ଦନ ଟିପାର ମହକ ସମଗ୍ର ମାହୋଲକୁ ସୁଗନ୍ଧିତ କରିଥାଏ। ଭିତରକନିକା ଜଙ୍ଗଲରେ ଥିବା ୬୩ ରକମର ଗଛ ମଧ୍ୟରୁ ବାତେରା ଏବଂ ଗରାଣୀ ନାମକ ଗଛ ଅନ୍ୟତମ। ତେବେ ଏହି ଚନ୍ଦନ କାଠ ଭଳି ଅବିକଳ ନକଲ କରି ଏହାକୁ ବଜାରରେ ଭଲ ଦରରେ ବିକ୍ରି କରିଥାନ୍ତି ଉପାନ୍ତ ଅଞ୍ଚଳର ଲୋକେ। ଆଗରୁ ମାଛ ମାରି ଜୀବିକା ନିର୍ବାହ କରୁଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରୁ କିଛି ଭାଗ ଲୋକେ ଅସତ ଉପାୟରେ ଜୀବିକା ନିର୍ବାହ ପାଇଁ ଗରାଣୀ ଏବଂ ବାତେରା ଚେରକୁ ନେଇ ଏକ ଲେପ ଦେଇ ଏହାକୁ ଚନ୍ଦନ କାଠ କହି ବଜାରରେ ବିକ୍ରି କରିଥାନ୍ତି। ଏହି ଦୁଇ ଗଛ ଜାତୀୟ ଉଦ୍ୟାନ ମଧ୍ୟରେ ବଢ଼ିଥାନ୍ତି। ଏହି ଦୁଇ ଗଛର ବୃଦ୍ଧି ପାଇଁ ଉଭୟ ଲୁଣି ଓ ମିଠା ପାଣି ଆବଶ୍ୟକ ହେଉଥିବାରୁ ବାତେରା ଓ ଗରାଣୀ ଗଛ କେବଳ ଜାତୀୟ ଉଦ୍ୟାନ ମଧ୍ୟରେ ହିଁ ଦେଖା ଯାଇଥାନ୍ତି ।

ପର୍ଯ୍ୟଟକ ମାନେ ସାଧାରଣତଃ ଚାନ୍ଦବାଲି ଓ ଖୋଳା ଦେଇ ଭିତର କନିକାକୁ ପ୍ରବେଶ କରିଥାନ୍ତି । କିନ୍ତୁ କାଠ ମାଫିଆ ଗୁଫି ନିକଟରୁ ଲଞ୍ଚ ଯୋଗେ ପାଟଶାଳା ନଦୀ ଦେଇ ଗହୀରମଥା ଓ ଭିତରକନିକା ଅଭ୍ୟୟାରଣ୍ୟକୁ ପ୍ରବେଶ କରନ୍ତି । ସେଇଠୁ ହିଁ ଆରମ୍ଭ ହୁଏ ଚନ୍ଦନ କାଠ ଡିଲ୍ । ଏହି ଦୁଇ ଗଛର ଚେରକୁ ସଂଗ୍ରହ କରି ଏହାକୁ ଚନ୍ଦନ କାଠ କହି ବିକ୍ରି କରିବା ପାଇଁ ନେଉଥିବା ସମୟରେ ବନବିଭାଗ ଅନେକ ସମୟରେ ଚଢ଼ାଉ କରି ଚେର ଜବତ କରିବା ସହ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ନଜିର ରହିଛି ।

- କାହିଁକି ବିକ୍ରି କରୁଥିଲେ ?
