ହାଇଦ୍ରାବାଦ: ସରକାରୀ ଏବଂ ଅଣ-ସରକାରୀ ସେବାଗୁଡିକର ଲାଭ ପାଇବା ପାଇଁ ଆଧାର କାର୍ଡ ଏକ ଗୁରୁତ୍ବପୂର୍ଣ୍ଣ ଡକ୍ୟୁମେଣ୍ଟ । ସାଧାରଣତଃ ଲୋକମାନେ ସରକାରଙ୍କଠାରୁ ପାଇଥିବା ଆଧାର କାର୍ଡ ଧଳା ରଙ୍ଗର ହୋଇଥାଏ, କିନ୍ତୁ ଆପଣ ଜାଣନ୍ତି କି ଧଳା ଆଧାର କାର୍ଡ ବ୍ୟତୀତ ଏକ ନୀଳ ଆଧାର କାର୍ଡ ମଧ୍ୟ ଅଛି । ପିଲାମାନଙ୍କ ପାଇଁ ନୀଳ ଆଧାର କାର୍ଡର ବ୍ୟବସ୍ଥା ରହିଛି । ଏହାକୁ 'ଶିଶୁ ଆଧାର କାର୍ଡ' ମଧ୍ୟ କୁହାଯାଏ । ଏହାର ପୃଷ୍ଠଭୂମି ଧଳା ପରିବର୍ତ୍ତେ ନୀଳ ରଙ୍ଗର ହୋଇଥାଏ ।
ଗୋଟିଏ ପଟେ ନିୟମିତ ଆଧାର କାର୍ଡରେ ବାୟୋମେଟ୍ରିକ୍ ତଥ୍ୟ (ଫିଙ୍ଗର ପ୍ରିଣ୍ଟ ଏବଂ ଆଇରିସ୍ ସ୍କାନ୍) ଆବଶ୍ୟକ । କିନ୍ତୁ ବ୍ଲୁ ଆଧାର କାର୍ଡ ପାଇଁ ଶିଶୁର କୌଣସି ବାୟୋମେଟ୍ରିକ୍ ସୂଚନା ଆବଶ୍ୟକ ନାହିଁ । କାରଣ ଛୋଟ ପିଲାମାନଙ୍କଠାରୁ ବାୟୋମେଟ୍ରିକ୍ ତଥ୍ୟ ସଂଗ୍ରହ କରିବା ଏକ ଆହ୍ବାନପୂର୍ଣ୍ଣ ଏବଂ କଷ୍ଟକର କାର୍ଯ୍ୟ ହୋଇପାରେ । ଏଥିଲାଗି ଅଧିକ ସମୟର ମଧ୍ୟ ଆବଶ୍ୟକତା ରହିଛି ।
ଶିଶୁଙ୍କ ଆଧାର କାର୍ଡ (ETV Bharat) 5ବର୍ଷର ଶିଶୁଙ୍କ ଲାଗି ତିଆରି ହୁଏ ବ୍ଲୁ ଆଧାର କାର୍ଡ:-
ଶିଶୁଙ୍କର UID (ସ୍ବତନ୍ତ୍ର ପରିଚୟ ସଂଖ୍ୟା) ସେମାନଙ୍କର ଜନସଂଖ୍ୟା ସୂଚନା ଏବଂ UID ସହିତ ସଂଯୁକ୍ତ ସେମାନଙ୍କ ପିତାମାତା କିମ୍ବା ଅଭିଭାବକଙ୍କ ଫଟୋଗ୍ରାଫ୍ ଉପରେ ଆଧାରିତ । ପାଞ୍ଚ ବର୍ଷ କିମ୍ବା ତା’ଠାରୁ କମ୍ ପିଲାମାନଙ୍କ ପାଇଁ ବ୍ଲୁ ଆଧାର କାର୍ଡ ତିଆରି କରାଯାଏ । 5 ବର୍ଷ ବୟସ ପରେ ଏହି ନୀଳ ଆଧାର ସ୍ବୟଂଚାଳିତ ଭାବରେ ଅବୈଧ ହୋଇଯାଏ ।
ରେଗୁଲାର ଓ ବ୍ଲୁ ଆଧାର କାର୍ଡ ଭିତରେ ପ୍ରଭେଦ କଣ ?
ବ୍ଲୁ ଆଧାର କାର୍ଡ କେବଳ ପାଞ୍ଚ କିମ୍ବା ପାଞ୍ଚ ବର୍ଷରୁ କମ୍ ପିଲାମାନଙ୍କ ପାଇଁ ତିଆରି ହୋଇଥାଏ । ଏଥିରେ ପିଲାମାନଙ୍କର ବାୟୋମେଟ୍ରିକ୍ ସୂଚନା ନଥାଏ । ଯେତେବେଳେ ଶିଶୁର ବୟସ 5 ବର୍ଷରୁ ଅଧିକ ହୁଏ ସେତେବେଳେ ନୀଳ ଆଧାର କାର୍ଡ ଅବୈଧ ହୋଇଯାଏ ଏବଂ ତା’ପରେ ପିଲାଙ୍କ ପାଇଁ ସ୍ବତନ୍ତ୍ର ଆଧାର କାର୍ଡ ତିଆରି କରିବାକୁ ପଡିବ ଯାହା 15 ବର୍ଷ ବୟସ ପର୍ଯ୍ୟନ୍ତ ବୈଧ ଅଟେ । ଏହାପରେ 15 ବର୍ଷ ବୟସ ପରେ ପୁଣି ଏକ ନୂଆ ଆଧାର କାର୍ଡ ତିଆରି କରିବାକୁ ପଡିଥା । ଏଥିରେ ତାଙ୍କର ବାୟୋମେଟ୍ରିକ୍ ସୂଚନା ରହିଥାଏ ।
UIDAI ଅନୁଯାୟୀ ଅଭିଭାବକମାନେ ସେମାନଙ୍କ ପିଲାମାନଙ୍କ ସ୍କୁଲ ପରିଚୟ ପତ୍ର ସାହାଯ୍ୟରେ ବ୍ଲୁ ଆଧାର ପାଇପାରିବେ । ଏଥିସହିତ ଯଦି ପିଲା ଏପର୍ଯ୍ୟନ୍ତ ବିଦ୍ୟାଳୟକୁ ଯିବା ଆରମ୍ଭ କରିନାହାଁନ୍ତି ତେବେ ଏହା ଶିଶୁର ଜନ୍ମ ପ୍ରମାଣପତ୍ର କିମ୍ବା ଶିଶୁର ଜନ୍ମ ସମୟରେ ଡାକ୍ତରଖାନାରୁ ପ୍ରାପ୍ତ ଡିସଚାର୍ଜ ସ୍ଲିପ୍ ମାଧ୍ୟମରେ କରାଯାଇପାରିବ ।