ହାଇଦ୍ରାବାଦ: ଫେସବୁକ୍ର ପ୍ୟାରେଣ୍ଟ କମ୍ପାନୀ ତଥା ଗ୍ଲୋବାଲ ଟେକ୍ ଜାଏଣ୍ଟ ମେଟା ନିଜର ପରିଚାଳନାକୁ ଭାରତରେ ବିସ୍ତାର କରିବା ସ୍ବରୂପ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି । ଭାରତରେ ବିଶେଷ କରି ଇଞ୍ଜିନିୟର, AI ରୋଲ୍ ଲାଗି ପ୍ରଡକ୍ଟ ସ୍ପେଶିଆଲିଷ୍ଟ ପଦବୀ ଆଣିବା ଲାଗି ଯୋଜନା କରୁଛି । ଏପରିକି ମେଟା ବେଙ୍ଗାଲୁରୁରେ ନୂଆ ଅଫିସ ଖୋଲିବାକୁ ଯାଉଥିବାବେଳେ ଏଠାରେ 41ଟି ପଦବୀ ବାହାର କରିଥିବା ଏହାର କ୍ୟାରିଅର ୱେବସାଇଟ୍ରେ ଉଲ୍ଲେଖ କରିଛି ।
କଣ ମେଟାର ଲକ୍ଷ୍ୟ ?
ନିକଟରେ ମେଟା ଛଟେଇ କରିଥିଲା, ଯାହାଦ୍ବାରା ସାରା ବିଶ୍ବରେ କମ୍ପାନୀର କାର୍ଯ୍ୟବଳ 5% ପ୍ରଭାବିତ ହୋଇଥିଲା । କିନ୍ତୁ ମେଟା ଅନ୍ୟ ପ୍ରମୁଖ ଟେକ୍ କମ୍ପାନୀ ମାଇକ୍ରୋସଫ୍ଟ, ଗୁଗଲ୍, ଆମାଜନ୍ ପରି ଭାରତରେ ଏହାର ଇଞ୍ଜିନିୟରିଂ ଓ ପ୍ରଡକ୍ଟ ଟିମକୁ ସୁଦୃଢ କରିବା ପ୍ରକ୍ରିୟା ଆରମ୍ଭ କରିଛି । ଏଥିଲାଗି ବିଶେଷ କରି ବେଙ୍ଗାଲୁରୁରେ ଟେକନିକାଲ୍ ଟିମ ପ୍ରତିଷ୍ଠା କରିବା ଲାଗି ଇଞ୍ଜିନିୟରିଂ ଡିରେକ୍ଟର ନିଯୁକ୍ତି ଦେବ କମ୍ପାନୀ । ଏହାସହିତ AI ଭିତ୍ତିଭୂମିକୁ ବିସ୍ତାର କରିବା ପାଇଁ ମେଟା ହାର୍ଡୱେର ଇଞ୍ଜିନିୟରଙ୍କ ନିଯୁକ୍ତି ଆରମ୍ଭ କରିଛି । ଏମାନେ ମେଟାର ଡାଟା ସେଣ୍ଟର ଅପରେସନ ଓ କଷ୍ଟମ ଚିପ୍ ଡେଭଲପମେଣ୍ଟ ଉପରେ କାମ କରିବେ, ଯାହାକି କମ୍ପାନୀର ବୃଦ୍ଧି ପାଉଥିବା AI କ୍ଷମତା ଲାଗି ବେଶ ଗୁରୁତ୍ବପୂର୍ଣ୍ଣ ।