ହାଇଦ୍ରାବାଦ:ଆପଲ୍ ଚୀନରେ ଲାଟେଷ୍ଟ ଆଇଫୋନ 16 ସିରିଜ ଉପରେ ଏକ ବଡ଼ ଡିସକାଉଣ୍ଟ ପ୍ରଦାନ କରୁଛି । ଯାହାକୁ ନେଇ ଏବେ ସ୍ମାର୍ଟଫୋନ ମାର୍କେଟରେ ବେଶ ଚର୍ଚ୍ଚା ହେଉଛି । 100, 200 କି 1000ଟଙ୍କା ନୁହେଁ ସେପ୍ଟେମ୍ବରରେ ଲଞ୍ଚ ହୋଇଥିବା ଏହି ଲାଟେଷ୍ଟ ଆଇଫୋନ 16 ସିରିଜ ଉପରେ କମ୍ପାନୀ ପ୍ରାୟ 5800 ଟଙ୍କା ପର୍ଯ୍ୟନ୍ତ ରିହାତି ପ୍ରଦାନ କରୁଛି । ଆଇଫୋନ 16 ସ୍ମାର୍ଟଫୋନର ସମସ୍ତ ମଡେଲ ଉପରେ କମ୍ପାନୀ ପକ୍ଷରୁ ଏହି ରିହାତି ପ୍ରଦାନ କରାଯାଉଛି ।
କାହା ଉପରେ କେତେ ଡିସକାଉଣ୍ଟ ?
- iPhone 16 Pro ଓ iPhone 16 Pro Max ଉପରେ 500 yuan ବା $68.50 (ପାଖାପାଖି Rs. 5,862) ପ୍ରଦାନ କରୁଛି ।
- ସେପଟେ iPhone 16 ଓ iPhone 16 Plus ଉପରେ 400 yuan (Rs. 4,690) ପର୍ଯ୍ୟନ୍ତ ରିହାତି ରହିଛି ।
- ଏହି ଅଫର କମ୍ପାନୀ ପକ୍ଷରୁ ଜାନୁଆରୀ 4ରୁ 7 ତାରିଖ ପର୍ଯ୍ୟନ୍ତ ପ୍ରଦାନ କରାଯାଇଛି ।
କାହିଁକି ଅଦିନିଆ ଅଫର୍ ଦେଲା ଆପଲ୍ ?
ବାସ୍ତବ କଥା ହେଉଛି, ଟେକ୍ ଜାଏଣ୍ଟ ଆପଲ୍ ଚୀନ ସ୍ମାର୍ଟଫୋନ ବଜାରରେ ମାର୍କେଟ ସେୟାରକୁ ନେଇ ସଂଘର୍ଷ କରୁଛି । ଇଣ୍ଟରନ୍ୟାସନାଲ ଡାଟା କର୍ପୋରେସନ (IDC) ରିପୋର୍ଟ ଅନୁସାରେ, 2024ର ପ୍ରଥମ ତ୍ରୟ ମାସରେ ଆପଲ୍ର ସେୟାର ହ୍ରାସ ପାଇଁ 20%ରୁ 15%ରେ ପହଞ୍ଚିଥିଲା । ଏହାପରେ 2024 ଦ୍ବିତୀୟ ତ୍ରୟ ମାସରେ ଆପଲ୍ ଶ୍ରେଷ୍ଠ-5 ତାଲିକାରୁ ଖସି 6ଷ୍ଠ ସ୍ଥାନରେ ରହିଥିଲା । କିନ୍ତୁ 2024 ତୃତୀୟ ତ୍ରୟ ମାସରେ ଆପଲ୍ 15.6% ସେୟାର ସହ ଚୀନର ଟପ୍-5 ସ୍ମାର୍ଟଫୋନ ମେକର୍ରେ ପୁନଃ ପ୍ରବେଶ କରି ଦ୍ବିତୀୟ ସ୍ଥାନରେ ରହିବାରେ ସକ୍ଷମ ହୋଇଥିଲା । ଟପ୍-5 ତାଲିକାରେ କେବଳ ଆପଲ୍ ବ୍ୟତୀତ ଅନ୍ୟ ସମସ୍ତେ ଚାଇନିଜ କମ୍ପାନୀ ରହିଥିଲେ ।
2024 ତୃତୀୟ ତ୍ରୟମାସରେ ଟପ୍-5 ତାଲିକାର ଦ୍ବିତୀୟ ସ୍ଥାନରେ Apple (Photo Credit- IDC) ସ୍ବଦେଶୀ ଚାଇନିଜ କମ୍ପାନୀଗୁଡ଼ିକ ସହ Appleର ଟକ୍କର
