ଓଡିଶା

odisha

ETV Bharat / technology

'ଏବେ ଗଗନ ଯାନ ଆମର ପ୍ରାଥମିକତା'; ମାନବ ମିଶନ ଉପରେ ଇଟିଭି ଭାରତ ସହ କଥାହେଲେ ଇସ୍ରୋ ମୁଖ୍ୟ - ISRO CHAIRMAN EXCLUSIVE

ଇସ୍ରୋ ମୁଖ୍ୟ ଭି ନାରାୟଣନ ଇଟିଭି ଭାରତ ସହିତ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ଦେଶର ପ୍ରଥମ ମାନବ ମିଶନ 'ଗଗନ ଯାନ'ର ପ୍ରସ୍ତୁତି ଓ ଯୋଜନା ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଛନ୍ତି ।

ISRO Chairman V Narayanan during an interview with ETV Bharat
ISRO Chairman V Narayanan during an interview with ETV Bharat (Image: ETV Bharat)

By ETV Bharat Tech Team

Published : Feb 15, 2025, 4:05 PM IST

ବେଙ୍ଗାଲୁରୁ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ଆଗାମୀ 10ବର୍ଷ ମଧ୍ୟରେ ଭାରତୀୟ ମହାକାଶ ଅନୁସନ୍ଧାନକୁ ଆଗକୁ ନେବା ଲାଗି ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତୁତି ଚଳାଇଛି । ବଡ଼ ମିଶନଗୁଡ଼ିକ ମଧ୍ୟରେ ଏକ ନୂଆ ପ୍ରପଲସନ ସିଷ୍ଟମ (ଏକ ମେସିନ ଯାହା ଥ୍ରଷ୍ଟ ବା ପ୍ରବଳ ବଳ ସହିତ ଏକ ବସ୍ତୁକୁ ଆଗକୁ ଠେଲିବା), 200 ଟନ୍‌ ଥ୍ରଷ୍ଟ ଇଞ୍ଜିନ, ଶୁକ୍ର ମିଶନ, ମଙ୍ଗଳ ମିଶନ, ଚନ୍ଦ୍ରଯାନ-4 ଓ ଚନ୍ଦ୍ରଯାନ-5 ଅନ୍ତର୍ଭୁକ୍ତ । କିନ୍ତୁ ଇସ୍ରୋର ଗୁରୁତ୍ବପୂର୍ଣ୍ଣ ମିଶନ ମଧ୍ୟରେ ଏବେ ପ୍ରାଥମିକତା ଭାରତର ପ୍ରଥମ ମାନବ ମିଶନ 'ଗଗନ ଯାନ' ବୋଲି ଇଟିଭି ଭାରତର ଅନୁଭା ଜୈନଙ୍କୁଏକ ସ୍ବତନ୍ତ୍ର ସାକ୍ଷାତକାର ଦେଇ କହିଛନ୍ତି ଇସ୍ରୋ ମୁଖ୍ୟ ଭି ନାରାୟଣନ ।

ଇଟିଭି ଭାରତ ସହିତ ନାରାୟଣନ ମାନବ ମିଶନ ଉପରେ ବିସ୍ତୃତ ଭାବରେ ଆଲୋଚନା କରିଛନ୍ତି । ଏହି ମିଶନର କଣ ଚ୍ୟାଲେଞ୍ଜ ରହିଛି, ଏହାର ପ୍ରସ୍ତୁତି ଓ ଉଦ୍ଦେଶ୍ୟ ସମ୍ପର୍କରେ କହିଛନ୍ତି । ଏଇଠି ମନେ ପକାଇ ଦେବାକୁ ଚାହୁଁଛୁ ଯେ, ଗତ କିଛି ଦିନ ପୂର୍ବରୁ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଜିତେନ୍ଦ୍ର ସିଂ ଚଳିତ ମାସ ଆରମ୍ଭରୁ ଗଗନ ଯାନକୁ 2026ରେ ଲଞ୍ଚ କରିବାକୁ ଯୋଜନା କରାଯାଉଥିବା କହିଥିଲେ । ଏହି ମିଶନ ଭାରତର ପ୍ରଥମ ମାନବ ମିଶନ ହୋଇଥିବାରୁ ଇସ୍ରୋ ଲାଗି ବେଶ ଗୁରୁତ୍ବପୂର୍ଣ୍ଣ । ଇସ୍ରୋ ଗଗନ ଯାନ ପ୍ରକଳ୍ପ ଅଧୀନରେ ମାନବ ବିହୀନ ମିଶନ (Uncrewed Mission)କୁ ଚଳିତ ବର୍ଷ ଲଞ୍ଚ କରିବ । ଏଥିରେ 'ଭୌମିତ୍ର' ନାମକ ଏକ ରୋବଟ୍‌କୁ ମହାକାଶକୁ ପଠାଯିବ । ଏହାପରେ 2026ରେ 4ଜଣ ମହାକାଶଚାରୀଙ୍କ ସହ ଗଗନ ଯାନକୁ ଲଞ୍ଚ କରାଯିବ ।

