ହାଇଦ୍ରାବାଦ: ଆଜିଠୁ (ସେପ୍ଟେମ୍ବର 29) ନଭେମ୍ବର ଶେଷ ପର୍ଯ୍ୟନ୍ତ ଆକାଶରେ ଦେଖାଯିବ 2ଟି ଜହ୍ନ । ଯାହାକି ପୃଥିବୀର ନିକଟ କକ୍ଷପଥରେ ପରିକ୍ରମା କରିବ । ଏହାକୁ 'ମିନି ମୁନ୍ ବା 2024 PT5' ବୋଲି କୁହାଯାଉଛି । ଏହି ମିନି ମୁନକୁ ଖାଲି ଆଖିରେ ଦେଖିବା ସମ୍ଭବ ହେବନାହିଁ । ଏଥିଲାଗି କୌଣସି ହାଇ-ପାୱାର ଟେଲିସ୍କୋପର ଆବଶ୍ୟକତା ପଡ଼ିବ । ଏହି ଆଷ୍ଟେରଏଡ (ସୂର୍ଯ୍ୟଙ୍କ ଚାରିପାଖରେ ଘୁରୁଥିବା ଛୋଟ ପଥର ଖଣ୍ଡ ଆଦିର ପିଣ୍ଡ) ମାତ୍ର 10ମିଟରର ହୋଇଥିବା ବେଳେ ଏହାକୁ ଚଳିତ ବର୍ଷ ଅଗଷ୍ଟ ମାସରେ ଖୋଜି ବାହାର କରାଯାଇଥିଲା ।
କଣ ଏହି Mini Moon ?
ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ମିନି-ମୁନ ହେଉଛି ଏକ ଆଷ୍ଟେରଏଡ (Asteroid) । ଏହା ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଯୋଗୁଁ ଗ୍ରହର ଚାରିପାଖକୁ ଚାଲିଆସେ । ଏହା ସେତେ ପର୍ଯ୍ୟନ୍ତ ପୃଥିବୀର କକ୍ଷରେ ଘୁରି ବୁଲୁଥାଏ, ଯେତେ ପର୍ଯ୍ୟନ୍ତ ଏହା ଦୂରକୁ ଚାଲି ଯାଇନାହିଁ । ପୃଥିବୀର କକ୍ଷପଥରେ ପ୍ରବେଶ କରୁଥିବା ଏଭଳି ମିନି-ମୁନକୁ ଦେଖିବା ମୁସ୍କିଲ । କାରଣ ଏହା ଆକାରରେ ବହୁ ଛୋଟ ହୋଇଥିବା ବେଳେ ମହାକାଶରେ ଅନ୍ଧାର ଯୋଗୁଁ ଭଲ ଭାବେ ଦୃଶ୍ୟମାନ ହୋଇନଥାନ୍ତି ।