ହାଇଦ୍ରାବାଦ: ମନୁଷ୍ୟ ଜାତି ନିଜ ଜୀବନକାଳ ମଧ୍ୟରେ ପୃଥିବୀରେ ବିଭିନ୍ନ ଦିଗ ଉପରେ ଗବେଷଣା ଜାରି ରଖିଛି । ଏହି ଅନୁସନ୍ଧାନ ମଧ୍ୟରେ ମନୁଷ୍ୟ 'ଅମର' ରହସ୍ୟ ଖୋଜିବାରେ ସର୍ବଦା ଚେଷ୍ଟିତ । ଏହି ଅନୁସନ୍ଧାନ ଯାତ୍ରାରେ ମନୁଷ୍ୟ ଏପରି ଏକ ରହସ୍ୟମୟ ଜୀବ ସମ୍ପର୍କରେ ଖୋଜି ବାହାର କରିଛି, ଯାହା ଆଗରେ ମୃତ୍ୟୁ ମଧ୍ୟ ହାର ମାନିଥାଏ । ଏହି ଜୀବକୁ କେବେ ହେଲେ ବାର୍ଦ୍ଧକ୍ୟ ଛୁଇଁ ପାରେନାହିଁ । ବାର୍ଦ୍ଧକ୍ୟ ଛୁଇଁବା ମାତ୍ରେ ଏହା ନିଜର ଯୌବନ ଅବସ୍ଥାକୁ ଫେରି ଆସିଥାଏ । ଆସନ୍ତୁ ଜାଣିବା ସେହି ରହସ୍ୟମୟ ଜୀବ ବା ଏକ ସ୍ବତନ୍ତ୍ର ପ୍ରଜାତିର 'ଜେଲିଫିସ୍' (Jellyfish) ସମ୍ପର୍କରେ ଯାହାର କେବେ ବି ମୃତ୍ୟୁ ଘଟିନଥାଏ ।
କିପରି ହୋଇଥାଏ ଅମର ଜେଲିଫିସ୍ର ଜୀବନ ଚକ୍ର ?
ସାଧାରଣତଃ ଅମର ଜେଲିଫିସ୍ ଯାହାର ବୈଜ୍ଞାନିକ ନାମ ତୁରିଟୋପସିସ୍ ଡୋହରନି (Turritopsis dohrnii) ଜୀବନ ଚକ୍ର ଅନ୍ୟ ଜେଲିଫିସ୍ ସହିତ ସମାନ । ଏହାର ଜୀବନ ଏକ ଲାର୍ଭା ସହିତ ଆରମ୍ଭ ହୁଏ ଓ ପରେ ବୟସ୍କ ମେଡୁସା (Medusa)ରେ ପହଞ୍ଚିଥାଏ । କିନ୍ତୁ ଯେତେବେଳେ ପରିବେଶ ଚାପ କିମ୍ବା ଶାରୀରିକ କ୍ଷତିର ସମ୍ମୁଖୀନ ହେବାକୁ ପଡେ ସେତେବେଳେ ଏହି ଜେଲିଫିସ୍ ଏହାର ଜୀବନ ଚକ୍ରର ପୂର୍ବ ପର୍ଯ୍ୟାୟକୁ ଫେରିପାରେ । ଏହାର ବୟସ୍କ କୋଷଗୁଡ଼ିକୁ ପଲିପ୍ ପର୍ଯ୍ୟାୟରେ (ଯୁବ ଅବସ୍ଥା) ରୂପାନ୍ତର କରିପାରେ ବୋଲି ନ୍ୟାଚୁରାଲ ହିଷ୍ଟ୍ରି ମ୍ୟୁଜିଅମରେ ପ୍ରକାଶିତ ହୋଇଛି । ଏହି ପରିବର୍ତ୍ତନ ପ୍ରକ୍ରିୟାକୁ 'ଟ୍ରାନ୍ସଡିଫରେନସିଏସନ' ବୋଲି କୁହାଯାଏ ।
