ହାଇଦ୍ରାବାଦ:ଫେସବୁକ୍, ଇନଷ୍ଟାଗ୍ରାମ ଓ ହ୍ବାଟ୍ସଆପ୍କୁ ପରିଚାଳନା କରୁଥିବା କମ୍ପାନୀ Metaର ସିଇଓ ମାର୍କ ଜୁକରବର୍ଗ ଶେଷରେ ନିଜ ମନ୍ତବ୍ୟ ଲାଗି ଭାରତକୁ କ୍ଷମା ମାଗିଛନ୍ତି । ମେଟା ଇଣ୍ଡିଆର ଉପସଭାପତି ଶିବନାଥ ଠୁକରାଲ ମାର୍କ ଜୁକରବର୍ଗଙ୍କ ତରଫରୁ କ୍ଷମା ମାଗିଥିବା ଜଣାପଡ଼ିଛି । ସେ ଏହାକୁ 'ଅଜଣା ଭୁଲ' ବୋଲି କହିଛନ୍ତି । କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଜୁକରବର୍ଗଙ୍କ ମନ୍ତବ୍ୟକୁ ନେଇ କଡ଼ା ନିନ୍ଦା କରିଥିବା ବେଳେ ସେପଟେ ସାଂସଦ ନିଶିକାନ୍ତ ଦୁବେ କ୍ଷମା ମାଗିବାକୁ ଦାବି କରିଥିଲେ ।
କଣ କହିଥିଲେ ମାର୍କ ଜୁକରବର୍ଗ ?
ମେଟା ସିଇଓ ମାର୍କ ଜୁକରବର୍ଗ ଏକ ପଡକାଷ୍ଟରେ କହିଥିଲେ ଯେ ବର୍ଷ 2024 ପୂରା ଦୁନିଆକୁ ହଲଚଲ କରିଥିଲା । କୋଭିଡ଼ ମହାମାରୀ ସମୟରେ ସରକାରଙ୍କ ପ୍ରତି ଲୋକଙ୍କ ଭରସା ହ୍ରାସ ପାଇଥିଲା । ଫଳରେ ମହାମାରୀ ପରେ ହୋଇଥିବା ନିର୍ବାଚନରେ ଭାରତ ସମେତ ଅନେକ ଦେଶର ସରକାରଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ଜୁକରବର୍ଗଙ୍କ ଏହି ମନ୍ତବ୍ୟକୁ ନେଇ ଦେଶର ରାଜନୈତିକ ମହଲରେ ଚର୍ଚ୍ଚା ହେବା ସହ ଅନେକ ନେତା କ୍ଷମା ପ୍ରାର୍ଥନା ପାଇଁ ଦାବି କରିଥିଲେ ।
ନିଶିକାନ୍ତ ଦୁବେଙ୍କ ପ୍ରତିକ୍ରିୟା
ଆଇଟି ସଂସଦୀୟ ପ୍ୟାନେଲର ମୁଖ୍ୟ ତଥା ବିଜେପି ସାଂସଦ ଡଃ ନିଶିକାନ୍ତ ଦୁବେ, ମେଟା ଇଣ୍ଡିଆ ପକ୍ଷରୁ କ୍ଷମା ପ୍ରାର୍ଥନା ପରେ ଏହା ଭାରତର ସାଧାରଣ ନାଗରିକଙ୍କ ବିଜୟ ବୋଲି କହିଛନ୍ତି । ସେ କହିଛନ୍ତି ଯେ କ୍ଷମା ଭାରତୀୟ ସଂସଦ ଓ ସରକାରଙ୍କ ପ୍ରତି ସାଧାରଣ ନାଗରିକଙ୍କ ଭରସାକୁ ଦର୍ଶାଉଛି ।
କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ପ୍ରତିକ୍ରିୟା
ମାର୍କ ଜୁକରବର୍ଗ ଭୁଲ ତଥ୍ୟ ଦେଇଥିବା ଦର୍ଶାଇ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ କହିଛନ୍ତି, "ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଭାବରେ ଭାରତରେ 640 ମିଲିୟନରୁ ଅଧିକ ଭୋଟରଙ୍କ ସହିତ 2024 ନିର୍ବାଚନ ହୋଇଥିଲା । ଭାରତବାସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନଡିଏ ଉପରେ ସେମାନଙ୍କର ବିଶ୍ୱାସକୁ ନିଶ୍ଚିତ କରିଛନ୍ତି । କିନ୍ତୁ ମାର୍କ ଜୁକରବର୍ଗଙ୍କ ଦାବି ଯେ 2024 ନିର୍ବାଚନରେ ଭାରତ ସମେତ ଅଧିକାଂଶ ସରକାର କୋଭିଡ଼ ପରବର୍ତ୍ତୀ ସମୟରେ ପରାଜୟ ବରଣ କରିଛନ୍ତି । ଯାହାକି ମିଥ୍ୟା ।'
ସେ ଆହୁରି କହିଥିଲେ, "ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ଭାବରେ ଭାରତ ମହାମାରୀ ସମୟରେ 800ମିଲିୟନ ଲୋକଙ୍କ ଲାଗି ମାଗଣା ଖାଦ୍ୟ, 2.2 ବିଲିୟନ ମାଗଣା ଭ୍ୟାକ୍ସିନ, କୋଭିଡ ସମୟରେ ବିଶ୍ବବ୍ୟାପୀ ସହଯୋଗ ପ୍ରଦାନ କରିଥିଲା । ପ୍ରଧାନମନ୍ତ୍ରୀଙ୍କ ତୃତୀୟ ପାଳି ଉନ୍ନତ ଗର୍ଭନାନ୍ସ ଓ ଜନତାଙ୍କ ବିଶ୍ବାସର ପ୍ରତିଫଳନ । ମାର୍କ ଜୁକରବର୍ଗଙ୍କ ଦ୍ବାରା ମିଥ୍ୟା ଖବର ପ୍ରଚାର କରିବା ନିରାଶଜନକ । ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ NDA ସରକାର ଉପରେ ତୃତୀୟ ଥର ଲାଗି ଭରସା କରିଛନ୍ତି । ଏହା ପ୍ରମାଣ କରିଛି ଯେ ମାର୍କ ଜୁକରବର୍ଗ ମିଛ ଖବର ଦେଇଛନ୍ତି ।"