ମହଙ୍ଗା ପଡିଲା ଅନଲାଇନ ଗେମ ନିଶା, ହାରିବା ପରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ ଅନୁଗୋଳ: ମୋବାଇଲ ଗେମ ନିଶା ଯୁବକଙ୍କ ଉପରେ ପଡିଲା ଭାରି । ଗେମରେ ହାରିବା ପରେ ନିଜ ଗଳା କାଟିଲେ ଯୁବକ । ହେଲେ ଜୀବନ ଯାଉ ଯାଉ ଅଳ୍ପକେ ବର୍ତ୍ତିଲେ ଯୁବକ । ଅନୁଗୋଳ ଜିଲା ଜରପଡା ଥାନା ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା । ଜରପଡ଼ା ଥାନା ଜେରେଙ୍ଗ ଗାଁର ଯୁବକ ସୌମ୍ୟରଞ୍ଜନ ନାୟକ ନିଜ ଗଳା କାଟିବା ଦ୍ବାରା ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁସାରେ ଏହି ଯୁବକ ହେଉଛନ୍ତି ଜେରେଙ୍ଗ ଗାଁ ର ଅଚ୍ୟୁତାନନ୍ଦ ନାୟକଙ୍କ ୨୪ ବର୍ଷୀୟ ପୁଅ ସୌମ୍ୟରଞ୍ଜନ ନାୟକ
ସେ ମୋବାଇଲ ଫୋନରେ ଫ୍ରି ଫାୟାର ଗେମ୍ ଖେଳୁଥିଲେ । ତେବେ ସେଥିରେ ସେ ତିନି ଥର ଲଗାତାର ହାରି ଯାଇଥିଲେ । ତେବେ ଏହି ପରାଜୟକୁ ସହି ନ ପାରି ସୌମ୍ୟ ଭାଙ୍ଗି ପଡିଥିଲେ । ଫଳରେ କିଛି ଜାଣି ନପାରି ଏକ ବ୍ଲେଡ୍ ଧରି ନିଜ ବେକକୁ ନିଜେ କାଟି ଦେଇଥିଲେ । ପରିବାର ଲୋକେ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସା ହେବା ପରେ ସେ ସୁସ୍ଥ ଥିବା ଜଣା ପଡିଛି । ତେବେ ଏ ସମସ୍ତ ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଏହା ମଧ୍ୟ ପଢନ୍ତୁ...ଅନଲାଇନ ଗେମ ହେଲା କାଳ, ଟଙ୍କା ହରାଇବା ପରେ ଚରମ ନିଷ୍ପତ୍ତି ନେଲେ ଛାତ୍ର
ସେହିପରି ଗତ ୮ ତାରିଖରେ ଢେଙ୍କାନାଳ ଜିଲ୍ଲାରେ ମୋବାଇଲ ଗେମ ଜଣେ ଛାତ୍ରଙ୍କ ଜୀବନ ନେଇଥିଲା । ଭୁବନ ବ୍ଲକର ବେଢାପାଳ ଗ୍ରାମର ସୁଶାନ୍ତ ମହାରଣାଙ୍କ ପୁଅ ସତ୍ୟବ୍ରତ ମହାରଣା ଯୁକ୍ତ ୩ ବିଜ୍ଞାନ ଶେଷବର୍ଷର ଛାତ୍ର ଥିଲେ । ସୂଚନା ଅନୁସାରେ ସତ୍ୟବ୍ରତ ନିକଟସ୍ଥ କଲେଜରେ ପାଠ ପଢିବାକୁ ଯିବା ସମୟରେ ବାପା ୨୦ ହଜାର ଟଙ୍କା ବ୍ୟାଙ୍କରେ ଡିପୋଜିଟ ପାଇଁ ଦେଇଥିଲେ । ହେଲେ ସେହି ଟଙ୍କାକୁ ସତ୍ୟବ୍ରତ ଡିପୋଜିଟ ନକରି ଗେମଖେଳି ହାରି ଯାଇଥିଲେ । ବାପାଙ୍କୁ ମୁହଁ ଦେଖାଇ ପାରିବେ ନାହିଁ ସେହି ଭୟ ତାଙ୍କୁ ଲାଗି ରହିଥିଲା । ଯାହାଫଳରେ ସତ୍ୟବ୍ରତ ଗ୍ରାମ ନିକଟରେ ଥିବା ଭାଲୁଖାଇ ଜଙ୍ଗଲରେ ଜୀବନ ହାରିଦେଇ ଥିଲେ । ତାଙ୍କ ପିତା ସନ୍ଧାନ ପାଇ ଜଙ୍ଗଲରୁ ଅଚେତ ଅବସ୍ଥାରେ ଉଦ୍ଧାର କରି ପୁଅକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ସତ୍ୟବ୍ରତଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ ।
ଆଜିର ଯୁବପିଢି ଅଧିକାଂଶ ସମୟ ସ୍ମାର୍ଟଫୋନ ବ୍ୟବହାରରେ ଅତିବାହିତ କରୁଥିବା ନଜିର ରହିଛି । କିଛି ଯୁବପିଢି ଅନଲାଇନ ଗେମ ଖେଳିବାକୁ ମଧ୍ୟ ବେଶ ପସନ୍ଦ କରନ୍ତି । ଅନଲାଇନ ଖେଳ ନିଶାରେ ଯୁବପିଢି ନିଜ ହୋସ ହରାଇଥାନ୍ତି । ଫଳରେ ନିଜ ଜୀବନ ନେବା ଭଳି କଠୋର ନିଷ୍ପତ୍ତି ନେଇଥାନ୍ତି । ଏଭଳି ସ୍ଥିତିରେ ପିଲାଙ୍କ କାର୍ଯ୍ୟକଳାପ ଓ ଗତିବିଧି ଉପରେ ପିତାମାତା ଧ୍ୟାନ ଦେବା ଆବଶ୍ୟକ ।
ଇଟିଭି ଭାରତ, ଅନୁଗୋଳ