ଏହି ପ୍ରକ୍ରିୟା ସହିତ ଜେଲିଫିସ୍ ପୁଣି ଥରେ ନିଜ ଜୀବନ ଚକ୍ର ଆରମ୍ଭ କରିଥାଏ । ଏହି ପ୍ରକ୍ରିୟାରେ ଜେଲିଫିସ୍ର ସ୍ବତନ୍ତ୍ର କୋଷଗୁଡ଼ିକ ନୂଆ କୋଷ ସୃଷ୍ଟି କରିବା ଆରମ୍ଭ କରନ୍ତି । ଏହାପରେ ଜେଲିଫିସ୍ର ଶରୀର ଯୁବାବସ୍ଥା (Polyp)କୁ ଆସିୟାଏ । ଥରେ ଏହା ପଲିପ୍କୁ ଆସିବା ପରେ ଏହାର ଜୀବନ ଚକ୍ର ପୁଣି ଆରମ୍ଭ ହୁଏ । ଏହାପରେ ଏହା ବୟସ୍କ ଅବସ୍ଥା 'ମେଡୁସା'ରେ ପହଞ୍ଚେ ଓ ମୃତ୍ୟୁକୁ ଏଡାଇବା ଲାଗି ବୃଦ୍ଧାବସ୍ଥା ଆସୁ ଆସୁ ନୂଆ କୋଷ ତିଆରି କରିବା ଆରମ୍ଭ କରେ । ଏହି ପ୍ରକ୍ରିୟା ଥରେ କି 2ଥର ନୁହେଁ, ବାରମ୍ବାର ହୋଇପାରେ । ଯାହାଦ୍ବାରା ଏହି ସ୍ବତନ୍ତ୍ର ପ୍ରଜାତିର ଜେଲିଫିସ୍କୁ ଅମର ବୋଲି କୁହାଯାଏ ।
ଅମର ଜେଲିଫିସ୍ ସମ୍ପର୍କରେ ପ୍ରଥମେ କିଏ ଜାଣିଲେ ?
ନ୍ୟାଚୁରାଲ ହିଷ୍ଟ୍ରି ମ୍ୟୁଜିଅମ ଅନୁସାରେ, Turritopsis dohrnii ପ୍ରଜାତି ଜେଲିଫିସ୍ ସମ୍ପର୍କରେ 1883 ମସିହାରେ ବୈଜ୍ଞାନିକମାନେ କରିଥିଲେ, କିନ୍ତୁ ଏହାର ବିଶେଷ ଗୁଣ ବା ଅମର ସମ୍ପର୍କରେ ଏହାର 100 ବର୍ଷ ପରେ 1980 ମସିହାରେ ଜଣାପଡ଼ିଥିଲା । ଏକଦା ଖ୍ରୀଷ୍ଟିଆନ ସୋମାର ଓ ଜର୍ଜିଓ ବଭେଷ୍ଟ୍ରେଲୋ ଥରେ ଏହି ପ୍ରଜାତିର ପଲିପ୍କୁ ସଂଗ୍ରହ କରିଥିଲେ । ଏହା ବୟସ୍କ ଅବସ୍ଥା ମେଡୁସାରେ ପହଞ୍ଚିବା ପର୍ଯ୍ୟନ୍ତ ଏହାକୁ ଏକ କାଚ ଜାର୍ରେ ରଖିଥିଲେ । ସେମାନେ ଭାବିଥିଲେ ଜେଲିଫିସ୍ ଡିମ୍ବାଣୁ ରିଲିଜ୍ କରିବେ ଏବଂ ଲାର୍ଭା ଉତ୍ପାଦନ କରିବେ । କିନ୍ତୁ ଯେତେବେଳେ ପାତ୍ରଟିକୁ ଯାଞ୍ଚ କରାଯାଇଥିଲା, ସେତେବେଳେ ସେମାନେ ଅନେକ ନୂଆ ପଲିପ୍ ପାଇ ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ । କିନ୍ତୁ ଗବେଷଣାରୁ ଜଣାପଡ଼ିଥିଲା ଯେ ସେମାନେ ବିପଦ ଅନୁଭବ କରିବା ପରେ ପ୍ରଜନନ ବିନା ୟୁବବସ୍ଥାକୁ ଫେରିପାରନ୍ତି । ଏହାପରେ ବିଶ୍ବବାସୀ ଅମର ଜେଲିଫିସ୍ ସମ୍ପର୍କରେ ଜାଣିବାକୁ ପାଇଥିଲେ ।
ଅମର ଜେଲିଫିସ କେବେ ମରିପାରନ୍ତି କି ?
