ହାଇଦ୍ରାବାଦ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ପାଇଁ ଆସନ୍ତାକାଲି ବଡ଼ ଦିନ । ଐତିହାସିକ ଲଞ୍ଚିଂ ଆଡ଼କୁ ଅଗ୍ରସର ହେଉଛି ଇସ୍ରୋ । ଆଜି ଡିସେମ୍ବର 4 ତାରିଖ ଅପରାହ୍ନ 4:08ରେ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଭବନ ମହାକାଶ କେନ୍ଦ୍ରରୁ ଉତକ୍ଷେପଣ ହେବ ୟୁରୋପୀୟ ମହାକାଶ ଏଜେନ୍ସି (ESA)ର ପ୍ରୋବା-3 ସୂର୍ଯ୍ୟ ମିଶନ । ନ୍ୟୁ ସ୍ପେଶ୍ ଇଣ୍ଡିଆ ଲିମିଟେଡ୍ (NSIL) ସହିତ ଏହା ପ୍ରଥମ ମିଶନ ଯାହାକି ESAର ଏହି PROBA-3 ଉପଗ୍ରହକୁ ଏକ ଉଚ୍ଚ ଅଲିପ୍ଟିକାଲ୍ କକ୍ଷପଥରେ ସ୍ଥାନିତ କରିବ । ଏହାକୁ ଇସ୍ରୋର ଶକ୍ତିଶାଳୀ PSLV-C59 ଲଞ୍ଚ ଭେହିକଲ ସାହାଯ୍ୟରେ ଉତକ୍ଷେପଣ କରାଯିବ ।
ପ୍ରୋବା-3 ହେଉଛି ୟୁରୋପୀୟ ସ୍ପେଶ ଏଜେନ୍ସିର ଏକ ଇନ୍-ଅର୍ବିଟ୍ ଡେମୋନଷ୍ଟ୍ରେସନ ମିଶନ ଯାହାକି ସୂର୍ଯ୍ୟଙ୍କ ବାହ୍ୟ ବଳୟକୁ ଅଧ୍ୟୟନ କରିବା ଏହାର ରହସ୍ୟର ଖୁଲାସା କରିବାକୁ ଲକ୍ଷ୍ୟ ରଖିଛି । ଏହି ମିଶନ ଜରିଆରେ ପ୍ରଥମେ ଦୁଇଟି ଛୋଟ ସାଟେଲାଇଟ୍କୁ ଏକତ୍ର ଉତକ୍ଷେପଣ କରାଯିବ । ଏହାପରେ ସେମାନେ ଅଲଗା ହୋଇଯିବେ । ଉଭୟ ସାଟେଲାଇଟ୍କୁ ସମାନ୍ତରାଳ ଭାବେ ରଖିବା ଲାଗି ସେମାନଙ୍କୁ ଏକାଠି ଅଣାଯିବ । ଗୋଟିଏ ସାଟେଲାଇଟ୍ ସୂର୍ଯ୍ୟଙ୍କ ରଶ୍ମିକୁ ବ୍ଲକ୍ କରିବ ଓ ଅନ୍ୟଟି ସୂର୍ଯ୍ୟଙ୍କ କୋରୋନା ବା ବାହ୍ୟ ବଳୟକୁ ଅଧ୍ୟୟନ କରିବ ।
କଣ ESAର ପ୍ରୋବା-3 ସୂର୍ଯ୍ୟ ମିଶନ ?
ୟୁରୋପୀୟ ମହାକାଶ ଏଜେନ୍ସି (ESA)ର ଏହା ହେଉଛି ନୂଆ ସୂର୍ଯ୍ୟ ମିଶନ । ଯାହାର ନାମ ରଖାଯାଇଛି ପ୍ରୋବା-3 । ଏହାର ପ୍ରଥମ ମିଶନର ନାମ ରଖାଯାଇଥିଲା ପ୍ରୋବା-1, ଯାହାକୁ ଇସ୍ରୋ 2001ରେ ଲଞ୍ଚ କରିଥିଲା । ଦ୍ବିତୀୟ ମିଶନ ପ୍ରୋବା-3 2009ରେ ଲଞ୍ଚ ହୋଇଥିଲା । ଆନୁମାନିକ ମୂଲ୍ୟରେ 200 ନିୟୁତ ୟୁରୋରେ ବିକଶିତ ପ୍ରୋବା-3 ଏକ ଉଚ୍ଚ ଏଲିପଟିକାଲ୍ କକ୍ଷପଥରେ ପ୍ରାୟ 600 x 60,530 କିଲୋମିଟରରେ 19.7 ଘଣ୍ଟାର କକ୍ଷପଥ ସହିତ ଲଞ୍ଚ ହେବ । ପ୍ରୋବା-3ରେ 2ଟି ମହାକାଶ ଯାନ ବା ସ୍ପେଶକ୍ରାଫ୍ଟ ରହିଛି । ଗୋଟିଏ ହେଉଛି କରୋନାଗ୍ରାଫ ସ୍ପେଶକ୍ରାଫ୍ଟ (CSC) ଓ ଅନ୍ୟଟି ହେଉଛି ଅକଲ୍ଟର ସ୍ପେଶକ୍ରାଫ୍ଟ (OSC) ।
ପ୍ରୋବା-3 ମିଶନର ଲକ୍ଷ୍ୟ କଣ ?
