ହାଇଦ୍ରାବାଦ: ବର୍ତ୍ତମାନର ସୋସିଆଲ ମିଡିଆ ଯୁଗରେ ବହୁଳ ବ୍ୟବହାର ହେଉଛି ଫେସବୁକ ଏବଂ ଇନଷ୍ଟାଗ୍ରାମ୍ । ବିଶେଷ କରି ଛୋଟ ଛୁଆମାନେ ରିଲ୍ସ ଦେଖି ଅଧିକ ସମୟ ଅତିବାହିତ କରୁଛନ୍ତି । ଯାହା ଦ୍ବାରା ଛୁଆଙ୍କ ଉପରେ କୁପ୍ରଭାବ ପଡୁଛି। ତେବେ ଏନେଇ ପୂର୍ବରୁ ଅନେକ ଫିଚର ରୋଲଆଉଟ କରିଥିବା ବେଳେ ଆଉ ଏକ ଫିଚର ଆଣିଛି ମେଟା । ଛୁଆମାନଙ୍କୁ ଯେଉଁଭଳି ଭାବେ କୌଣସି କ୍ଷତି ନହେବ ସେନେଇ ମେଟା ସମୟ ସମୟରେ ଚାଇଲ୍ଡ ସେଫ୍ଟି ଫିଚର ଅପଡେଟ୍ କରିଥାଏ । ତେବେ ଶିଶୁଙ୍କ ସୁରକ୍ଷା ବା ସେଫ୍ଟିକୁ ଦୃଷ୍ଟିରେ ରଖି ମେଟା ଉଭୟ ପ୍ଲାଟଫର୍ମ ପାଇଁ ଏକ ନୂଆ ନିୟମ ଲାଗୁ କରିଛି ।
ସୋସିଆଲ ମିଡିଆର ସେନ୍ସେଟିଭି କଣ୍ଟେଣ୍ଟ ଛୋଟ ଛୁଆମାନଙ୍କ ଉପରେ କୁପ୍ରଭାବ ପକାଉଛି । ଶିଶୁ ସୁରକ୍ଷାକୁ ଧ୍ୟାନରେ ରଖି ଚଳିତବର୍ଷ ପ୍ରାରମ୍ଭରେ ନାବାଳକ ବା ନାବାଳିକାମାନଙ୍କ ଆକାଉଣ୍ଟକୁ ମୋଷ୍ଟ ରେଷ୍ଟ୍ରିକ୍ଟିଭ କାଟୋଗୋରୀରେ ସାମିଲ କରିଛି । ଏହା ଦ୍ବାରା ଛୁଆମାନଙ୍କ ଫିଡ୍ କିମ୍ବା ଏକ୍ସପ୍ଲୋରରେ ସେନ୍ସେଟିଭ କଣ୍ଟେଣ୍ଟ ଦେଖାଯାଉ ନାହିଁ ।
ଛୁଆମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମେଟା ଦ୍ବାରା ଏକ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି । 16 ବର୍ଷରୁ କମ୍ ବୟସର ଛୁଆଙ୍କ ଆକାଉଣ୍ଟରେ କମ୍ପାନୀ ଏକ ନୂଆ ପ୍ରତିବନ୍ଧକ ଲାଗୁ କରିଛି । ତେବେ ଛୁଆମାନଙ୍କର ଆକାଉଣ୍ଟର ଡିଏମ(DM) ସେଟିଂରେ ପରିବର୍ତ୍ତନ କରିଛି । ଏହି ପରିବର୍ତ୍ତନ ଦ୍ବାରା ଫଲୋର୍ସ କିମ୍ବା ପ୍ରୋଫାଇଲ ସହିତ ଜଡିତ ବ୍ୟକ୍ତି ହିଁ ମେସେଜ କରିପାରିବେ । କୌଣସି ଅଜଣା ବ୍ୟକ୍ତି ମେସେଜ କରିବାରେ ସମର୍ଥ ହେବେ ନାହିଁ । ଏହା ଦ୍ବାରା ଛୁଆମାନେ ସୋସିଆଲ ମିଡିଆରେ ସୁରକ୍ଷିତ ରହିବା ସହିତ ବିଭ୍ରାନ୍ତକାରୀ କଣ୍ଟେଣ୍ଟ ଠାରୁ ମଧ୍ୟ ଦୂରେଇ ରହିପାରିବେ ।