ହାଇଦ୍ରାବାଦ:ChatGPT ଲଞ୍ଚ କରି ସାରା ବିଶ୍ବରେ ଚର୍ଚ୍ଚିତ ହୋଇଥିବା କମ୍ପାନୀ OpenAI ପୁଣି ଗୁଗଲକୁ ଚିନ୍ତାରେ ପକାଇଛି । ସର୍ଚ୍ଚ ଇଞ୍ଜିନ ପରେ କମ୍ପାନୀ ପୁଣି ବ୍ରାଉଜର ଆଣିବାକୁ ଯୋଜନା କରୁଛି । ଯଦି ଏପରି ହୁଏ ତେବେ ଗୁଗଲ୍ର ସବୁଠୁ ଅଧିକ ବ୍ୟବହାର ହେଉଥିବା Google Chromeକୁ ଏହା ସିଧାସଳଖ ଟକ୍କର ଦେବ । OpenAIର ବ୍ରାଉଜର ଚାଟ୍ଜିପିଟି ସହିତ ମିଶି ଅଧିକ ଭଲ ଜବାବ ଦେବ । ଏପଟେ Google ଆମେରିକା ନ୍ୟାୟ ବିଭାଗ ତଦନ୍ତରେ ଫସିଥିବା ବେଳେ ଏପଟେ ଏହି ଖବର କମ୍ପାନୀକୁ ଚିନ୍ତାରେ ପକାଇଛି ।
OpenAI ପ୍ଲାଟଫର୍ମରେ ସର୍ଚ୍ଚ ସହିତ ବ୍ରାଉଜିଂ:-
ସାମ ଅଲ୍ଟମ୍ୟାନଙ୍କ ଦ୍ବାରା ପ୍ରତିଷ୍ଠିତ କମ୍ପାନୀ ଓପନଏଆଇ (OpenAI) ନିକଟରେ ଏହାର ସର୍ଚ୍ଚ ଇଞ୍ଜିନ୍ ସର୍ଚ୍ଚ ଜିପିଟି ଲଞ୍ଚ କରିଛି ଯାହା ପ୍ରିମିୟମ୍ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ । ଗୁଗଲ୍ ପରି ଟେକ୍ ଜାଏଣ୍ଟ ସହିତ ପ୍ରତିଯୋଗିତା କରିବା ଦିଗରେ ବ୍ରାଉଜର ଆଣିବା ନିଷ୍ପତ୍ତି କମ୍ପାନୀ ପାଇଁ ନିଶ୍ଚିତ ଏକ ବଡ଼ ପ୍ରୟାସ । ବର୍ତ୍ତମାନ ବ୍ରାଉଜର୍ ଲଞ୍ଚ କରିବା OpenAIର ସ୍ଥିତି ଆହୁରି ମଜଭୁତ ହେବ । କାରଣ ଏହା ଚାଟବଟ୍ ଏବଂ AI- ଆଧାରିତ ସର୍ଚ୍ଚର ଅନୁଭବ ପ୍ରଦାନ କରିବ ।
OpenAI ବ୍ରାଉଜରରେ କଣ ମିଳିବ ସୁବିଧା ?
