ହାଇଦ୍ରାବାଦ: ଭାରତରେ 5ଜି ସେବା ଆରମ୍ଭ କଲା ଭୋଡାଫୋନ ଆଇଡିଆ (Vi) । ଏକ ରିପୋର୍ଟ ଅନୁସାରେ ଏହି ଖବର ସାମ୍ନାକୁ ଆସିଛି । ଦୂରସଞ୍ଚାର ସେବା ପ୍ରଦାନ କରୁଥିବା ଏହି କମ୍ପାନୀ ନିଜର 5ଜି ସେବା ଦେଶର କିଛି ନିର୍ଦ୍ଦିଷ୍ଟ ସହରରେ ପ୍ରଥମ ପର୍ଯ୍ୟାୟରେ ଆରମ୍ଭ କରିଛି । ସେହି ସହରଗୁଡ଼ିକ ମଧ୍ୟରେ ବେଙ୍ଗାଲୁରୁ, ଚେନ୍ନାଇ, କୋଲକାତା, ମୁମ୍ବାଇ ଓ ନୂଆଦିଲ୍ଲୀ ସାମିଲ ।
ଭାରତରେ 6ରୁ 7 ମାସ ମଧ୍ୟରେ 5ଜି ସେବା ଆରମ୍ଭ ହେବ ବୋଲି କମ୍ପାନୀର ସିଇଓ ଚଳିତ ବର୍ଷ ଜାନୁଆରୀରେ ଘୋଷଣା କରିଥିଲେ । ଏବେ ଏହି ଖବର ସାମ୍ନାକୁ ଆସିଛି ସତ, କିନ୍ତୁ କିଛି ଦେଶର କିଛି ପ୍ରମୁଖ ସହରରେ ଏହି ସେବା ଆରମ୍ଭ ହୋଇଛି । 'Telecom Talk'ର ଏକ ରିପୋର୍ଟ ଅନୁସାରେ, ଭୋଡାଫୋନ ଆଇଡିଆ ଭାରତରେ କେବଳ 17 ଲାଇସେନ୍ସ ପ୍ରାପ୍ତ କ୍ଷେତ୍ର (LSA)ରେ 5ଜି ସେବା ଆରମ୍ଭ କରୁଛି ।
ଏହି ରିପୋର୍ଟ ଅନୁସାରେ, Vi ଉଭୟ 3.3GHz ଏବଂ 26GHz ସ୍ପେକ୍ଟ୍ରମରେ 5G ସୁବିଧା ଲଞ୍ଚ କରିଛି । ଏହି ସେବା ଉଭୟ ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ଗ୍ରାହକଙ୍କ ପାଇଁ ଆରମ୍ଭ କରାଯାଇଛି । ସେବାର ଶୁଭାରମ୍ଭ ନିଶ୍ଚିତ କରିବାକୁ କିଛି ଉପଭୋକ୍ତା ସୋସିଆଲ ମିଡିଆରେ ନିଜ ହ୍ୟାଣ୍ଡସେଟରେ ସକ୍ଷମ 5G ସେବାର ସ୍କ୍ରିନସଟ ସେୟାର କରିଛନ୍ତି । କିନ୍ତୁ ଭୋଡାଫୋନ ଆଇଡିଆ ଆନୁଷ୍ଠାନିକ ଭାବେ 5G ସେବା ଆରମ୍ଭ କରିବାକୁ ଘୋଷଣା କରିନାହିଁ ।