ହାଇଦ୍ରାବାଦ:ଖ୍ରୀଷ୍ଟମାସ ଡେ'କୁ ନେଇ ଉତ୍ସବମୁଖର ପୁରଠୁ ପଲ୍ଲୀ । ସାରା ବିଶ୍ବ ପ୍ରଭୁ ଯୀଶୁଙ୍କ ଜନ୍ମଦିନକୁ ଧୁମଧାମର ସହ ପାଳନ କରିବା ପାଇଁ ଅପେକ୍ଷା କରିଛି । ରାତି ପାହିଲେ ଏହି ଦିବସକୁ ଆଡମ୍ବରର ସହ ପାଳନ କରାଯିବ । ପୃଥିବୀଠାରୁ ବହୁ ଦୂରରେ ମହାକାଶରେ ମଧ୍ୟ ଖ୍ରୀଷ୍ଟମାସ ପର୍ବ ପାଳନ କରାଯାଇଛି । 8ଦିନ ପାଇଁ ଯାଇ 8ମାସରୁ ଅଧିକ ଦିନ ହେବ ମହାକାଶରେ ଫସିଥିବା ଭାରତୀୟ ବଂଶୋଦ୍ଭବ ତଥା ନାସା ମହାକାଶଚାରୀ ନିଜ ସାଥୀଙ୍କ ସହ ଏହି ଦିବସକୁ ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନ (ISS)ରେ ପାଳନ କରିଛନ୍ତି ।
ସ୍ପେସ୍ ଏକ୍ସ ଡ୍ରାଗନ୍ ନିକଟରେ ପୁନଃ ଯୋଗାଣ ମିଶନ (ରିସପ୍ଲାଏ ମିଶନ) ମାଧ୍ୟମରେ ମହାକାଶରେ ଫସି ରହିଥିବା ମହାକାଶଚାରୀମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇଥିଲା, ଯେଉଁଥିରେ ଖ୍ରୀଷ୍ଟମାସ ଏବଂ ନୂତନ ବର୍ଷ ପାଳନ କରିବାକୁ କିଛି ଜିନିଷ ଏବଂ ଉପହାର ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଥିଲା । ସୁନୀତା ମହାକାଶରେ ସାଥୀ ମହାକାଶଚାରୀ ବୁଚ୍ ୱିଲମୋର ଓ ଅନ୍ୟ କ୍ରୁ ମେମ୍ବରଙ୍କ ସହ ଏହି ଦିବସକୁ ପାଳନ କରିବା ସହ ପୃଥିବୀବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ମହାକାଶରେ ଖ୍ରୀଷ୍ଟମାସ ମାହୋଲ
ନାସା ପକ୍ଷରୁ X ସାଇଟ୍ରେ ଏକ ଭିଡିଓ ସେୟାର କରାଯାଇଛି, ଯେଉଁଥିରେ ସୁନୀତା ୱିଲିୟମ୍ସ ଓ ତାଙ୍କ ସାଥୀ ମହାକାଶଚାରୀ ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନରେ ଖ୍ରୀଷ୍ଟମାସ ପାଳନ କରୁଥିବା ଦେଖିବାକୁ ମିଳିଛି । ସେମାନେ ପୃଥିବୀବାସୀଙ୍କୁ ଖ୍ରୀଷ୍ଟମାସ ଓ ନୂଆବର୍ଷର ଶୁଭେଚ୍ଛା ଜଣାଇଛନ୍ତି । ସୁନୀତା ୱିଲିୟମ୍ସ କହିଛନ୍ତି, "ଆମେ ଖ୍ରୀଷ୍ଟମାସ ପାଳନ କରିବାକୁ ପ୍ରସ୍ତୁତ ହେଉଛୁ । ସ୍ପେଶ ଷ୍ଟେସନରେ ଉପସ୍ଥିତ ଆମ ପରିବାର ସଦସ୍ୟଙ୍କ ସହିତ ଖ୍ରୀଷ୍ଟମାସ ସେଲିବ୍ରେସନ ଏକ ଚମତ୍କାର ସମୟ । ଏଠାରେ ଆମେ 7ଜଣ ଅଛୁ ଓ ସମସ୍ତେ ମିଳିମିଶି ଏହି ପବିତ୍ର ଦିବସକୁ ପାଳନ କରିବାକୁ ଯାଉଛୁ । ଏହି ଛୁଟି ଦିନମାନଙ୍କରେ ଉତ୍ସବ ସହିତ ନୂଆ ଆଶା ରହିଥାଏ । ଏହି ଦିନରେ ସମସ୍ତେ ଏକାଠି ହୁଅନ୍ତି ଓ ଉତ୍ସବକୁ ପାଳନ କରନ୍ତି । ଯାହାକି ମୋର ପସନ୍ଦ ମୁହୂର୍ତ୍ତ ମଧ୍ୟରୁ ଅନ୍ୟତମ ।"