କେନ୍ଦ୍ରାପଡା ଭିତର କନିକା ଅଭ୍ୟୟାରଣ୍ୟ ପାର୍ଶ୍ବବର୍ତ୍ତୀ ଅଞ୍ଚଳର ଲୋକେ ସାଧାରଣତଃ ମତ୍ସଜୀବୀ ହୋଇଥାନ୍ତି । ମାଛ ଧରି ସେମାନେ ଜୀବିକା ନିର୍ବାହ କରିଥାନ୍ତି । ମାଛ ଧରିଲେ ହିଁ ପେଟ ପାଟଣା ଚାଲେ । କିନ୍ତୁ ଭିତରକନିକା ଜଙ୍ଗଲ କହିଲେ ଏହାରି ମଧ୍ୟରେ ରହିଛି ଭିତରକନିକା, ଡାଙ୍ଗମାଳ ଓ ଗହୀରମଥା ପରି ବିସ୍ତୃତ ସାମୁଦ୍ରିକ ଜଙ୍ଗଲ । ଗହୀରମଥା ହେଉଛି ସମଗ୍ର ପୃଥିବୀରେ ଅଲିଭରିଡେଲ କଇଁଛଙ୍କ ଏନ୍ତୁଡିଶାଳ। ନଭେମ୍ବରରୁ ମେ ମାସ ପର୍ଯ୍ୟନ୍ତ ଗହୀରମଥାକୁ ଅଣ୍ଡାଦାନ କରିବାକୁ ଆସିଥାନ୍ତି ଅଲିଭ ରିଡଲେ କଇଁଛ । ଯାହା ଫଳରେ ମାଛଧରାରେ ପ୍ରତିବନ୍ଧକ ଲାଗିଥାଏ । ଆଉ ଏହି ଛଅ ମାସ ମଧ୍ୟରେ ଭିତର କନିକାରେ ବଢିଯାଏ କାଠ ଚୋରା ଚାଲାଣ ।

ଧରା ପଡିଥିବା ଅଭିଯୁକ୍ତ ଜଣକ କହିଛନ୍ତି ‘‘ବାତେରା ଓ ଗରାଣୀ ଚେରକୁ ବିକ୍ରି ଉଦ୍ଦେଶ୍ୟରେ ସଂଗ୍ରହ କରି ବନବିଭାଗ ହାତରେ ଧରା ପଡିଛୁ । ଏହି ଚେରକୁ ଆମେ କାଳୀଭଞ୍ଜଡ଼ିଆରୁ ସଂଗ୍ରହ କରି ଅଧିକ ଟଙ୍କାରେ ବିକ୍ରି କରିଥାଉ। ଏହି ଚେରର ମାର୍କେଟ ମୂଲ୍ୟ ବହୁ ଅଧିକ ତେଣୁ ଏଭଳି କାମ ବା ଚେର ସଂଗ୍ରହ କରି ଆମର ଜୀବିକା ନିର୍ବାହ କରିଥାଉ। ପଇସା ଅଭାବରୁ ଆମେ ବିକ୍ରି କରୁଥିଲୁ’’ ।
ଏହା ମଧ୍ୟ ପଢନ୍ତୁ ବର୍ଷେ ପରେ ଅଲିଭ ରିଡଲେ କଇଁଛଙ୍କ କମବ୍ୟାକ: ଋଷିକୂଲ୍ୟା ଡାଇନାମିକ୍ ବେଳାଭୂମିରେ ଗଣ ଅଣ୍ଡାଦାନ
ଏହା ମଧ୍ୟ ପଢନ୍ତୁ ସୌନ୍ଦର୍ଯ୍ୟ ହରାଇଛି ଚକ୍ରତୀର୍ଥ ବେଳାଭୂମି ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ, ରକ୍ଷଣାବେକ୍ଷଣ ଦାବି
- ଭିତରକନିକା ଜାତୀୟ ଉଦ୍ୟାନ