ମାନବ ମିଶନ ପୂର୍ବରୁ ମହାକାଶ ଯିବ 3 ଅନ-କ୍ରୁ଼ଡ୍‌ ଯାନ

ଇସ୍ରୋ ମୁଖ୍ୟ ଭି ନାରାୟଣନ ଇଟିଭି ଭାରତକୁ କହିଛନ୍ତି ଯେ ଭାରତୀୟ ସ୍ପେଶ ଏଜେନ୍ସି କ୍ରୁଡ୍‌ ମିଶନ ବା ଗଗନ ଯାନରେ ମହାକାଶଚାରୀଙ୍କୁ ପଠାଇବା ପୂର୍ବରୁ 3ଟି ଅନକ୍ରୁଡ୍‌ ବା ମାନବ ବିହୀନ ମିଶନକୁ ଲଞ୍ଚ କରିବ । ତିନୋଟି ମଧ୍ୟରୁ ଚଳିତ ବର୍ଷ ଆନ୍ଧ୍ରପ୍ରଦେଶ ସ୍ଥିତ ଶ୍ରୀହରିକୋଟାରୁ ପ୍ରଥମ ଯାନକୁ ଲଞ୍ଚ କରାଯିବ । ଏଥିରେ ଏକ ରୋବଟ୍‌କୁ ମହାକାଶକୁ ପଠାଯିବ । ଏହି ଅନକ୍ରୁଡ୍‌ ମିଶନ ସଫଳ ହେବା ପରେ କ୍ରୁଡ୍‌ ମିଶନକୁ ଲଞ୍ଚ କରାଯିବ । ମିଶନ ପାଇଁ ମନୋନୀତ ହୋଇଥିବା ମହାକାଶଚାରୀମାନେ ମିଶନ ପ୍ରସ୍ତୁତିକୁ ନିଶ୍ଚିତ କରିବା ପାଇଁ କଠୋର ଶାରୀରିକ ଓ ଅନ୍ୟାନ୍ୟ ତାଲିମ ନେଉଛନ୍ତି ।

ଭି ନାରାୟଣନଏ ନେଇ କହିଛନ୍ତି, "ତିନି ଜଣ ମହାକାଶଚାରୀଙ୍କୁ 400 କିଲୋମିଟର ନିମ୍ନ ପୃଥିବୀ କକ୍ଷପଥ (LEO)କୁ ପଠାଇବାକୁ ଲକ୍ଷ୍ୟ ରଖିଥିବା ଗଗନ ଯାନ ମିଶନ ମାନବକୁ ନେଇ ଯାଇପାରୁଥିବା ଯୋଗ୍ୟ LVM 3 ଯାନ (HLVM 3) ବ୍ୟବହାର କରିବ । ଏହି ଯାନର ବିଶ୍ବସନୀୟତାକୁ ଉନ୍ନତ କରିବା ପାଇଁ ଏଥିରେ ଆଡଭାନ୍ସ ଷ୍ଟ୍ରକ୍ଚରାଲ୍‌ ଓ ଥର୍ମାଲ ମାର୍ଜିନ ସହିତ ସଜ୍ଜିତ କରାଯିବ ।"

କହି ରଖୁଛୁ, ଆଡଭାନ୍ସ ଷ୍ଟ୍ରକ୍ଚରାଲ୍‌ ଓ ଥର୍ମାଲ ମାର୍ଜିନର ଅର୍ଥ ହେଉଛି ଏହା ଯାନକୁ ଜଟିଳ ପରିସ୍ଥିତି ଏବଂ ଅତ୍ୟଧିକ ଉତ୍ତାପର ସାମ୍ନା କରିବାକୁ ସକ୍ଷମ କରିବ, ଯାହାଦ୍ବାରା ମହାକାଶଚାରୀଙ୍କ ସୁରକ୍ଷା ସୁନିଶ୍ଚିତ ହେବ । ଏହାବ୍ୟତୀତ ବର୍ଦ୍ଧିତ ରିଡଡେନ୍ସିର ଅର୍ଥ ହେଉଛି ଯଦି କୌଣସି ସିଷ୍ଟମ କାମ କରୁନାହିଁ ତେବେ ଏଥିଲାଗି ଅନ୍ୟ କୌଣସି ବିକଳ୍ପ ସିଷ୍ଟମ ପ୍ରସ୍ତୁତ ରହିଥାଏ ।

କେତେ କିମି ଦୂରକୁ ଯିବ ଗଗନ ଯାନ ?

