ହାଇଦ୍ରାବାଦ:ଆପଣଙ୍କ ଆଇଫୋନରେ ନେଟୱର୍କ ଆସୁନାହିଁ କି ? ଏ ନେଇ ଯଦି ଆପଣ ଚିନ୍ତିତ ଅଛନ୍ତି ତେବେ ଆପଣଙ୍କ ଲାଗି ଖୁସି ଖବର । ଏବେ ଆଇଫୋନ ୟୁଜରମାନେ ନେଟୱର୍କରେ କଲିଂ ଓ ଇଣ୍ଟରନେଟ୍ ଲାଗି କୌଣସି ଟାୱାରର ଆବଶ୍ୟକ କରିବେ ନାହିଁ । ସେମାନେ ସିଧାସଳଖ ସାଟେଲାଇଟ୍ ଜରିଆରେ ମୋବାଇଲର ବ୍ୟବହାର କରିପାରିବେ । ଆପଲ୍ ଏଥିଲାଗି ଏଲନ ମସ୍କଙ୍କ ଏରୋସ୍ପେଶ କମ୍ପାନୀ ସ୍ପେଶଏକ୍ସ ଓ ପ୍ରମୁଖ ୱେୟାରଲେସ୍ ନେଟୱର୍କ ଅପରେଟର୍ ବା ଜର୍ମାନୀର ଟେଲି ଯୋଗାଯୋଗ କମ୍ପାନୀ T-Mobile ସହିତ କାମ କରୁଛି । ଏହାଦ୍ବାରା ଆଇଫୋନ ସଫ୍ଟୱେରରେ ଷ୍ଟାରଲିଙ୍କ ନେଟୱର୍କ ସପୋର୍ଟ ଆସିବ । ଏ ନେଇ ଆପଲ୍ ପକ୍ଷରୁ କୌଣସି ସୂଚନା ଦିଆଯାଇନଥିବା ବେଳେ ସ୍ପେଶଏକ୍ସ ସିଇଓ ଏଲନ ମସ୍କ ନିଜ X ଆକାଉଣ୍ଟରେ ଏକ ପୋଷ୍ଟ କରି ସଙ୍କେତ ଦେଇଛନ୍ତି ।
ଏମିତି କହିଲେ ଏଲନ ମସ୍କ
ଆପଲ୍ iOS 18.3ରେ ଷ୍ଟାରଲିଙ୍କ ସାଟେଲାଇଟ୍କୁ ଆଇଫୋନ ସହ ଯୋଗ କରିପାରେ ବୋଲି ଏକ ପୋଷ୍ଟରେ ପ୍ରତିକ୍ରିୟା ଦେଇ ଏଲନ ମସ୍କ କହିଛନ୍ତି, "ଏବେ ବିଦ୍ୟମାନ ଷ୍ଟାରଲିଙ୍କ ସିଷ୍ଟମ ମୌଳିକ ଇଣ୍ଟରନେଟ୍ ଟାସ୍କ କରିବାରେ ସକ୍ଷମ, କିନ୍ତୁ ଏହା ଏତେ ଶକ୍ତିଶାଳୀ ନୁହେଁ ଯେ ଯାହାଦ୍ବାରା ଭଲ ଭାବେ ଭିଡିଓ ଚାଲିବ । କିନ୍ତୁ ପରବର୍ତ୍ତୀ ଷ୍ଟାରଲିଙ୍କ ସିଷ୍ଟମରେ ଏହି ସୁବିଧା ଉପଲବ୍ଧ ହେବ ।" ଷ୍ଟାଲରିଙ୍କର ଡିରେକ୍ଟ-ଟୁ-ଫୋନ ସପୋର୍ଟ ଦ୍ବାରା କେବଳ ମଧ୍ୟମ ଗୁଣବତ୍ତାର ଫଟୋ, ମ୍ୟୁଜିକ୍ ଓ ଅଡିଓ ସୁବିଧା ମିଳିବ । କିନ୍ତୁ ପରବର୍ତ୍ତୀ ପିଢିର ଷ୍ଟାରଲିଙ୍କରେ ମଧ୍ୟମ ଧରଣର ଭିଡିଓ ମଧ୍ୟ ଦେଖିହେବ ।