କମ୍ପାନୀର ବ୍ରାଉଜର୍ ପ୍ରୋଜେକ୍ଟ ପ୍ରାରମ୍ଭିକ ପର୍ଯ୍ୟାୟ ରହିଛି । OpenAI ଏହାର ଜେନେରେଟିଭ୍ AI କ୍ଷମତାକୁ ପାରମ୍ପାରିକ ବ୍ରାଉଜିଂ ସହିତ ମିଶ୍ରଣ କରିପାରେ ଯାହାକି ଏକ ଅଧିକ ସମନ୍ବିତ ଏବଂ ଅନ୍ତର୍ନିହିତ ଉପଭୋକ୍ତା ଅଭିଜ୍ଞତା ସୃଷ୍ଟି କରିବ । ତେବେ ଯଦି ଏହା ସଫଳ ହୁଏ ତେବେ ଗୁଗଲ୍ର କ୍ରୋମ ବ୍ରାଉଜରକୁ ଚ୍ୟାଲେଞ୍ଜ କରିପାରେ । OpenAI ନିଜର AI ଆଧାରିତ ବ୍ରାଉଜରକୁ ନିଜ ପ୍ଲାଟଫର୍ମରେ ଉପଲବ୍ଧ କରିବାକୁ Conde Nast, Redfin, Eventbrite ଓ Priceline ସହିତ ଆଲୋଚନା କରିଛି । ସୂଚନାନୁସାରେ କିଛି ଡେଭଲପର୍ ଏହି ପ୍ରଡକ୍ଟ ପାଇଁ ପ୍ରୋଟୋଟାଇପ୍ କିମ୍ବା ଡିଜାଇନ୍ ଦେଖିସାରିଛନ୍ତି । ଆଲୋଚନା ସଫଳ ହେଲେ ଇଣ୍ଟରନେଟ ବ୍ୟବହାରୀଙ୍କ ଲାଗି ଗୁଗଲ୍ ବଦଳରେ OpenAI ଏକ ବିକଳ୍ପ ହୋଇପାରେ ।
କେଉଁ କେସରେ ଫସିଛି Google ?
ଗୁଗଲ୍ ବିରୋଧରେ ଆମେରିକାର ନ୍ୟାୟ ବିଭାଗ (DoJ) ମାମଲା ଚାଲିଛି, ଯାହାକି OpenAIକୁ ଏକ ବଡ଼ ସୁଯୋଗ ଦେଇଛି । ନିକଟରେ DoJ ଗୁଗଲ୍ ବିରୋଧରେ ସର୍ଚ୍ଚ ମାର୍କେଟରେ ଏକଚାଟିଆ ବା ଏକାଧିକାର ବଜାୟ ରଖିଥିବା ଅଭିଯୋଗ ଆଣିଛି । Google ଇଣ୍ଟରନେଟ୍ ସର୍ଚ୍ଚରେ ନିଜର ଏକାଧିକାର ବଜାର ରଖିଥିବା ଅଭିଯୋଗ ଉପରେ ସହମତି ପ୍ରକାଶ କରିଛନ୍ତି କୋର୍ଟ । ଗୁଗଲ୍ ଇଣ୍ଟରନେଟ୍ରେ ହେଉଥିବା ପ୍ରାୟ 90% ସର୍ଚ୍ଚକୁ ନିୟନ୍ତ୍ରିତ କରିଥାଏ ଓ Chrome ଯାହାକି ଗୁଗଲ୍ ସର୍ଚ୍ଚ ନିକଟକୁ ଲୋକଙ୍କୁ ପଠାଇବାର ମୁଖ୍ୟ ମାଧ୍ୟମ, ତାହା ଆମେରିକାରେ 50%ରୁ ଅଧିକ ବ୍ରାଉଜର ମାର୍କେଟ ଉପରେ ରାଜ କରେ । ଏଥିଲାଗି ଗୁଗଲ୍ କ୍ରୋମ୍ ବ୍ରାଉଜର ବିକ୍ରୟ କରିବାକୁ କମ୍ପାନୀକୁ ପରାମର୍ଶ ଦେଇଛି ନ୍ୟାୟ ବିଭାଗ । ଏହାସିହତ ଆପଲ୍ ଓ ଅନ୍ୟ କମ୍ପାନୀ ସହିତ ଗୁଗଲ୍କୁ ନିଜର ଘନିଷ୍ଠ ସମ୍ପର୍କକୁ ସମାପ୍ତ କରିବା ସମ୍ପର୍କରେ ମଧ୍ୟ କୋର୍ଟ୍ଟ କହିଛନ୍ତି ଯାହାକି ଗୁଗଲ୍କୁ ନିଜ ସ୍ମାର୍ଟଫୋନ କିମ୍ବା ଟାବଲେଟ୍ରେ 'ଡିଫଲ୍ଟ ସର୍ଚ୍ଚ ଇଞ୍ଜିନ' ବନାଇଥାନ୍ତି ।