ଏହି ସ୍ବତନ୍ତ୍ର ପ୍ରଜାତିର ଜେଲିଫିସ୍ ନିଶ୍ଚିତ ଭାବରେ ମୃତ୍ୟୁକୁ ଚକମା ଦେଇପାରନ୍ତି, କିନ୍ତୁ ସବୁବେଳେ ପରିସ୍ଥିତି ସମାନ ନଥାଏ । ଏପରି ପରିସ୍ଥିତି ରହିଛି ଯାହାଦ୍ବାରା ଅମର ଜେଲିଫିସକୁ ମଧ୍ୟ ମରିବାକୁ ପଡ଼ିଥାଏ । ଉଦାହରଣ ସ୍ବରୂପ, ଯଦି ଏହି ପ୍ରଜାତି ଅନ୍ୟ କୌଣସି ଜୀବ ଯେପରିକି ବଡ଼ ମାଛ କିମ୍ବା ସମୁଦ୍ର କଇଁଛର ଖାଦ୍ୟ ପାଲଟନ୍ତି, ସେତେବେଳେ ଏମାନେ ମୃତ୍ୟୁର ସମ୍ମୁଖୀନ ହୁଅନ୍ତି ।
କିନ୍ତୁ ଏହା ବୁଝିବା ମୁସ୍କିଲ ଯେ ଏହି ପ୍ରଜାତିର ଜେଲିଫିସ୍ କେତେ ଦୀର୍ଘ ସମୟ ପର୍ଯ୍ୟନ୍ତ ଜୀବିତ ରହିପାରିବେ ? କାରଣ ଗଭୀର ସମୁଦ୍ରରେ ଏହାର ଗବେଷଣା କରିବା ଲାଗି ଅନେକ ସମୟ ଲାଗିଥାଏ ଓ ସମୟ ସହିତ ସମୁଦ୍ର ଓ ଦୃଷ୍ଟିଭଙ୍ଗୀରେ ମଧ୍ୟ ପରିବର୍ତ୍ତନ ଆସେ । ଅନ୍ୟପଟେ ଏହା ଏକ ସମ୍ବେଦନଶୀଳ ବା ଆକାରରେ ଅତି ଛୋଟ ହୋଇଥିବାରୁ ଏହାକୁ ଆଣି ଲାବ୍ରୋଟୋରୀରେ ରଖି ଗବେଷଣା କରିବା ମଧ୍ୟ ସମ୍ଭବପର ନୁହେଁ । କିନ୍ତୁ ଆହ୍ବାନ ମଧ୍ୟରେ ଜଣେ ବୈଜ୍ଞାନିକଙ୍କୁ ଜେଲିଫିସ୍ ସମ୍ପର୍କରେ ଦୀର୍ଘକାଳୀନ ସଫଳତା ଲାଭ କରିଛନ୍ତି ।
ଜାପାନ ବୈଜ୍ଞାନିକ ଶିନ କୁବୋଟା 1990ରେ ଅମର ଜେଲିଫିସ୍ ସମ୍ପର୍କରେ 1990 ମସିହାରେ ଏକ ସୂଚନା ପାଇଥିଲେ । ସେ କିଛି ଜେଲିଫିସ୍ଗୁଡ଼ିକୁ ଆଣି ନିଜ ଲାବ୍ରୋଟୋରୀରେ ରଖିଥିଲେ ଓ ଏହା ଉପରେ ନଜର ରଖିଥିଲେ । ସେ ପ୍ରାୟ 2ବର୍ଷ ଗବେଷଣା କରିବା ପରେ କହିଥିଲେ ଯେ 2ବର୍ଷ ସମୟକାଳ ମଧ୍ୟରେ ଜେଲିଫିସ୍ଗୁଡ଼ିକ ପ୍ରାକୃତିକ ଭାବରେ ନିଜକୁ ଯୁବାବସ୍ଥାକୁ ଫେରାଇ ଆଣିପାରୁଛନ୍ତି ଏବଂ ସେ ପ୍ରାୟ 10ଥର ଏପରି କରିଛନ୍ତି । ଏହି ପ୍ରଜାତିର କିଛି କିଛି ଜେଲିଫିସ୍ ଏକ ମାସ ମଧ୍ୟରେ ନିଜ ୟୁବାବସ୍ଥାକୁ ଫେରିଛନ୍ତି ।
କେଉଁଠି ଦେଖାଯାଆନ୍ତି ଅମର ଜେଲିଫିସ୍ ?