ବିଶ୍ୱପ୍ରସିଦ୍ଧ ଜାତୀୟ ଉଦ୍ୟାନ ଭିତରକନିକା। କୁମ୍ଭୀରଙ୍କ ପାଇଁ ପ୍ରସିଦ୍ଧି ଲାଭ କରିଥିବା ଭିତରକନିକାରେ ରହିଛି ବିଭିନ୍ନ ଜୀବଜନ୍ତୁଙ୍କ ବାସସ୍ଥାନ । ଶୀତଋତୁରେ ବିଦେଶୀ ପକ୍ଷୀ ମଧ୍ୟ ଏହି ଅଭୟାରଣ୍ୟକୁ ଆସିଥାନ୍ତି । ସବୁବେଳେ ଜୀବଜନ୍ତୁଙ୍କ କିଚରି ମିଚରି ସାଙ୍ଗକୁ ଭୟଙ୍କର ସରୀସୃପଙ୍କ ଭୟ ରହିଛି । ଏହି ଜାତୀୟ ଉଦ୍ୟାନ ମଧ୍ୟରେ ପ୍ରକୃତିର କରାଳ ରୂପକୁ ପ୍ରତିହତ କରୁଥିବା ହେନ୍ତାଳ ବଣ ରହିଥିବା ବେଳେ ଏଠାରେ ଅନ୍ୟାନ୍ୟ ଔଷଧୀୟ ବୃକ୍ଷ ଏବଂ ଲୁଣା ଜାତୀୟ ଗଛ ରହିଛନ୍ତି। ଭିତରକନିକା ଅଞ୍ଚଳରୁ ୧୬ କିସମର ମାଛ ଓ ୮ ପ୍ରଜାତିର କଙ୍କଡା ମିଳିଥାଆନ୍ତି । ଜଙ୍ଗଲ ମଧ୍ୟରେ ୧୪ ପ୍ରକାର ପଶୁ ବସବାସ କରୁଥିଲା ବେଳେ ହରିଣ ମାନଙ୍କର ସଂଖ୍ୟା ସର୍ବାଧିକ । ଭିତରକନିକା ଜଙ୍ଗଲରେ ରହିଛି ୬୩ ରକମର ବୃକ୍ଷ ଓ ୧୬୬ କିସମର ପକ୍ଷୀଙ୍କର ନିବାସସ୍ଥଳୀ। ଏହାର ସମସ୍ତ ଅଞ୍ଚଳ ହେଉଛି ୧୪୩୫ ବର୍ଗ ଏଥିରୁ ମଧ୍ୟରୁ ୧୪୦୫ ସାମୁଦ୍ରିକ ଅଞ୍ଚଳ ଓ ୨୭ ବର୍ଗ କି॰ମି ହେଉଛି ସଂରକ୍ଷିତ ଜଙ୍ଗଲ,କାଦୁଅ ମାଟି ଓ ବାଲିପୂର୍ଣ୍ଣ ଅଞ୍ଚଳ । (କେନ୍ଦ୍ରାପଡା ଜିଲ୍ଲା ପୋର୍ଟାଲ ଡାଟା)
କେତୋଟି ମାମଲା ରୁଜ୍ଜୁ ହୋଇଛି
- ଗତ ବର୍ଷକ ମଧ୍ୟରେ ଚନ୍ଦନ କାଠ ଚୋରା ଚାଲାଣ ଘଟଣାରେ 15 ଜଣ ଗିରଫ ହୋଇଥିଲେ ।
- ଗତ ବର୍ଷ ୨୯ ଫେବ୍ରୁଆରୀରେ ୪ ଜଣଙ୍କୁ ବନବିଭାଗ ଗିରଫ କରିଥିଲା ।
- ସେମାନଙ୍କ ନିକଟରୁ ୨୬ ବସ୍ତା ବାତେରା ୨୪ ବସ୍ତା ଗରାଣୀ ଜବତ ହୋଇଥିଲା ।
- ମାର୍ଚ୍ଚ ୧ ତାରିଖରେ ଜଣେ ବ୍ୟକ୍ତିଙ୍କ ସହ ୨୦ ବସ୍ତା ବାତେରା ଓ ଗରାଣୀ ସମେତ ତିନିଗୋଟି ଫାର୍ସା, ଦୁଇଟି କୋଦାଳ, କଟୁରି ଓ କୁରାଢ଼ି ଜବତ ହୋଇଥିଲା ।
- ୧୯୭୨ ବନ୍ୟପ୍ରାଣୀ ଆଇନ ଅନୁସାରେ ଜଣଙ୍କୁ ଗିରଫ କରାଯାଇଥିଲା ।
- ମେ ମାସରେ ୫ କ୍ୱିଣ୍ଟଲ ଚେର ସମେତ ୫ ଜଣ ଗିରଫ ହୋଇଥିଲେ ।
- ସେହିବର୍ଷ ଜୁନ ମାସରେ ୪ କ୍ୱିଣ୍ଟଲ ଚେର ସମେତ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।