ହାଇଦ୍ରାବାଦ:ନୂତନ ବର୍ଷ ୨୦୨୪ର ପ୍ରଥମ ମାସ ଟେକ୍ କ୍ଷେତ୍ରରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ଅଶୁଭ ସାବ୍ୟସ୍ତ ହୋଇଛି । କେବଳ ଜାନୁଆରୀ ମାସରେ ହିଁ 122ରୁ ଅଧିକ ଟେକ୍ କମ୍ପାନୀ ଓ ଷ୍ଟାର୍ଟଅପ୍ କମ୍ପାନୀ 30 ହଜାରରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିଥିବାବେଳେ ଚାକିରିରୁ ଛଟେଇ ଅଭିଯାନ ଏବେ ମଧ୍ୟ ଜାରି ରହିଛି ।
ଚାକିରିରୁ ଛଟେଇ ସମ୍ପର୍କିତ ତଥ୍ୟ ସଂଗ୍ରହକାରୀ ୱେବସାଇଟ ଲେଅଫ୍ ଡଟ୍ ଏଫୱାଇଆଇ ଅନୁସାରେ 122 ଟି ଟେକ୍ କମ୍ପାନୀ 31, 751 କର୍ମଚାରୀଙ୍କୁ ଫେବୃଆରୀ 3 ସୁଦ୍ଧା ଚାକିରିରୁ ବାହାର କରିଛନ୍ତି । ଷ୍ଟାର୍ଟଅପ୍ ସମେତ ଟେକ୍ କମ୍ପାନିଗୁଡ଼ିକ 2022 ଓ 2023 ମସିହାରେ ସାରା ବିଶ୍ବରେ 4 ଲକ୍ଷ 25 ହଜାରରୁ ଅଧିକ କର୍ମଚାରୀଙ୍କୁ ଚାକିରିରୁ ବାହାର କରିଦେଇଥିଲେ । ଭାରତରେ ସମାନ ସମୟରେ 36 ହଜାରରୁ ଅଧିକ କର୍ମଚାରୀଙ୍କୁ ଚାକିରିରୁ ବାହାର କରିଦିଆଯାଇଥିଲା ।
ଭିଡିଓ କମ୍ୟୁନିକେସନ ପ୍ଲାଟଫର୍ମ ଜୁମ ପାଖାପାଖି 150 କର୍ମଚାରୀଙ୍କୁ ଛଟେଇ କରୁଛି, ଅର୍ଥାତ୍ କମ୍ପାନୀର 2 ପ୍ରତିଶତରୁ କମ୍ କର୍ମଚାରୀଙ୍କୁ ଛଟେଇ କରାଯାଉଛି । ଜୁମ ବ୍ୟତୀତ କ୍ଲାଉଡ ସଫ୍ଟୱେର ଭେଣ୍ଡର ଓକ୍ଟା ମଧ୍ୟ ନିଜର ପାଖାପାଖି 400 କର୍ମଚାରୀ ଅର୍ଥାତ୍ ପାଖାପାଖି 7 ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିବାକୁ ଘୋଷଣା କରିଛି । ଅନଲାଇନ୍ ପେମେଣ୍ଟ ଗେଟୱେ ପେ ପାଲ୍ ଗତ ମାସରେ ଚାକିରିରୁ ଛଟେଇ ଆରମ୍ଭ କରିଥିଲା, ଯାହାଫଳରେ ଏହାର ପ୍ରାୟ 2,500 ଜଣ କର୍ମଚାରୀଙ୍କୁ ପ୍ରଭାବିତ କରିଛି ।