ହାଇଦ୍ରାବାଦ:ବିଶ୍ବବ୍ୟାପୀ ଇନଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମ ହ୍ବାଟ୍ସଆପ୍ ବେଶ ଲୋକପ୍ରିୟତା ଅର୍ଜନ କରିଛି । ଏହା ବିଭିନ୍ନ ପ୍ରକାର ସୁବିଧା ପ୍ରଦାନ କରୁଛି ଯେଉଁଥିରେ ଚାଟିଂ, ଭଏସ କଲିଂ, ଭିଡିଓ କଲିଂ, ଅନଲାଇନ ପେମେଣ୍ଟ ଓ ଡକ୍ୟୁମେଣ୍ଟ ସେୟାରିଂ ସାମିଲ । ଏହି ଆପ୍କୁ ଲଞ୍ଚ ହେବାକୁ ଅନେକ ବର୍ଷ ବିତିଯାଇଥିଲେ ସୁଦ୍ଧା ୟୁଜରଙ୍କୁ ଅତ୍ୟାଧୁନିକ ସୁବିଧା ପ୍ରଦାନ ଲାଗି ଆପ୍ ଗୋଟିଏ ପରେ ଗୋଟିଏ ନୂଆ ଫିଚର ଆଣୁଛି । ନିକଟରେ ଆପ୍ରେ ଅନେକ ଉପଯୋଗୀ ଫିଚର ଆସିଛି ।
ଲାଇଭ୍ ଲୋକେସନ ଫିଚର
ହ୍ବାଟ୍ସଆପ୍ ସର୍ବଦା ୟୁଜରଙ୍କ ସୁରକ୍ଷା ଓ ଗୋପନୀୟତାକୁ ପ୍ରାଧାନ୍ୟ ଦେଇଥାଏ । ଏଥିଲାଗି ଏହି ଆପ୍ ଉପରେ 3.5 ବିଲିୟନ ୟୁଜର ଭରସା କରିଥନ୍ତି । ଏହାର ଅନେକ ଅତ୍ୟାଧୁନିକ ଫିଚର ମଧ୍ୟରେ ଗୋଟିଏ ହେଉଛି ଲାଇଭ ଲୋକେସନ୍ ଫିଚର (Live Location Feature) । ଏହି ଫିଚର ଦ୍ବାରା ଜଣେ ବ୍ୟକ୍ତି ଆପଣଙ୍କୁ ଟ୍ରାକ୍ କରିପାରିବ ଅର୍ଥାତ ଆପଣ କେଉଁଠି ଅଛନ୍ତି ତାହା ମ୍ୟାପ୍ ମାଧ୍ୟମରେ ଜାଣିପାରିବ । ଏହା ଗୋଟିଏ ପଟେ ଉପଯୋଗୀ ହୋଇଥିବା ବେଳେ ଅନ୍ୟପଟେ ସୁରକ୍ଷା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଥାଏ ।
ଅନେକ ସମୟରେ ଦେଖାଯାଏ ଯେତେବେଳେ କୌଣସି ବ୍ୟକ୍ତି, ବନ୍ଧୁ ଆପଣଙ୍କ ଲୋକେସନ ଜାଣିପାରୁନାହାନ୍ତି, ସେହି ସମୟରେ ଆପଣ ହ୍ବାଟ୍ସଆପ୍ ଲୋକେସନ ପଠାଇଥାନ୍ତି । ଏପରିକି କୌଣସି ଅଜଣା ସ୍ଥାନକୁ ଯିବା ସମୟରେ ଅନେକ ନିଜର ପରିବାରବର୍ଗଙ୍କୁ ହ୍ବାଟ୍ସଆପ୍ରେ ଲାଇଭ ଲୋକେସନ୍ ସେୟାର କରୁଥିବାର ନଜିର ରହିଛି । କିନ୍ତୁ ଠିକଣା ସ୍ଥାନ ବା ଉକ୍ତ ବ୍ୟକ୍ତି ଜଣଙ୍କ ଆପଣଙ୍କ ନିକଟରେ ପହଞ୍ଚିବା ପରେ ଆପଣ ଲାଇଭ ଲୋକେସନ୍କୁ ଅଫ୍ କରିବାକୁ ଭୁଲିଯାଇଥାନ୍ତି । ଏହି ସମୟରେ ଏହାର ଦୁରୂପଯୋଗ ମଧ୍ୟ ହୋଇପାରେ ।