ବଲାଙ୍ଗୀର: ବିଦେଶୀ ଟଙ୍କା ଫଣ୍ଡ ଓ ଜାତୀୟ ଇଣ୍ଟେଲିଜେନ୍ସ ବ୍ୟୁରୋରେ ଚାକିରି ନାଁ ଠକୁଥିଲେ କୋଟି କୋଟି ଟଙ୍କା । ଠକଙ୍କ ଟାର୍ଗେଟରେ ଥିଲେ ବେକାର ଯୁବକ ଯୁବତୀ । ଚାକିରି ଲୋଭ ଦେଖାଇ ଲଗାଉଥିଲେ ଚୂନ । ଏଭଳି ଏକ ବଡ ସାଇବର ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ବଲାଙ୍ଗୀର ପୋଲିସ । ଗତକାଲି(ଶନିବାର) ବଲାଙ୍ଗୀର ପୋଲିସ କୋଲକାତା ଓ ଓଡ଼ିଶାରୁ ଦୁଇ ଜଣ ମାଷ୍ଟର ମାଇଣ୍ଡକୁ ଗିରଫ କରିଛି । ତାଙ୍କ ଠାରୁ ଜବତ ହୋଇଥିବା ଦସ୍ତାବିଜ ସମସ୍ତଙ୍କୁ ଚକିତ କରିଛି ।
ଠକଙ୍କ ଟାର୍ଗେଟରେ ବେକାର ଯୁବକଯୁବତୀ:
ସାଇବର ଅପରାଧ ବଢ଼ି ବଢ଼ି ଚାଲିଥିବା ବେଳେ ବିଭିନ୍ନ ଉପାୟରେ ସାଇବର ଅପରାଧୀ ଲୋକଙ୍କ କୋଟି କୋଟି ଟଙ୍କା ଚଳୁ କରୁଛନ୍ତି । ଏଥିରେ ଛୋଟ ସହରଠୁ ବଡ଼ ସହର ସବୁଠି ଲୋକ ନିଜ କଷ୍ଟ ଉପାର୍ଜିତ ଟଙ୍କା କ୍ଷଣିକ ମଧ୍ୟରେ ହରାଇ ବସିଛନ୍ତି । ତେବେ ନୂଆ ନୂଆ ଓ ଭିନ୍ନ ଢଙ୍ଗରେ ସବୁ ବେଳେ ଏହି ଅପରାଧୀ ତାଙ୍କ ଜାଲ ବିଛାଇ ଲୋକଙ୍କୁ ଲୁଟ କରି ଆସୁଛନ୍ତି । ତେବେ ଏଭଳି ଏକ ବଡ଼ ସାଇବର ସ୍କାମର ପର୍ଦ୍ଦାଫାସ କରିଛି ବଲାଙ୍ଗୀର ପୋଲିସ । ଯେଉଁଥିରେ ବିଭିନ୍ନ କମ୍ପାନୀ ଟ୍ରଷ୍ଟ ନାଆରେ ଏମାନେ କମ୍ପାନୀ ଖୋଲି କୋଟି କୋଟି ଟଙ୍କାର ଲୁଟ କରି ଆସୁଥିଲେ । ତେବେ ବିଭିନ୍ନ ଲୋକ, ସଂଗଠନ ମାନଙ୍କୁ ଏମାନେ ବିଦେଶୀ ଫଣ୍ଡ ଆସିଥିବା ନେଇ ବିଶ୍ୱାସ ଜତାଉ ଥିଲେ । ଜାଲ ବ୍ୟାଙ୍କ ପ୍ରମାଣଠୁ ନେଇ ସରକାରୀ କାଗଜ ପତ୍ର ଦେଖାଉ ଥିଲେ । ତେବେ ଏହି ଫଣ୍ଡ ପାଇବା ପାଇଁ ଏଫ୍ ଆର୍ ଏ ରେଜିଷ୍ଟ୍ରେସନ୍, ଏନ ଜି ଓ ରେଜିଷ୍ଟ୍ରେସନ୍ ଓ ଟ୍ରଷ୍ଟ ରେଜିଷ୍ଟ୍ରେସନ କରାଇବା ନାଁରେ ପ୍ରତ୍ୟେକ ଲୋକଙ୍କ ଠାରୁ 10 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଠକେଇ କରୁଥିଲେ ।