କରୋନାଗ୍ରାଫ୍ ଏବଂ ଅକଲଟର ଲଞ୍ଚ ହେବା ପରେ ଏକ ସୌର କରୋନାଗ୍ରାଫ୍ ଗଠନ କରିବ । ସୂର୍ଯ୍ୟଙ୍କ ବାହ୍ୟ ଅଂଶର ତାପମାତ୍ରା 2 ନିୟୁତ ଡିଗ୍ରୀ ଫାରେନହାଇଟ୍ରେ ରହିଥାଏ ଯାହାଦ୍ବାରା ଅତି ନିକଟରୁ ଦେଖିବା ବେଶ କଷ୍ଟକର । ତଥାପି ବୈଜ୍ଞାନିକ ଅଧ୍ୟୟନ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ କାରଣ ସମସ୍ତ ମହାକାଶ ପାଣିପାଗ ଯେପରିକି ସୌର ଝଡ଼ ଏବଂ ଏଥିରୁ ବାହାରୁଥିବା ପବନ ପୃଥିବୀରେ ସାଟେଲାଇଟ୍ ଯୋଗାଯୋଗ, ନାଭିଗେସନ୍ ଏବଂ ପାୱାର ଗ୍ରୀଡକୁ ଉପରେ ପ୍ରଭାବ ପକାଇଥାଏ । କରୋନାଗ୍ରାଫ (310କିଗ୍ରା) ଓ ଅକଲ୍ଟର (240କିଗ୍ରା) ଏକାଠି ଗତି କରିବେ । ଗୋଟିଏ ସୂର୍ଯ୍ୟଙ୍କ ରଶ୍ମିକୁ ବ୍ଲକ୍ କରି ଛାଇ ସୃଷ୍ଟି କରିବ ଓ ଅନ୍ୟ ସାଟେଲାଇଟ୍ଟି ଅଧ୍ୟୟନ କରିବ । ବୈଜ୍ଞାନିକମାନେ ଏହି ସାଟେଲାଇଟ ଜରିଆରେ ପ୍ରାୟ 6ଘଣ୍ଟା ପର୍ଯ୍ୟନ୍ତ ସୂର୍ଯ୍ୟଙ୍କ କରୋନାକୁ ଅଧ୍ୟୟନ କରିବେ ।
ସୂର୍ଯ୍ୟଙ୍କ କରୋନା ଓ ଏହା ସହ ଜଡ଼ିତ ପାଣିପାଗକୁ ଅଧ୍ୟୟନ କରିବା ଲାଗି ପ୍ରୋବା-3ରେ ତିନୋଟି ଉପକରଣ ବ୍ୟବହୃତ ହୋଇଛି:
- ASPIICS (ଆସୋସିଏସନ ଅଫ୍ ସ୍ପେସକ୍ରାଫ୍ଟ ଫର୍ ପୋଲାରାଇମେଟ୍ରିକ୍ ଏବଂ ଇମେଜିଙ୍ଗ୍ ଇନଭେଷ୍ଟିଗେସନ୍ ଅଫ୍ ସନ୍ସ କରୋନା)ରେ 1.4 ମିଟର ଡିସ୍କ ସହିତ ସୂର୍ଯ୍ୟଙ୍କ ଆଲୋକକୁ ଅବରୋଧ କରି ସୂର୍ଯ୍ୟଙ୍କ ବାହ୍ୟ ଏବଂ ଭିତର କରୋନାକୁ ଦେଖିବାରେ ସାହାଯ୍ୟ କରିବ ।
- DARA (ଡିଜିଟାଲ୍ ଅବସୋଲ୍ୟୁଟ୍ ରେଡିଓମିଟର) ସୂର୍ଯ୍ୟଙ୍କ ସମୁଦାୟ ଶକ୍ତି ଉତ୍ପାଦନକୁ କ୍ରମାଗତ ଭାବରେ ମାପିବା ପାଇଁ ଏହା କାମ କରିବ । ଏହି ଉପକରଣକୁ ଅକଲ୍ଟରରେ ଖଞ୍ଜା ଯାଇଛି ।
- 3DEES (3D ଏନର୍ଜେଟିକ୍ ଇଲେକ୍ଟ୍ରନ୍ ସ୍ପେକ୍ଟ୍ରୋମିଟର) କରୋନାଗ୍ରାଫ ସାଟେଲାଇଟ୍ରେ ଖଞ୍ଜା ଯାଇଥିବା ବେଳେ ଏହା ମହାକାଶ ପାଣିପାଗ ତଥ୍ୟ ପାଇଁ ପୃଥିବୀର ବିକିରଣ ବେଲ୍ଟରେ ଇଲେକ୍ଟ୍ରନ୍ ଫ୍ଲକ୍ସ ମାପିବ । ଏହି ଯନ୍ତ୍ରଗୁଡ଼ିକ ମହାକାଶ ପାଣିପାଗ ଉପରେ ସୌର ଝଡ଼ ଆଦି କିପରି ପ୍ରଭାବ ପକାଏ ତା' ଉପରେ ଅନୁସନ୍ଧାନ କରିବ ।
PSLV-C59 ଲଞ୍ଚ୍ ଯାନ ସମ୍ପର୍କରେ...
ପ୍ରୋବା-3 ମିଶନକୁ ଲଞ୍ଚ ଭେହିକଲ PSLV-C59ରେ ଉତକ୍ଷେପଣ କରାଯିବ, ଯାହାକି ଇସ୍ରୋର PSLVର 61 ତମ ଉଡ଼ାଣ ହେବ ଏବଂ PSLV-XL ସଂରଚନା ବ୍ୟବହାର କରିଥିବା 26ତମ ଉଡ଼ାଣ ହେବ । ISRO ୟୁରୋପୀୟ ସାଟେଲାଇଟକୁ ଲଞ୍ଚ କରୁଥିବାରୁ ଏହା ଭାରତର ନିର୍ଭରଯୋଗ୍ୟ ଏବଂ ବଢୁଥିବା ମହାକାଶ କ୍ଷମତା ପ୍ରଦର୍ଶନ କରୁଛି ।