କୁହାଯାଏ ଏହି ଅମର ଜେଲିଫିସ୍ ଭୂମଧ୍ୟ ସମୁଦ୍ରରେ ସୃଷ୍ଟି ହୋଇଥିଲେ, କିନ୍ତୁ ଏବେ ଏହି ପ୍ରଜାତି ସାରା ବିଶ୍ବର ସାଗର ଓ ମହାସାଗରରେ ଦେଖିବାକୁ ମିଳନ୍ତି । ଅମର ଜେଲିଫିସ୍ ସାଧାରଣତଃ ଅଗୋଚର ବା 4.5 ମିଲିମିଟର ଆକାରର (ଆପଣଙ୍କ ଛୋଟ ଆଙ୍ଗୁଠିଠାରୁ ବି ଛୋଟ) ହୋଇଥାନ୍ତି, ଫଳରେ ଏମାନଙ୍କୁ ଚିହ୍ନିବା ବହୁତ କାଠିକର ପାଠ ହୋଇପଡ଼େ । ଏହି ପ୍ରଜାତିର ଜେଲିଫିସ୍ ଦୁନିଆର ଯେଉଁଠି ବି ରୁହନ୍ତୁ, ସେହି ଅନୁସାରେ ନିଜର ବିଶେଷତାକୁ ପରିବର୍ତ୍ତନ କରିଥାନ୍ତି । ମଧ୍ୟ ଆମେରିକାର ଗ୍ରୀଷ୍ମ ମଣ୍ଡଳୀୟ ସ୍ଥାନ ପାନାମାଠାରେ ଦେଖିବାକୁ ମିଳୁଥିବା ଜେଲିଫିସ୍ର ଟେଣ୍ଟାକଲ୍ ବା ବାହାରିଥିବା ଲାଞ୍ଜ 8ଟି ଥାଏ, କିନ୍ତୁ ଜାପାନ ଓ ଭୂମଧ୍ୟସାଗରରେ ଥିବା ଏହି ପ୍ରଜାତିର ଜେଲିଫିସ୍ର ଟେଣ୍ଟାକଲ୍ 24ରୁ ଅଧିକ ହୋଇଥାଏ । ଏହା କଣ ପାଇଁ ସେ ସମ୍ପର୍କରେ ଏଯାବତ ଜଣାପଡ଼ିନାହିଁ ।
ମଣିଷ ପାଇଁ ବିପଦଜନକ କି ଜେଲିଫିସ୍ ?
ସମସ୍ତ ପ୍ରଜାତିର ଜେଲିଫିସ୍ ବିଷାକ୍ତ ହୋଇନଥାନ୍ତି । କିନ୍ତୁ କିଛି ନିର୍ଦ୍ଦିଷ୍ଟ ଜେଲିଫିସ୍ ମଣିଷଙ୍କ ସଂସ୍ପର୍ଶରେ ଆସିଲେ ସେମାନଙ୍କୁ କାମୁଡି ଦେଇଥାନ୍ତି, ଯାହା ଫଳରେ ମନୁଷ୍ୟ ଶରୀରରେ ଅସହ୍ୟ ଯନ୍ତ୍ରଣା ହୋଇଥାଏ । ଏହି କିଛି ନିର୍ଦ୍ଦିଷ୍ଟ ଜେଲିଫିସ୍ ମଧ୍ୟରୁ ଗୋଟିଏ ହେଉଛି ଅଷ୍ଟ୍ରେଲିଆନ୍ ବକ୍ସ ଜେଲିଫିସ୍ ଯିଏକି କାମୁଡି ମଣିଷ ଶରୀରେ ବିଷାକ୍ତ ପଦାର୍ଥ ଛାଡ଼ିଥାଏ । ଯାହାଦ୍ବାରା ମଣିଷର ମୃତ୍ୟୁ ମଧ୍ୟ ଘଟିପାରେ । ସମୁଦ୍ରରେ ପହଁରିବା ସମୟରେ, ସମୁଦ୍ରକୂଳରେ ଖରା ଖାଉଥିବା ସମୟରେ ଲୋକେ ଜେଲିଫିସ୍ର ସଂସ୍ପର୍ଶରେ ଆସିଥାନ୍ତି । କିନ୍ତୁ ଅମର ଜେଲିଫିସ୍ ମଣିଷଙ୍କ ଲାଗି ବିପଦ ଆଣିନଥାଏ । ଏହା ଆକାରରେ ଛୋଟ ହୋଇଥିବାରୁ ବଡ଼ ଜୀବକୁ କାମୁଡ଼ିବାରେ ସକ୍ଷମ ହୋଇନଥାଏ । ଏହାସହ ଅମର ଜେଲିଫିସ୍ କାମୁଡିଲେ ମଧ୍ୟ କୌଣସି ଯନ୍ତ୍ରଣା ହୋଇନଥାଏ ।