ବେଙ୍ଗାଲୁରୁ:ଆସନ୍ତା ବର୍ଷ 2026ରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ଗଗନ ଯାନ ଓ ସମୁଦ୍ରଯାନ ମିଶନକୁ ଲଞ୍ଚ କରିବା ପରେ 2027ରେ ମୁନ୍ ମିଶନରେ ଆଉ ପାଦେ ଆଗେଇ ଚନ୍ଦ୍ରଯାନ-4 ମିଶନକୁ ଲଞ୍ଚ କରିବ । ତେବେ ଇଟିଭି ଭାରତର ପ୍ରତିନିଧି ଅନୁଭା ଜୈନଙ୍କୁ ଏକ ସ୍ବତନ୍ତ୍ର ସାକ୍ଷାତକାର ଦେଇ ଏଜେନ୍ସିର ଆଗାମୀ ମୁନ୍ ମିଶନ ସମ୍ପର୍କରେ ଆଲୋଚନା କରିଛନ୍ତି ଇସ୍ରୋ ମୁଖ୍ୟ । ଚନ୍ଦ୍ରଯାନ-3 ମିଶନ ଅପେକ୍ଷା ଚନ୍ଦ୍ରଯାନ-4 ମିଶନର ଅଧିକ ଗୁରୁତ୍ବ ରହିଛି ବୋଲି ସେ କହିଛନ୍ତି ।
ନାରାୟଣନ କହିଛନ୍ତି, "ଚନ୍ଦ୍ରୟାନ-3 ଏକ ସଫ୍ଟ ଅବତରଣ ହାସଲ କରି ଚନ୍ଦ୍ରପୃଷ୍ଠର ଖଣିଜ ପଦାର୍ଥ, ଥର୍ମାଲ୍ ଗ୍ରେଡିଏଣ୍ଟ୍, ଇଲେକ୍ଟ୍ରନ୍ କ୍ଲାଉଡ୍ ଏବଂ ଭୂକମ୍ପ କାର୍ଯ୍ୟକଳାପ ଉପରେ ମୂଲ୍ୟବାନ ତଥ୍ୟ ପ୍ରଦାନ କରୁଥିବାବେଳେ ଚନ୍ଦ୍ରଯାନ-4 ଆହୁରି ଗୁରୁତ୍ବପୂର୍ଣ୍ଣ ହେବ । ଏହା କେବଳ ଚନ୍ଦ୍ରର ଦକ୍ଷିଣ ମେରୁ ଉପରେ ନରମ ଅବତରଣ ବା ସଫ୍ଟ ଲ୍ୟାଣ୍ଡିଂ କରିବ ନାହିଁ ବରଂ ନମୁନା ସଂଗ୍ରହ କରିବ ଓ ପରବର୍ତ୍ତୀ ପରୀକ୍ଷଣ ମଧ୍ୟ କରିବ ।"
9200କେଜି ଓଜନର ଚନ୍ଦ୍ରଯାନ-4
ଇସ୍ରୋ ମୁଖ୍ୟ କହିଛନ୍ତି ଯେ ଚନ୍ଦ୍ରଯାନ-4 ହେଉଛି ଏକ 9200 କିଲୋଗ୍ରାମର ସାଟେଲାଇଟ୍, ଯାହାକୁ ଚନ୍ଦ୍ରକୁ ପଠାଯିବ । ଏହା ଓଜନରେ ଚନ୍ଦ୍ରଯାନ-3ଠାରୁ 4ହଜାର କେଜି ଅଧିକ । ସେ କହିଛନ୍ତି, "ଏହାର ବଡ଼ ଆକାର ଯୋଗୁଁ ଏହି ସାଟେଲାଇଟ୍କୁ ଭାରି ଲଞ୍ଚ ଯାନ LVM3 ରକେଟ୍ ସାହାଯ୍ୟରେ ଲଞ୍ଚ କରାଯିବ । ଏହାକୁ 2ଟି ଷ୍ଟାକ୍ ସହ ପାଞ୍ଚୋଟି ମଡ୍ୟୁଲ ସହିତ ଯୋଡ଼ାଯିବ । ଏହି ମଡ୍ୟୁଲଗୁଡ଼ିକ ପୃଥିବୀର କକ୍ଷପଥରେ ଡକ୍ କରିବ, ଯେଉଁଠାରେ ପ୍ରପଲସନ୍ ସିଷ୍ଟମ ଅଲଗା ହେବ ।"
ଚନ୍ଦ୍ରକୁ ଯିବ 4ଟି ମଡ୍ୟୁଲ୍
ନାରାୟଣଙ୍କ କହିବାନୁସାରେ, 4ଟି ମଡ୍ୟୁଲ ଚନ୍ଦ୍ରର କକ୍ଷପଥକୁ ପଠାଯିବ, ସେଥିମଧ୍ୟରୁ 2ଟିକୁ ଚନ୍ଦ୍ରପୃଷ୍ଠରେ ଅବତରଣ କରାଯିବ । କେବଳ ନମୁନା ରିଟର୍ଣ୍ଣ ମଡ୍ୟୁଲ୍ ପୃଥିବୀକୁ ଫେରିବ । ଚନ୍ଦ୍ର କକ୍ଷପଥରେ ଥିବା ଅନ୍ୟ ଦୁଇଟି ମଡ୍ୟୁଲ୍ ଡକ୍ କରିବ । ଏହାର ଅର୍ଥ ଇସ୍ରୋ ଚନ୍ଦ୍ରପୃଷ୍ଠରେ ଗୋଟିଏ ମଡ୍ୟୁଲ୍କୁ ଛାଡ଼ିବ । ନାରାୟଣନ ସ୍ପଷ୍ଟ କରିଛନ୍ତି ଯେ ଇସ୍ରୋର ଏକାଧିକ ମିଶନକୁ ମଞ୍ଜୁରୀ ମିଳିଛି, ଯେଉଁଥିରେ ମଙ୍ଗଳ ଓ ଶୁକ୍ର ମିଶନ ବି ସାମିଲ । କିନ୍ତୁ ସବୁରି ପରେ ଗୁରୁତ୍ବପୂର୍ଣ୍ଣ ହେଉଛି ଲୁନାର ପୋଲାର ଏକ୍ସପ୍ଲୋରେସନ୍ ମିଶନ (LUPEX), ଯାହାକି ଚନ୍ଦ୍ରଯାନ-3 ମିଶନ ଲାଗି ବେଶ ଗୁରୁତ୍ବପୂର୍ଣ୍ଣ ।