ଇସ୍ରୋ ଚେୟାରମ୍ୟାନ୍ କହିଛନ୍ତି ଯେ ଏହି ଯାନ ମହାକାଶଚାରୀମାନଙ୍କୁ ପ୍ରଥମେ 170 କିଲୋମିଟର ଓ ପରେ 400 କିଲୋମିଟର ପର୍ଯ୍ୟନ୍ତ ନେଇ ଯିବ । ଏହାସହ ମହାକାଶଚାରୀମାନଙ୍କୁ ପୃଥିବୀକୁ ଫେରାଇ ଆଣିବା ପର୍ଯ୍ୟନ୍ତ ସୁରକ୍ଷିତ କକ୍ଷପଥ ବଜାୟ ରଖିବ । ପୃଥିବୀକୁ ଫେରିବା ସମୟରେ ମହାକାଶଚାରୀମାନେ ପାରାସୁଟ୍‌ ସାହାଯ୍ୟରେ ଅବତରଣ କରିବେ । ତେବେ ଏହି ପାରାସୁଟ୍‌କୁ DRDO ସାହାଯ୍ୟରେ ଆଗ୍ରାରେ ତିଆରି କରାଯାଉଛି ।

ମହାକାଶଚାରୀଙ୍କ ସୁରକ୍ଷା ଲାଗି କଣ କରୁଛି ଇସ୍ରୋ ?

ଗଗନ ଯାନ ମିଶନ ଅନ୍ତର୍ଗତ ମାନବ ସ୍ପେସ୍ ଫ୍ଲାଇଟ୍‌ର ସଫଳତା ଏବଂ ନିରାପତ୍ତା ନିଶ୍ଚିତ କରିବାକୁ ଇସ୍ରୋ କଣ ପଦକ୍ଷେପ ନେଉଛି ପ୍ରଶ୍ନରେ ଇସ୍ରୋ ଚେୟାରମ୍ୟାନ ନିଶ୍ଚିତ କରିଛନ୍ତି ଯେ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି । ମୁଖ୍ୟ ଦିଗଗୁଡ଼ିକ ହେଉଛି ଏକ ରିଅଲ ଟାଇମ ଯାନ ସ୍ବାସ୍ଥ୍ୟ ମନିଟରିଂ ସିଷ୍ଟମ୍, କ୍ରୁ ସୁରକ୍ଷା ପାଇଁ ଏକ କକ୍ଷପଥ ମଡ୍ୟୁଲ୍ ସିଷ୍ଟମ୍, ଏକ ଉନ୍ନତ ପରିବେଶ ନିୟନ୍ତ୍ରଣ ସୁରକ୍ଷା ବ୍ୟବସ୍ଥା ରହିଛି ।

ସେ କହିଛନ୍ତି, "ଯେତେବେଳେ ଉଚ୍ଚ ବେଗ ବିଶିଷ୍ଟ ଏକ ବସ୍ତୁ ପୃଥିବୀର ବାୟୁମଣ୍ଡଳକୁ ପୁନର୍ବାର ପ୍ରବେଶ କରେ ଏହା ଭୀଷଣ ଉତ୍ତାପ ସୃଷ୍ଟି କରେ । ଇସ୍ରୋ ମହାକାଶଚାରୀଙ୍କ ନିରାପଦ ପୁନଃ-ପ୍ରବେଶକୁ ସୁନିଶ୍ଚିତ କରିବା ପାଇଁ ଉନ୍ନତ ତାପଜ ସୁରକ୍ଷା ପ୍ରଣାଳୀ ବିକାଶ କରୁଛି । ପୃଥିବୀକୁ ପ୍ରବେଶ କରିବାର ଅନ୍ତିମ ପର୍ଯ୍ୟାୟରେ ମହାକାଶଯାନ ପାରାସୁଟ୍ ବ୍ୟବହାର କରି ଏକ ସଠିକ୍, ନିୟନ୍ତ୍ରିତ ବେଗରେ ମନ୍ଥର ହୋଇ ଏକ ନିରାପଦ ଏବଂ ସଠିକ ଅବତରଣ ନିଶ୍ଚିତ କରିବ ।"

ଏହା ବି ପଢନ୍ତୁ
  1. 2028ରେ ନୁହେଁ 2027ରେ ଲଞ୍ଚ ହେବ ଚନ୍ଦ୍ରଯାନ-4; ସୂଚନା ଦେଲେ ବିଭାଗୀୟ ମନ୍ତ୍ରୀ
  2. ମହାକାଶ ଅନୁସନ୍ଧାନରେ ଶିଖର ଛୁଇଁବ ଇସ୍ରୋ; ବଜେଟ୍‌ରେ ମିଳିଲା 13,415 କୋଟି ଅନୁଦାନ

ରିପୋର୍ଟ- ଅନୁଭା ଜୈନ, ଇଟିଭି ଭାରତ

ABOUT THE AUTHOR

...view details