ମହାକାଶଚାରୀଙ୍କୁ ମିଳିବ ଘର ଖାଦ୍ୟ
ସୁନୀତା ଏବଂ ସାଥୀ କ୍ରୁ ସଦସ୍ୟମାନେ ପୃଥିବୀରୁ ପଠାଯାଇଥିବା ସତେଜ ଉପାଦାନ ସହିତ ପ୍ରସ୍ତୁତ ସତେଜ ଖାଦ୍ୟ ଉପଭୋଗ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଯାହାଫଳରେ ସେମାନେ ମହାକାଶରେ ଖ୍ରୀଷ୍ଟମାସ ରୀତିନୀତିରେ ପାଳନ କରିପାରିବେ । କାର୍ଗୋ ଡେଲିଭରି ମାଧ୍ୟମରେ ଏହି ସବୁ ସମ୍ଭବ ହୋଇଛି ଯାହା କେବଳ ଅତ୍ୟାବଶ୍ୟକ ସାମଗ୍ରୀ ନୁହେଁ ବରଂ ମହାକାଶଚାରୀଙ୍କ ପାଇଁ ଘରର ସ୍ବାଦଯୁକ୍ତ ଖାଦ୍ୟ ମଧ୍ୟ ମହାକାଶରେ ପହଞ୍ଚାଇଥାଏ । ସ୍ବତନ୍ତ୍ର ଖ୍ରୀଷ୍ଟମାସ ଡିସ୍ ସହିତ ସୁନୀତା ଏବଂ ତାଙ୍କ ସହଯୋଗୀ ମହାକାଶଚାରୀମାନେ ଭିଡିଓ କଲ୍ ମାଧ୍ୟମରେ ସେମାନଙ୍କ ପ୍ରିୟଜନଙ୍କ ସହ ମଧ୍ୟ କଥାବାର୍ତ୍ତା ହୋଇପାରିବେ । ଯାହା ଫଳରେ ଏହି ଲମ୍ବା ସ୍ପେଶ ମିଶନ୍ ସମୟରେ ସେମାନଙ୍କର ଭାବପ୍ରବଣ ସ୍ବାସ୍ଥ୍ୟ ଭଲ ରହିବ ।
ସୂଚନା ଥାଉ କି ସୁନୀତା ୱିଲିୟମ୍ସ ଏବଂ ତାଙ୍କ ସାଥୀ ୱିଲମୋର 8 ଦିନିଆ ମିଶନରେ ମହାକାଶକୁ ଯାଇଥିଲେ, କିନ୍ତୁ ସେମାନଙ୍କ ମହାକାଶଯାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସେମାନଙ୍କୁ ଗତ ଜୁନ ମାସରୁ ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନରେ ରହିବାକୁ ପଡ଼ିଛି । ବର୍ତ୍ତମାନ ସେମାନେ ମାର୍ଚ୍ଚ 2025ରେ ପୃଥିବୀକୁ ଫେରିବେ ବୋଲି ଆଶା କରାଯାଉଛି । ପୂର୍ବରୁ ସେ ଫେବୃଆରୀରେ ଫେରିବେ ବୋଲି କୁହାଯାଉଥିଲା । କିନ୍ତୁ କ୍ରୁ-10 ମିଶନ ମାର୍ଚ୍ଚକୁ ଘୁଞ୍ଚିବା ପରେ ସୁନୀତାଙ୍କ ରେସ୍କ୍ୟୁ ମିଶନ ମଧ୍ୟ ଘୁଞ୍ଚିଛି । ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନରେ କ୍ରୁ-10 ମିଶନରେ ମହାକାଶଚାରୀମାନେ ପହଞ୍ଚିବା ପରେ ହିଁ ସୁନୀତା ପୃଥିବୀ ଫେରିବେ ।