ନକଲି NIB ୱେବସାଇଟ ଖୋଲି ଠକୁଥିଲେ:
ଜାତୀୟ ଗୁଇନ୍ଦା ସଂସ୍ଥା(NIB) ଭଳି ଖୋଲିଥିଲେ ନକଲି ୱେବସାଇଟ । ଆଉ ଚାକିରି ନାଁରେ ବେକାର ଯୁବକ ଯୁବତୀଙ୍କ ଠାରୁ ମଧ୍ୟ ଲକ୍ଷାଧିକ ଟଙ୍କା ହଡ଼ପ କରି ଆସୁଥିଲେ । ସେମାନଙ୍କୁ ସବୁ ଜାଲ ନିଯୁକ୍ତି ପତ୍ର ଦେଇ ଟଙ୍କା ଲୁଟ କରୁଥିଲେ । ତେବେ ବିଭିନ୍ନ କମ୍ପାନୀ ଓ ଟ୍ରଷ୍ଟ ନାଁରେ ଏମାନେ ଠକେଇ କରି ଆସୁଥିଲେ । ଲୋକଙ୍କୁ ବିଶ୍ୱାସ ଜିତିବା ପାଇଁ ଜାଲ କାଗଜ ପତ୍ର ସହ ସାମାଜିକ ସେବା କରୁଥିବାର ମଧ୍ୟ ପ୍ରମାଣ ଦେଖାଇ ଆସୁଥିଲେ । ତେବେ ବଲାଙ୍ଗୀରରେ ଏମାନେ ତିନୋଟି ସ୍ଥାନରେ ଏହାର କାର୍ଯ୍ୟାଳୟ ଖୋଲି ଥିବା ବେଳେ କୋଲକାତାରେ ମଧ୍ୟ ଏକ କାର୍ଯ୍ୟାଳୟ ଖୋଲି ଥିଲେ ବୋଲି ପୋଲିସ କହିଛି ।
ଦୁଇ ମାଷ୍ଟରମାଇଣ୍ଡ ଗିରଫ:
ଏହି ଠକେଇ ଘଟଣାରେ ଦୁଇ ମାଷ୍ଟର ମାଇଣ୍ଡ ଢେଙ୍କାନାଳ ଜିଲ୍ଲା ମଙ୍ଗଳପୁର ଗ୍ରାମର ମାତୃ ପ୍ରସାଦ ସେଠ ସହ କୋଲକାତାର ରବୀନ୍ଦ୍ର ନଗରରୁ ଗୋପାଳ କୁମାରକୁ ପୋଲିସ୍ ଗିରଫ କରିଛି । ସେହିପରି ବଲାଙ୍ଗୀର ଗୋକୁଳ ଧାମ, ବଲାଙ୍ଗୀର ଖଲିଆପାଲି, ଆର୍ ଆର୍ କଲୋନୀ ଓ କୋଲକାତା ସ୍ଥିତ ଚାରୋଟି କାର୍ଯ୍ୟାଳୟରେ ପୋଲିସ ଚଢାଉ କରିଥିଲା । ଯେଉଁଠୁ ପୋଲିସ୍ 25ଟି କମ୍ପ୍ୟୁଟର, 12ଟି ମୋବାଇଲ, 24ଟି ବ୍ୟାଙ୍କ ପାସବୁକ, ଆଠଟି ସିମ କାର୍ଡ, ଜାଲ ପ୍ରମାଣ ପତ୍ର 15ଟି, ଚାରୋଟି ଭଡା କାର ସବୁ ଜବତ ହୋଇଛି । ସେହିପରି ପୋଲିସ ଏମାନଙ୍କ ଠାରୁ ନଗଦ ଦୁଇ ଲକ୍ଷରୁ ଅଧିକ ଟଙ୍କା ମଧ୍ୟ ଜବତ କରିଛି । ସାଧାରଣ ଲୋକଙ୍କୁ ପୋଲିସ ଏଭଳି ସ୍କାମ ଓ ଠକଙ୍କ ପ୍ରତି ସାବଧାନ ଓ ସଚେତନ ରହିବାକୁ ନିବେଦନ କରିଛି।
