ବ୍ରହ୍ମପୁର: ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠାକୁ ଆଉ କିଛି ଘଣ୍ଟା ବାକି । ଯାହାକୁ ନେଇ ରାମମୟ ହୋଇଉଠିଛି ସମଗ୍ର ଦେଶ । ରାମଲାଲାଙ୍କୁ ସ୍ୱାଗତ କରିବାକୁ ଘରେ ଘରେ ପ୍ରସ୍ତୁତି । ଆଉ ଏହାରି ମଧ୍ୟରେ ରେଶମ ସହର ବ୍ରହ୍ମପୁରରେ ଶ୍ରୀରାମଲାଲାଙ୍କ ଆଗମନକୁ ସ୍ୱାଗତ କରି ତିନିଜଣ ଯୁବଶିଳ୍ପୀଙ୍କ ଭଳିକି ଭଳି କଳାକୃତି ପ୍ରସ୍ତୁତ କରିଛନ୍ତି । କାହାର କଳାକୃତିରେ ଉତ୍କଳୀୟ କଳା ଭାସ୍କର୍ଯ୍ୟର ଝଲକ ରହିଥିବା ବେଳେ ଆଉ କାହା କଳାକୃତିରେ ରହିଛି ଚକରେ ପ୍ରସ୍ତୁତ ସବୁଠାରୁ ଛୋଟ ରାମ ମନ୍ଦିର ଓ ପ୍ରଭୁ ଶ୍ରୀ ରାମଙ୍କ ମୂର୍ତ୍ତି ।
ଅଯୋଧ୍ୟାରେ ପ୍ରତିଷ୍ଠା ହେବ ଶ୍ରୀରାମ ମନ୍ଦିର । ଏହାକୁ ନେଇ ସାରା ଦେଶରେ ଉତ୍ସବର ମାହୋଲ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ରାମଲାଲାଙ୍କୁ ସ୍ୱାଗତ କରିବା ପାଇଁ ଭଳିକି ଭଳି କାର୍ଯ୍ୟକ୍ରମ । ଏଭଳି ସମୟରେ ବ୍ରହ୍ମପୁର ଯୁବଶିଳ୍ପୀ ଦିଲୀପ ମହାରଣା କାଠରେ ପ୍ରସ୍ତୁତ କରିଛନ୍ତି ଏକ ନିଆରା କଳାକୃତି । ଉତ୍କଳୀୟ କଳା ଭାସ୍କର୍ଯ୍ୟର ଝଲକ ରହିଥିବା ଏହି କଳାକୃତିର ମଧ୍ୟ ଭାଗରେ ଶ୍ରୀରାମ, ମାତା ସୀତା, ଲକ୍ଷ୍ମଣ ଏବଂ ରାମଦୂତ ହନୁମାନ ରହିଥିବା ବେଳେ ଚାରିକୋଣରେ ଚାରିଧାମକୁ ଏଥିରେ ସାମିଲ କରିଛନ୍ତି ଦିଲ୍ଲୀପ । ୧୪ ଇଞ୍ଚ ଉଚ୍ଚତା ଏବଂ ୧୧ ଇଞ୍ଚ ଓସାର ବିଶିଷ୍ଟ ଏହି କଳାକୃତି ଅତି ନିଖୁଣ ଏବଂ ସୁନ୍ଦର ଭାବରେ କାଠରେ ତିଆରି ହୋଇଛି ।
ଏହି କଳାକୃତିକୁ ପ୍ରସ୍ତୁତ କରିବାକୁ ଦିଲୀପଙ୍କୁ ୧୫ ଦିନରୁ ମଧ୍ୟ ଅଧିକା ସମୟ ଲାଗିଥିବା କହିଛନ୍ତି ଦିଲ୍ଲୀପ । ଏହି କଳାକୃତିରେ ଶ୍ରୀ ଜଗନ୍ନାଥ ପୁରୀ ଧାମର ଉଚ୍ଚତା ୨ ଇଞ୍ଚ ରହିଥିବା ବେଳେ ବଦ୍ରୀନାଥ ଧାମର ଉଚ୍ଚତା ୨.୨୫ ଇଞ୍ଚ, ଦ୍ବାରିକା ଧାମର ଉଚ୍ଚତା ୨.୨୫ ଇଞ୍ଚ, ରାମେଶ୍ବର ଧାମର ଉଚ୍ଚତା ୨ ଇଞ୍ଚ, ଶିବଲିଙ୍ଗର ଉଚ୍ଚତା ୧ ସେ.ମି ରହିଥିବା ରହିଛି । ସେହିଭଳି ଶ୍ରୀରାମ ମୂର୍ତ୍ତିର ଉଚ୍ଚତା ୨.୬ ଇଞ୍ଚ ଓ ଓସାର ୦.୭୫ ଇଞ୍ଚ, ସୀତାଙ୍କ ମୂର୍ତ୍ତିର ଉଚ୍ଚତା ୨.୫ ଇଞ୍ଚ ଓ ଓସାର ୦.୫ ଇଞ୍ଚ, ଲକ୍ଷ୍ମଣଙ୍କ ମୂର୍ତ୍ତିର ଉଚ୍ଚତା ୨.୫ ଇଞ୍ଚ ଓ ଓସାର ୦.୭୫ ଇଞ୍ଚ ଏବଂ ପ୍ରଭୁ ହନୁମାନଙ୍କ ମୂର୍ତ୍ତିର ଉଚ୍ଚତା ୧.୫ ଇଞ୍ଚ, ଓସାର ୦.୭୫ ଇଞ୍ଚ ରହିଛି । ପୂର୍ବରୁ ଦିଲ୍ଲୀପ ୨୦୨୧ରେ ଅବିକଳ ଭବ୍ୟ ରାମ ମନ୍ଦିର ନିର୍ମାଣ କରିଥିଲେ ଯାହାକି ‘ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍’ ଓ ‘ଏସିଆ ବୁକ୍ ଅଫ୍ ରେକର୍ଡ୍ସ’ ରେ ସ୍ଥାନ ପାଇଥିଲା ।