ହାଇଦ୍ରାବାଦ:ଡିପସିକ୍ ଏପରି ଏକ ଶବ୍ଦ ଯାହାକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା । ଯେଉଁମାନଙ୍କୁ ଏବେ ଏହା ସମ୍ପର୍କରେ କିଛି ସୂଚନା ନାହିଁ, ଆଗାମୀ ଦିନରେ ସେମାନେ ମଧ୍ୟ ଏହାକୁ ନେଇ ଚର୍ଚ୍ଚା କରିବେ । କୃତ୍ରିମ ବୁଦ୍ଧିମତା (AI)କୁ ନୂଆ ସ୍ତରକୁ ନେଇ DeepSeek ପୁରା ଟେକ୍ ଦୁନିଆରେ ହଲଚଲ ସୃଷ୍ଟି କରିଛି । ଏହି ଆପ୍ ଲଞ୍ଚ ହେବା ପରେ ହିଁ ବିଶ୍ବରେ ଡାଉନଲୋଡ ଚାର୍ଟରେ ନମ୍ବର-1କୁ ଆସିଥିବା ବେଳେ ଏପରିକି ଜାଏଣ୍ଟ ଆମେରିକା ଟେକ୍ କମ୍ପାନୀକୁ ପଛରେ ଛାଡ଼ିବା ସହ ସେମାନଙ୍କ ମାର୍କେଟ ସେୟାରକୁ ମଧ୍ୟ ଖସାଇଦେଇଛି ।
DeepSeek କଣ ?
ଡିପସିକ୍ ଏକ ଚାଇନିଜ କମ୍ପାନୀ ଯାହାକୁ 2023ରେ 40ବର୍ଷୀୟ ଇଲେକଟ୍ରିକ ଇଞ୍ଜିନିଅରିଂ ଗ୍ରାଜୁଏଟ ଲିଆଙ୍ଗ ୱେନଫେଙ୍ଗ ବିକଶିତ କରିଥିଲେ । 2023ରେ ହିଁ କମ୍ପାନୀ ଏହାର ପ୍ରଥମ ଏଆଇ ମଡେଲ ଆଣିଥିଲା । ଗତମାସ (2024 ଡିସେମ୍ବର) କମ୍ପାନୀ 'DeepSeek V3'କୁ ଲଞ୍ଚ କରିଥିଲା । ଏବେ ଚର୍ଚ୍ଚାକୁ ଆସିବାର କାରଣ ହେଉଛି ଗତ ଜାନୁଆରୀ 20 ତାରିଖରେ କମ୍ପାନୀ ଆଣିଥିବା ନୂଆ AI ମଡେଲ 'DeepSeek R1' ଗ୍ଲୋବାଲ ମାର୍କେଟରେ ଏଣ୍ଟ୍ରି ମାରିବା କ୍ଷଣି OpenAIର ChataGPT ସହିତ Gemini ଏବଂ Claude AI ଭଳି ନିଜର ପ୍ରତିଦ୍ବନ୍ଦ୍ବୀଙ୍କୁ ପଛରେ ପକାଇଛି । ଏହି ଚାଟବଟ୍ ଆପଲ୍ର ଆପ୍ ଷ୍ଟୋରରେ ଟପ୍ ରାଙ୍କ ହାସିଲ କରିଛି ଏବଂ ଆମେରିକାରେ ଡାଉନଲୋଡ୍ରେ ChatGPTକୁ ମଧ୍ୟ ପଛରେ ପକାଇଛି ।
DeepSeekରେ କଣ ଖାସ୍ ?
- ଡିପସିକ୍ ହେଉଛି ଏକ ଏଆଇ ଆସିଷ୍ଟାଣ୍ଟ । ଚାଟ୍ଜିପିଟି ପରି ଏହା ସମସ୍ତ କାମ କରିଥାଏ । କିନ୍ତୁ ଦାବି କରାଯାଉଛି ଏହା ଚାଟ୍ଜିପିଟିଠାରୁ ଅଧିକ ପାୱାରଫୁଲ । ଅନ୍ୟ ଏଆଇ ଆପ୍ଠାରୁ ଏହା ଅଧିକ ଭଲ କାମ କରିଥାଏ ।
- ଡିପସିକ୍ ଆମେରିକା ପ୍ରତିଦ୍ବନ୍ଦ୍ବୀ ଚାଟ୍ଜିପିଟି ଓ ମେଟାର Lama ପରି ରେଜଲ୍ଟ ଦେଉଛି । କିନ୍ତୁ ଏହା ଶସ୍ତା ଚିପ୍ର ବ୍ୟବହାର କରି ମଧ୍ୟ ଏପରି କରିପାରୁଛି ।
- ଏହି ଆପ୍ ଅନଲିମିଟେଡ୍ ଫ୍ରି ଥିବାବେଳେ ଏହାର ବ୍ୟବହାର ସମସ୍ତେ କରିପାରିବେ ।
- କମ୍ ବଜେଟର ଚିପ୍କୁ ବ୍ୟବହାର କରି ଡିପସିକ୍ ଭଲ କାମ କରୁଥିବାରୁ ଅଧିକ ମହଙ୍ଗା ଚିପ୍କୁ ନେଇ ଅନ୍ୟ କମ୍ପାନୀ ଏଆଇ ମଡେଲ ଆଣିଥିବାରୁ ଚିନ୍ତାରେ ପଡ଼ିଛନ୍ତି ।
- ମାତ୍ର 7-8ଦିନ ମଧ୍ୟରେ ଡିପସିକ୍ ବହୁ ଲୋକପ୍ରିୟତା ହାସଲ କରିଛି ।
ସେୟାର ବଜାରରେ DeepSeekର ପ୍ରଭାବ
ଡିପସିକ୍ର ନୂଆ ଏଆଇ ମଡେଲ ଲଞ୍ଚ ହେବା ପରେ ଏହା ପ୍ରତିଦ୍ବନ୍ଦ୍ବୀ ଚାଟ୍ଜିପିଟିକୁ ବି ପଛରେ ପକାଇଛି । କମ ଖର୍ଚ୍ଚରେ ବିକଶିତ ହୋଇଥିବା ଡିପସିକ୍ ଆର1 ମାତ୍ର କିଛି ସମୟ ମଧ୍ୟରେ ଶୀର୍ଷ କମ୍ପାନୀକୁ ଭୟଭୀତ କରାଇଛି । ଡିପସିକ୍ର ଲୋକପ୍ରିୟତା କାରଣରୁ ଆଲଫାବେଟ୍, ଆମାଜନ, ଆପଲ୍, ମେଟା, ମାଇକ୍ରୋସଫ୍ଟ, ଏନଭିଡିଆ ଓ ଟେସଲା ଭଳି କମ୍ପାନୀର ମାର୍କେଟ ସେୟାର ହ୍ରାସ ପାଇଛି । ଏହାପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକୀୟ ଟେକ କମ୍ପାନୀଗୁଡ଼ିକ ଲାଗି ଏହା 'ୱେକ୍ ଅପ୍ କଲ୍' ବୋଲି କହିଛନ୍ତି ।