ମିଛ ପରିଚୟରେ ଠକେଇ:
ତେବେ ବଲାଙ୍ଗୀର ଏସ ପି ଋଷିକେଶ ଖିଲାରି କହିଛନ୍ତି, "ବଲାଙ୍ଗୀର ସାଇବର ଥାନାରେ ଏକ ଅଭିଯୋଗ ଆସିଥିଲା। ଯେଉଁଥିରେ ଅଭିଯୋଗକାରୀ ଲକ୍ଷାଧିକ ଟଙ୍କା ଠକେଇ ହୋଇଥିବାର ଅଭିଯୋଗ କରିଥିଲେ । ଏଥିରେ ଆମ ସ୍ଵତନ୍ତ୍ର ପୋଲିସ୍ ଟିମ୍ ତଦନ୍ତ କରିଥିବା ବେଳେ ଏହି ବଡ଼ ସାଇବର ସ୍କାମର ଜଣାପଡ଼ିଥିଲା । ତେବେ ଏଥିରେ ଢେଙ୍କାନାଳ ଜିଲ୍ଲାର ମାତୃ ପ୍ରସାଦ ସେଠ ନିଜକୁ ସିଆରନନ୍ଦ ନାଁରେ ପରିଚୟ ଦେଇ ଆସୁଥିଲା ଓ କୋଲକାତାର ଗୋପାଳ କୁମାରକୁ ପୋଲିସ୍ ଗିରଫ କରିଛି ।’
ଏସପି ଆହୁରି କହିଛନ୍ତି, ‘ଏମାନେ ବିଭିନ୍ନ କମ୍ପାନୀ, ଟ୍ରଷ୍ଟ ନାଁରେ ଲୋକଙ୍କୁ, ସଂଗଠନ ଠାରୁ ବିଦେଶୀ ଟଙ୍କା ପାଇବା ଲୋଭ ଦେଇ ଲକ୍ଷ ଲକ୍ଷ ଟଙ୍କା ଠକେଇ କରୁଥିଲେ । ସେହିପରି ଏନଆଇବିରେ ଚାକିରି ନାଁରେ ମଧ୍ୟ ବେକାର ଯୁବକ ଯୁବତୀଙ୍କୁ ଠକେଇ କରି ଆସୁଥିଲେ । ଏମାନେ ଏହା ପାଇଁ ଜାଲ ପ୍ରମାଣ ପତ୍ର କାଗଜ ପତ୍ର ୱେବସାଇଟ ଦେଖାଇ ଲୋକଙ୍କୁ ଠକି ଆସୁଥିଲେ । ବଲାଙ୍ଗୀରରେ ଗୋକୁଳ ଧାମ, ଖଲିଆପାଲି, ଆର୍ ଆର୍ କଲୋନୀ ସ୍ଥିତ ତାଙ୍କ କାର୍ଯ୍ୟାଳୟ ଓ କୋଲକାତା ସ୍ଥିତ କାର୍ଯ୍ୟାଳୟରେ ଚଢାଉ ପରେ 24ଟି ବ୍ୟାଙ୍କ ବହି, ଏଟିଏମ୍ କାର୍ଡ, 25ଟି କମ୍ପ୍ୟୁଟର, ଚାରୋଟି ଭଡା କାର, ସହିତ ଶତାଧିକ ନକଲି କାଗଜ ପତ୍ର ଓ ପ୍ରମାଣ ପତ୍ର ପୋଲିସ୍ ଜବତ କରିଛି ।’
ଲୋକଙ୍କୁ ଏପରି ଅପିଲ୍ କଲେ ଏସପି:
ସେହିପରି ଲୋକ ଏଭଳି ସ୍କାମ ପ୍ରତି ସାବଧାନ ରହିବା ସହ କୌଣସି ଅଭିଯୋଗ ଥିଲେ ତୁରନ୍ତ ସାଇବର ଥାନା କିମ୍ବା ଜାତୀୟ ସାଇବର କ୍ରାଇମ ଅପରାଧ ସାହାଯ୍ୟ ନମ୍ୱର୍ 1903ରେ ଅଭିଯୋଗ କରିବାକୁ ଆମେ ନିବେଦନ କରୁଛୁ ବୋଲି ଏସପି କହିଛନ୍ତି ।
ଇଟିଭି ଭାରତ, ବଲାଙ୍ଗୀର