ଆପଲ୍ ଓ ଚାଇନିଜ କମ୍ପାନୀଗୁଡ଼ିକ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ଲାଗି ରହିଛି । ବିଶେଷ କରି ସ୍ବଦେଶୀ କମ୍ପାନୀ ହୁୱାଇ (Huawei)କୁ ଟକ୍କର ଦେବା ଲାଗି ଆପଲ୍ ଆଇଫୋନ 16 ସିରିଜ ଉପରେ ଏହି ବଡ଼ ଡିସକାଉଣ୍ଟ ପ୍ରଦାନ କରୁଛି । 2024ରେ ଚାଇନିଜ୍ ବଜାରରେ ଆପଲ୍ର ମାର୍କେଟ ସେୟାର ହ୍ରାସ ପାଇଛି । କାରଣ ସେପ୍ଟେମ୍ବରରେ ଆପଲ୍ ଆଇଫୋନ 16 ସିରିଜ ଲଞ୍ଚ କରିବାର କିଛି ଘଣ୍ଟା ମଧ୍ୟରେ Huawei ଏହାର 10-ଇଞ୍ଚର ଟ୍ରାଇଫୋଲ୍ଡ ସ୍ମାର୍ଟଫୋନ Mate XT ସ୍ମାର୍ଟଫୋନକୁ ଲଞ୍ଚ କରିଥିଲା । ଏହାଦ୍ବାରା ହୁୱାଇ କ୍ରମାଗତ ଭାବେ 2024ରେ ପ୍ରତ୍ୟେକ ତ୍ରୟ ମାସରେ ଦୁଇ ଅଙ୍କରେ ଅଭିବୃଦ୍ଧି ହାସଲ କରିଥିଲା । ଏହାସହିତ ଚୀନରେ ସ୍ମାର୍ଟଫୋନ ସିପମେଣ୍ଟ ଦ୍ବିତୀୟ ତ୍ରୟମାସରେ ବୃଦ୍ଧି ପାଇଥିଲା ବୋଲି IDC ରିପୋର୍ଟରେ ପ୍ରକାଶ ପାଇଛି ।
ଚୀନ ମାର୍କେଟରେ Apple ଆଗରେ କଣ ଚ୍ୟାଲେଞ୍ଜ ?
ଚାଇନା ବଜାରରେ AI ଫିଚରକୁ ନେଇ ଆପଲ୍ ଆଗରେ ବଡ଼ ଚ୍ୟାଲେଞ୍ଜ ରହିଛି । କାରଣ OpenAIର ChatGPT ଚୀନରେ ବ୍ୟାନ୍ ଥିବା ବେଳେ ଆପଲ୍ର Siri ଖୁବଶୀଘ୍ର ChatGPT ସହିତ ଇଣ୍ଟିଗ୍ରେଟ ହେବାକୁ ଯାଉଛି । ସେପଟେ ଆପଲ୍ର ପ୍ରତିଦ୍ବନ୍ଦ୍ବୀ ହୁୱାଇ ନିଜ AI ମଡେଲକୁ ବିକଶିତ କରିବାରେ ଲାଗିଛି । ଆମେରିକାରେ ଚାଇନିଜ କମ୍ପାନୀ ହୁୱାଇ ବ୍ୟାନ୍ ହେବା ପୂର୍ବରୁ ବିଶ୍ବର ସ୍ମାର୍ଟଫୋନ ମାର୍କେଟରେ 1 ନଂ ଥିଲା । ବ୍ୟାନ୍ ପରେ ମଧ୍ୟ ହୁୱାଇ ଚୀନ ମାର୍କେଟରେ ନିଜ ପତିଆରା ଜମେଇଛି । କାରଣ ହୁୱାଇ ଅତ୍ୟାଧୁନିକ ଟେକ୍ନୋଲୋଜିର ବ୍ୟବହାର କରି ନୂଆ ନୂଆ ଧରଣର ପ୍ରଡକ୍ଟ ବିକଶିତ କରୁଛି । ଉଦାହରଣ ସ୍ବରୂପ କମ୍ପାନୀ ବିଶ୍ବର ପ୍ରଥମ ଟ୍ରାଇଫୋଲ୍ଡ ସ୍ମାର୍ଟଫୋନ ଲଞ୍ଚ କରିଛି । ଏହାରି ମଧ୍ୟରେ ଆପଲ୍ ଲାଟେଷ୍ଟ ଆଇଫୋନ ଉପରେ ରିହାତି ପ୍ରଦାନ କରି ଚୀନ ମାର୍କେଟରେ ଏକ ନମ୍ବର ହେବାକୁ ଲକ୍ଷ୍ୟ ରଖିଛି । ତେବେ ଆପଲ୍ର ଏହି ନୂଆ ରଣନୀତି କେତେ ସଫଳ ହେଉଛି ତାହା ଦେଖିବା ବାକି ରହିଲା ।